ସର୍ବବୃହତ୍ ଅର୍ଥନୀତି ତାଲିକା:୭କୁ ଖସିଲା ଭାରତ

Get real time updates directly on you device, subscribe now.

ନୂଆଦିଲ୍ଲୀ:ଅସ୍ଥିର ଟଙ୍କା ଏବଂ ମନ୍ଥର ଅଭିବୃଦ୍ଧି ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ୍ ଅର୍ଥନୀତି ତାଲିକାରେ ସପ୍ତମ ସ୍ଥାନକୁ ଖସିଆସିଛି । ବିଶ୍ୱ ବ୍ୟାଙ୍କ ପକ୍ଷରୁ ୨୦୧୮ ବର୍ଷ ପାଇଁ ପ୍ରସ୍ତୁତ ଏହି ତାଲିକାରେ ଭାରତକୁ ପଛରେ ପକାଇ ବ୍ରିଟେନ୍ ଏବଂ ଫ୍ରାନ୍ସ ଯଥାକ୍ରମେ ପଞ୍ଚମ ଏବଂ ଷଷ୍ଠ ସ୍ଥାନ ଅକ୍ତିଆର କରିଛନ୍ତି । ମୋଟ ଘରୋଇ ଉତ୍ପାଦ ଦୃଷ୍ଟିକୋଣରୁ ୨୦୧୭ରେ ଭାରତ ଥିଲା ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୀତି । ସପ୍ତମ ସ୍ଥାନରେ ରହିଥିଲା ଫ୍ରାନ୍ସ । କିନ୍ତୁ ବିଭିନ୍ନ ପ୍ରକାର ଅର୍ଥନୈତିକ ସମସ୍ୟା ମଧ୍ୟରେ ଭାରତ ନିମ୍ନକୁ ଖସି ଆସିଥିବା ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶ । ୨୦୧୯ରେ ବିଶ୍ୱର ପଞ୍ଚମ ଏବଂ ୨୦୨୫ ସୁଦ୍ଧା ତୃତୀୟ ବୃହତ୍ ଅର୍ଥନୀତି ପାଲଟିବାର ଲକ୍ଷ୍ୟ ରଖିଥିବା ଭାରତକୁ ବିଶ୍ୱ ବ୍ୟାଙ୍କର ସଦ୍ୟ ର‌୍ୟାଙ୍କିଙ୍ଗ୍ ନିରାଶ କରିଛି ।
୨୦.୫ ଲକ୍ଷ କୋଟି ଡଲାର ଜିଡିପି ସହ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ସ୍ଥାନରେ ଅପରିବର୍ତ୍ତିତ ରହିଛି । ୧୩.୬ ଲକ୍ଷ କୋଟି ଡଲାର ଜିଡିପି ସହ ଚୀନ୍ ଦ୍ୱିତୀୟ ସ୍ଥାନରେ ଏବଂ ୫ ଲକ୍ଷ କୋଟି ଡଲାର ଜିଡିପି ସହ ଜାପାନ ତୃତୀୟ ସ୍ଥାନରେ ରହିଛି । ୨୦୧୮ରେ ଭାରତର ଜିଡ଼ିପି ୨.୭ ଲକ୍ଷ କୋଟି ଡଲାର ରହିଥିବାବେଳେ ଫ୍ରାନ୍ସର ଜିଡ଼ିପି ୨.୮ ଲକ୍ଷ କୋଟି ଡଲାର ରହିଥିବା ଜଣାଯାଇଛି ।
୨୦୧୭ରେ ଭାରତର ଜିଡ଼ିପି ୨.୬୫ ଲକ୍ଷ କୋଟି ଡଲାର ଥିଲା । ବ୍ରିଟେନ୍ର ୨.୬୪ ଲକ୍ଷ କୋଟି ଡଲାର ଥିବାବେଳେ ଫ୍ରାନ୍ସର ୨.୫ ଲକ୍ଷ କୋଟି ଡଲାର ଥିଲା । ଡଲାର ତୁଳନାରେ ଟଙ୍କାରେ ଅସ୍ଥିରତା ଏବଂ ମନ୍ଥର ଅଭିବୃଦ୍ଧି ଯୋଗୁ ଭାରତ ସପ୍ତମ ସ୍ଥାନକୁ ଖସି ଯାଇଥିବା ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।
୨୦୧୭ରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ସୁଧାର ଘଟିଥିବାବେଳେ ୨୦୧୮ରେ ଏହା ଦୁର୍ବଳ ହୋଇଥିଲା । ଏହାର ପ୍ରଭାବ ଦେଶର ଜିଡ଼ିପି ଉପରେ ପଡ଼ିଥିବା ଇଣ୍ଡିଆ ରେଟିଙ୍ଗ୍ସ ଆଣ୍ଡ୍ ରିସର୍ଚ୍ଚର ମୁଖ୍ୟ ଅର୍ଥନୀତିଜ୍ଞ ଦେବେନ୍ଦ୍ର ପନ୍ତ ପ୍ରକାଶ କରିଛନ୍ତି । ଅଭିବୃଦ୍ଧିରେ ସୁଧାର ଘଟିଲେ ର‌୍ୟାଙ୍କିଙ୍ଗ୍ରେ ଉନ୍ନତି ଆସିପାରେ ବୋଲି ସେ ଆକଳନ କରିଛନ୍ତି ।
ପ୍ରତିକୂଳ ସ୍ଥିତି ସତ୍ତେ୍ୱ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ରହିଆସିଛି । ଚଳିତ ଆର୍ଥିକବର୍ଷର ଦେଶର ଅର୍ଥନୈତିକ ଅଭିବୃଦ୍ଧି ୭%କୁ ଖସିପାରେ ବୋଲି ଆଶଙ୍କା କରାଯାଉଛି । ଯୁକ୍ତରାଷ୍ଟ୍ର ଆମେରିକା ସହ ବାଣିଜ୍ୟ ଯୁଦ୍ଧ ଯୋଗୁ ଚୀନ୍ରେ ମଧ୍ୟ ମାନ୍ଦାବସ୍ଥା ଆଶଙ୍କା ରହିଛି ।
ଗତମାସ ଗବେଷଣା ସଂସ୍ଥା ଆଇଏଚ୍ଏସ୍ ମାର୍କିଟ ଆକଳନ କରିଥିଲା ଯେ, ୨୦୧୯ରେ ବ୍ରିଟେନ୍କୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ହେବ । ୨୦୨୫ ସୁଦ୍ଧା ଜାପାନକୁ ଟପି ଏହା ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି ପାଲଟିବ ବୋଲି ଏହା ଆକଳନ କରିଥିଲା ।
୨୦୨୪-୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତି ପାଲଟିବାକୁ ଲକ୍ଷ୍ୟ ରଖିଛି ଭାରତ । ଏଥିପାଇଁ ଅର୍ଥନୈତିକ ସର୍ଭେ ୨୦୧୮-୧୯ରେ ଏକ ପକ୍କା ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଦେଶକୁ ୮% ଅଭିବୃଦ୍ଧି ନେଇ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସରକାର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons