ସରପଞ୍ଚଙ୍କ ସହ କଥାହେଲେ ମୋଦି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ସରପଞ୍ଚମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରାୟ ଦେଢ଼ଘଣ୍ଟା ଧରି ଆଲୋଚନା କରିଥିଲେ । ସେ କହିଥିଲେ ଯେ କୋଭିଡ-୧୯ (କରୋନା ଭାଇରସ୍) ଆମ ସମ୍ମୁଖରେ ଅନେକ ସମସ୍ୟା ଠିଆ କରିଛି । ଏହି ମହାମାରୀ ଭାରତକୁ ଆତ୍ମନିର୍ଭରତା ହେବା ଲାଗି ବଡ଼ ଶିକ୍ଷା ଦେଇଛି । ଦୁଇଗଜ ଦୂରରେ ରହି ଏହି ମହାମାରୀ ସହ ଲଢ଼ିବାକୁ ପଡ଼ିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-ସ୍ୱରାଜ ପୋର୍ଟାଲ ଓ ଇ-ଗ୍ରାମ ସ୍ୱରାଜ ଆପ୍ ଶୁଭାରମ୍ଭ କରିଥିଲେ । ଏଥିରେ ପଞ୍ଚାୟତ ସହ ଜଡ଼ିତ ସବୁ ତଥ୍ୟ ରହିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ଆମର କାମ କରିବାର ତରିକା ବଦଳାଇ ଦେଇଛି । ସେଥିପାଇଁ ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ଜରିଆରେ କରାଯାଉଛି । କରୋନା ସଂକ୍ରମଣର ଏଭଳି ସଙ୍କଟ ସମୟରେ ଆମର ସଙ୍କଳ୍ପର ପ୍ରାସଙ୍ଗିକତା ମଧ୍ୟ ବଢ଼ିଯାଇଛି । ସବୁଠାରୁ ବଡ଼କଥା ହେଉଛି ଆମକୁ ଏବେ ଆତ୍ମନିର୍ଭରତା ହେବାକୁ ପଡ଼ିବ । ଏହା ବିନା ସଙ୍କଟର ମୁକାବିଲା କରିବା ଆମ ପାଇଁ କଷ୍ଟକର ହୋଇପଡ଼ିବ । ପଞ୍ଚାୟତ, ଜିଲ୍ଲା ଓ ରାଜ୍ୟ ଆତ୍ମନିର୍ଭରତା ହେବାକୁ ପଡ଼ିବ । ଯାହାଫଳରେ ନିଜର ଜରୁରି ଆବଶ୍ୟକତା ପାଇଁ ବାହାରେ ମୁହଁ ଦେଖାଇବାକୁ ପଡ଼ିବନି । ଦୃଢ଼ ପଞ୍ଚାୟତ ଆତ୍ମନିର୍ଭରତା ହୋଇପାରିବ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ଲାଗି ସରକାର କାମ କରୁଛନ୍ତି । ୧ଲକ୍ଷ ୨୫ ହଜାର ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସେବା ପହଞ୍ଚô ପାରିଛି । ୩ ଲକ୍ଷ କମନ ସର୍ଭିସ ସେଣ୍ଟର କାର୍ଯ୍ୟ କରୁଛି । ଆଜି ଏତେ ବଡ଼ ତରିକାରେ ଭିଡିଓ କନ୍ଫରେନ୍ସିଂର ଆୟୋଜନ କରାଯାଇଛି । ସହର ଓ ଗାଁର ସମସ୍ୟା ଦୂର କରିବା ଲାଗି ସରକାର ଦୁଇଟି ପ୍ରକଳ୍ପ ଆରମ୍ଭ କରିଛନ୍ତି । ତାହ ହେଉଛି ଇ-ଗ୍ରାମ ସ୍ୱରାଜ ଓ ପ୍ରତି ଗ୍ରାମବାସୀଙ୍କ ଲାଗି ସ୍ୱାମୀତ୍ୱ ଯୋଜନା ।
