ଅପ୍କମିଙ୍ଗ ମହିଳା କେନ୍ଦ୍ରିକ ଫିଲ୍ମ ‘ମିମି’କୁ ନେଇ ଖବରରେ ଅଛନ୍ତି ହିରୋପନ୍ତି କୃତି ସାନନ୍ । ଏଥିରେ ସେ ଜଣେ କମ୍ ବୟସ୍କା ସରୋଗେଟ୍ ମା’ ଭୂମିକା ନିର୍ବାହ କରିଛନ୍ତି । ଏଇଟି ତାଙ୍କର ପ୍ରଥମ ମହିଳା କୈନ୍ଦି୍ରକ ଫିଲ୍ମ ମଧ୍ୟ । ‘ଲୁକା ଛୁପ୍ପି’ ନିଦେ୍ର୍ଧଶକ ଲକ୍ଷ୍ମଣ ଉତେକରଙ୍କର ଏହି ଫିଲ୍ମଟି କ୍ୟାରିଅର ପାଇଁ ଗୁରୁଦାୟିତ୍ୱ ବୋଲି କୃତି କହିଛନ୍ତି । ଫିଲ୍ମକୁ ନେଇ ସେ ଯେତିକି ନର୍ଭସ, ତା’ଠୁ ବେଶି ଉତ୍ସ ।ହିତ । ପୂର୍ବରୁ ଏ ପ୍ରକାର ଫିଲ୍ମରେ କେବେ ସେ କାମ କରିନାହାନ୍ତି । ତେଣୁ ଏଭଳି ଚରିତ୍ର ବିଷୟରେ ତାଙ୍କର ଆଦୌ ଧାରଣା ନାହିଁ । ତଥାପି ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି ଏବଂ ଫିଲ୍ମ ସହ ସେ ଭାବନାତ୍ମକ ଭାବେ ଯୋଡ଼ି ହୋଇଛନ୍ତି । ଏହାଛଡ଼ା ପ୍ରତି ଥର ଭିନ୍ନ ଧରଣର ଚରିତ୍ର ନିର୍ବାହ କରିବାକୁ ଚାହୁଁଥିବାରୁ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ସେ ଭଲପାଆନ୍ତି । ସେ ଦୃଷ୍ଟିରୁ ‘ମିମି’ ତାଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ । ଦର୍ଶକଙ୍କୁ ‘ମିମି’ ହସାଇବ, କନ୍ଦାଇବ, ଖୁସିର ଅନୁଭବ କରାଇବ ବୋଲି କୃତି କହନ୍ତି । ନିଦେ୍ର୍ଧଶକ ଲକ୍ଷ୍ମଣ ଉତେକର ଭାବନାକୁ ଭଲଭାବେ ବୁଝି ମନୋରଞ୍ଜନଧର୍ମୀ ଢଙ୍ଗରେ ଏହାକୁ ଉପସ୍ଥାପନ କରନ୍ତି । କାହାଣୀ ସହ ହାସ୍ୟରସ ଓ ସ୍ମରଣୀୟ ଚରିତ୍ର ଭେଟି ଦେବାରେ ମଧ୍ୟ ସେ ମାହିର । ସେଥିପାଇଁ ନିଜ ଚରିତ୍ରକୁ ନେଇ କୃତିଙ୍କର ଯଥେଷ୍ଟ ଆତ୍ମବିଶ୍ୱାସ ରହିଛି ଯେ ଦର୍ଶକ ତାଙ୍କୁ ନିଶ୍ଚୟ ଗ୍ରହଣ କରିବେ । ଅଭିନେତା ପଙ୍କଜ ତ୍ରିପାଠୀ ମଧ୍ୟ ତାଙ୍କ ସହ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଏହା ପୂର୍ବରୁ ‘ଲୁକା ଛୁପ୍ପି’ରେ ଦର୍ଶକଙ୍କ ମନୋରଞ୍ଜନ କରି ବେଶ ପ୍ରଶଂସିତ ହୋଇଥିଲେ କୃତି ।


Comments are closed, but trackbacks and pingbacks are open.