ଇ-ଗ୍ରାମ ସ୍ୱରାଜ ପଞ୍ଚାୟତର ସବୁ ତଥ୍ୟ ଓ ଦସ୍ତାବିଜ ରଖିବାର ସିଙ୍ଗଲ ଡିଜିଟାଲ ପ୍ଲାଟଫର୍ମ ହେବ । ପଞ୍ଚାୟତର ସମସ୍ତ ବିକାଶମୂଳକ କାର୍ଯ୍ୟ, ଏହାର ପାଣ୍ଠି ଓ କାର୍ଯ୍ୟକ୍ରମର ଟିକିନିଖି ତଥ୍ୟ ପ୍ରତ୍ୟେକ ନାଗରିକଙ୍କୁ ମିଳିପାରିବ । ଏହାଫଳରେ ସ୍ୱଚ୍ଛତା ଓ ପାରଦର୍ଶିତା ବଢ଼ିବ । ସ୍ୱାମୀତ୍ୱ ଯୋଜନାରେ ଗାଁର ପ୍ରତିଟି ସମ୍ପତ୍ତିକୁ ଡ୍ରୋନ ସହାୟତାରେ ମ୍ୟାପିଂ କରାଯିବ । ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଜମିକୁ ନେଇ ସୃଷ୍ଟି ହେଉଥିବା ବିବାଦର ଅନ୍ତ ଘଟିବ । ବିକାଶ କାର୍ଯ୍ୟକୁ ଆଗେଇ ନେଇହେବ । ସହର ଭଳି ଏହି ସମ୍ପତ୍ତି ବଳରେ ବ୍ୟାଙ୍କରୁ ଋଣ ମଧ୍ୟ ନିଆଯାଇପାରିବ । ବର୍ତ୍ତମାନ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ୬ଟି ରାଜ୍ୟ ଏହି ଯୋଜନାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରୁଛନ୍ତି । ପରେ ତାକୁ ସମଗ୍ର ଦେଶର ପ୍ରତିଟି ଗାଁରେ ଲାଗୁ କରାଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ସଙ୍କଟ ସମୟରେ ଆପଣମାନେ ସମସ୍ତେ ଦେଶକୁ ପ୍ରେରଣା ଦେବା ଭଳି କାର୍ଯ୍ୟ କରିଛନ୍ତି । ଆପଣମାନେ ଦୁନିଆକୁ ବଡ଼ ସରଳ ମନ୍ତ୍ର ଦେଇଛନ୍ତି । ଦୁଇଗଜ ଦୂର ମନ୍ତ୍ର ଦେଇଛନ୍ତି । ସାମାଜିକ ଦୂରତା ବଜାୟ ରଖି ଆପଣ ନିଜକୁ ସୁରକ୍ଷିତ ରଖିଛନ୍ତି । ଆଜି ପୂରା ଦୁନିଆରେ ଚର୍ଚ୍ଚା ହେଉଛି କି କିଭଳି ଭାବେ ଭାରତ କରୋନାକୁ ଜବାବ ଦେଉଛି । ଏତେବଡ଼ ମହାମାରୀ ଭିତରେ ଦେଶର ପ୍ରତ୍ୟେକ ନାଗରିକ ବହୁ କଷ୍ଟ କରି କରୋନା ବିରୋଧରେ ଲଢ଼ିବା ଜାରି ରଖିଛନ୍ତି ।
ଏହି ଅବସରରେ ବିହାରର ଜେହନାବାଦ, ଉତ୍ତରପ୍ରଦେଶର ବସ୍ତି, ପଞ୍ଜାବର ପଠାନକୋଟ୍ ଓ ଆସାମର କଚ୍ଚର ଜିଲ୍ଲାର ୪ ଜଣ ସରପଞ୍ଚ ନିଜ ପଞ୍ଚାୟତରେ କିଭଳି କରୋନା ବିରୋଧୀ ଚାଲିଛି ତାହା ଜଣାଇଥିଲେ । ମୋଦି କହିଥିଲେ ଯେ ଆପଣମାନଙ୍କ କଥା ଶୁଣି ଦେଶର ସବୁ ଲୋକମାନେ ଜାଣିପାରିଥିବେ ଯେ ସୁଦୂର ଗାଁର ସରପଞ୍ଚମାନେ ଏଭଳି ସଙ୍କଟରେ କିପରି କାର୍ଯ୍ୟ କରୁଛନ୍ତି । ଆପଣମାନଙ୍କ କଥା ସମସ୍ତେ ହୁଏତ ଶୁଣିପାରି ନଥିବେ, କିନ୍ତୁ ଆପଣମାନେ ଯେଉଁ ଭଲ କାର୍ଯ୍ୟ କରୁଛନ୍ତି ତାହା ଲେଖି ଜଣାଇବାକୁ ମୋଦି ପରାମର୍ଶ ଦେଇଥିଲେ । କହିଥିଲେ ଆମେ ପିଲାଟି ଦିନରୁ ଶୁଣି ଆସୁଛୁ ଯେ ମହାତ୍ମା ଗାନ୍ଧୀ ସ୍ୱରାଜର ଆଧାର ଗ୍ରାମ ପଞ୍ଚାୟତ ବୋଲି କହୁଥିଲେ । ଶାସ୍ତ୍ରରେ କୁହାଯାଇଛି ଯେ ଏକଜୁଟ ରହିବାରେ ହିଁ ଶକ୍ତି । ଜଣଙ୍କର ଦୋଷ ଯୋଗୁ ସମସ୍ତଙ୍କର ଜୀବନ ବିପଦରେ ପଡ଼ିପାରେ । ଆମକୁ ସାନିଟାଇଜେସନ (ବିଶୋଧନ) ଓ ଲୋକଙ୍କୁ କ୍ୱାରେଣ୍ଟାଇନ କରିବା ଜାରି ରଖିବାକୁ ପଡ଼ିବ । ଯଦି କାହାକୁ କଷ୍ଟ ହୁଏ ତେବେ ସେ ପ୍ରଥମେ ହିଁ ସରପଞ୍ଚଙ୍କ ନିକଟକୁ ଆସିବେ ।
ଗାଁ-ଗାଁ ଓ ଗଳି-ଗଳିରେ ଦୁଇଗଜର ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ । ଗ୍ରୀଷ୍ମଋତୁ ପରେ ବର୍ଷା ସମୟରେ ମଧ୍ୟ ଆମକୁ ସତର୍କ ରହି ଗାଁକୁ ବଞ୍ଚାଇବାକୁ ପଡ଼ିବ । ବର୍ଷାଋତୁରେ କରୋନା ସଂକ୍ରମଣର ବିପଦ ବଢ଼ିପାରେ । ଆମକୁ ପ୍ରତି ପରିବାର ନିକଟରେ ପ୍ରକୃତ ତଥ୍ୟ ପହଞ୍ଚାଇ ସେମାନଙ୍କୁ ସୁରକ୍ଷିତ ରଖିବାକୁ ପଡ଼ିବ । ଲୋକମାନଙ୍କୁ ସଚେତନ କରିବାକୁ ହେବ । ଏହି କାର୍ଯ୍ୟରେ ଆଶା କର୍ମୀଙ୍କ ସହିତ ଅନ୍ୟମାନଙ୍କର ସହାୟତା ମଧ୍ୟ ନିଆଯାଇପାରିବ । ସୋସିଆଲ ମିଡିଆରେ ଖାଇବା ପିଇବାଠାରୁ ଆରମ୍ଭ କରି ସବୁ କିଛି ପ୍ରସଙ୍ଗକୁ ନେଇ ଗୁଜବ ପ୍ରଚାର କରାଯାଉଛି । ତାକୁ ଦୂର କରିବାକୁ ହେବ । କାଢ଼ା ପିଇବା ଓ ଯୋଗ-ପ୍ରାଣାୟମ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ । ଆରୋଗ୍ୟ ସେତୁ ମୋବାଇଲ ଆପ୍ ଡାଉନଲୋଡ କରନ୍ତୁ । ଜଣେ ଅଭିନେତା ବିଜ୍ଞାପନରେ ଆରୋଗ୍ୟ ସେତୁ ଆପ୍କୁ ନିଜର ବ୍ୟକ୍ତିଗତ ବଡିଗାର୍ଡ (ଅଙ୍ଗରକ୍ଷୀ) ବୋଲି କହିଛନ୍ତି । ସବୁ ପଞ୍ଚାୟତ ପ୍ରତିନିଧିମାନେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୋବାଇଲରେ ଏହାକୁ ଡାଉନଲୋଡ କରାଇବାରେ ସହଯୋଗ କରନ୍ତୁ । ଏହା ଆମର ସୁରକ୍ଷାର ସେତୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons