ଅନୁଗୁଳ,(ବି.ବି.ନୁ୍ୟଜ୍): ଅନୁଗୁଳ ଜିଲ୍ଲାରେ ଜଳସେଚନରେ ରହିଛି ଯଥେଷ୍ଟ ସମ୍ଭାବନା । ଠିକ୍ ଭାବରେ କାର୍ଯ୍ୟକାରୀ କଲେ ଜିଲ୍ଲାରେ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ । ଏହି ଲକ୍ଷ୍ୟରେ ପହଞ୍ଚିବାକୁ ଯଦି ଏବେଠୁ କାମ ଆରମ୍ଭ ହୁଏ, ତେବେ ଦୁଇ ବର୍ଷ ମଧ୍ୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବୁ । ଜିଲ୍ଲାରେ ଟଙ୍କାର ଅଭାବ ନାହିଁ । ଟଙ୍କା ପାଇଁ ଜିଲ୍ଲାରେ କୌଣସି ପ୍ରକଳ୍ପ ଅଟକି ରହିନାହିଁ । ଦୁଇଟି ପ୍ରକଳ୍ପ ସର୍ଭେ ସ୍ତରରେ ଅଟକି ରହିଛି । ଜିଲ୍ଲାରେ ଜଳ ପ୍ରକଳ୍ପଗୁଡିକ ଅଗ୍ରଗତି ପାଇଁ ଆମର ମାନସିକତାରେ ପରିବର୍ଞ୍ଚନ ଆବଶ୍ୟକତା ରହିଛି । ହିଡିସିଂହ ଜଳ ପ୍ରକଳ୍ପକୁ ଆଗେଇ ନେବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଜିଲ୍ଲାପାଳ ଏହାକୁ ସରକାରଙ୍କ ପାଖରେ ପହଞ୍ଚାଇଲେ ଏହା କାର୍ଯ୍ୟକ୍ଷମ ହୋଇପାରିବ । ଅନୁଗୁଳକୁ ଦୁଇ ଦିନିଆ ଗସ୍ତରେ ଆସି ରାଜ୍ୟ ଜଳ ସମ୍ପଦ ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଏହା କହିଛନ୍ତି ।
ମନ୍ତ୍ରୀ ଶ୍ରୀ ଦାସ ଡେରେଜାଙ୍ଗ ପ୍ରକଳ୍ପ ବୁଲି ଦେଖିବା ସହ ଶୁକ୍ରବାର ସର୍କିଟ ହାଉସ୍ଠାରେ ଜିଲ୍ଲାର ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାରେ ଥିବା ଜଳସେଚନ ବ୍ୟବସ୍ଥାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ଉପଯୋଗ କରି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ଓଡ଼ିଶା ଗ୍ରାମ୍ୟ ଗୃହ ଓ ଉନ୍ନୟନ ନିଗମର ଅଧ୍ୟକ୍ଷ ମୀନକେତନ ଆମାନ୍ତ, ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରତିନିଧି ଦୁର୍ଗାଚରଣ ପ୍ରଧାନ ଓ ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଦିନେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ସର୍ବନିମ୍ନ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ବହୁ ଦିନରୁ ପଡ଼ି ରହିଥିବା ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଡେରଜାଙ୍ଗ ପ୍ରକଳ୍ପରୁ ଖରିଫ ଋତୁରେ ବଅଁରପାଳ, ଅନୁଗୁଳ ଓ ଛେଣ୍ଡିପଦାରେ ୯୯ ପ୍ରତିଶତ ଓ ରବି ଋତୁରେ ୭୫ ପ୍ରତିଶତ ଜଳସେଚନ ହେଉଛି । ଧଉରାଗୋଠ ଜଳଚେସନ ପ୍ରକଳ୍ପ ଦ୍ୱାରା କିଶୋରନଗର ବ୍ଲକର ୨୨୩୦ ହେକ୍ଟର ଜମି ଜଳସେଚିତ ହୋଇପାରିବ । ଏହି ପ୍ରକଳ୍ପ ପାଇଁ ୧୩୫ ପରିବାରକୁ ବିସ୍ଥାପିତ ହେବାକୁ ହେବ । ଜଙ୍ଗଲ ଜମି ଅନୁମତି ଏ ପର୍ଯ୍ୟନ୍ତ ଆସିନାହିଁ ଓ ୮ଟି ଗାଁ ମଧ୍ୟରୁ ୪ଟି ଗାଁରେ ପଲ୍ଲୀସଭା ହୋଇଛି । ପଲ୍ଲୀସଭା ହୋଇନଥିବା ଗାଁଗୁଡିକରେ ତୁରନ୍ତ ପଲ୍ଲୀସଭା କରାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପଲ୍ଲୀ ସଭା, ବିସ୍ଥାପିତ କଲୋନି ପାଇଁ ଜାଗା ଚିହ୍ନଟ ଓ ସେମାନଙ୍କ ଥଇଥାନ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେହିପରି ୧୭୦ କୋଟି ବ୍ୟୟରେ ବନ୍ତଳା ଅଞ୍ଚଳରେ ୨୯୨୫ ହେକ୍ଟର ଆୟକଟ ଅଞ୍ଚଳରେ ବହୁ ପ୍ରତୀକ୍ଷିତ ହିଡ଼ିସିଂହ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ପଲ୍ଲୀସଭା ହୋଇସାରିଛି ଓ ଏହାଦ୍ୱାରା ୧୬୩ ପରିବାର ବିସ୍ଥାପିତ ହେବେ । ବୈଠକରେ ନୂଆକ୍ଷେତାର କାଣିଘାଇ ଓ ରୁକୁଣା ଜଳ ସେଚନ ପ୍ରକଳ୍ପର କାର୍ଯ୍ୟକ୍ଷମ ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ ପାଇଁ ଯଥାକ୍ରମେ ୧୪ କୋଟି ଓ ୮ କୋଟି ଟଙ୍କାର ସଂଶୋଧିତ ପ୍ରସ୍ତାବ ସରକାରଙ୍କୁ ପଠାଯାଇଛି ବୋଲି ସୂଚନା ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ପାଣି ପଞ୍ଚାୟତଗୁଡିକର ସଠିକ୍ କାର୍ଯ୍ୟକାରିତା ଓ ଜଳସେଚନ ପାଇଁ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ସ୍ଥିର କରି ଦଳୀୟ ମନୋଭାବ ସହ କାର୍ଯ୍ୟକରିବା ପାଇଁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବ୍ଲକ ଉପଧ୍ୟକ୍ଷା ମମତା ପ୍ରଧାନ, ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସୁକାନ୍ତ କୁମାର ପ୍ରଧାନ, ବ୍ରାହ୍ଣଣୀ ଅବବାହିକା ସମଲର ମୁଖ୍ୟଯନ୍ତ୍ରୀ ସୁଶାନ୍ତ କୁମାର ରଥ, ଅନୁଗୁଳ ଜଳସେଚନ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଦିପ୍ତିରଞ୍ଜନ ପଣ୍ଡା, ରେଙ୍ଗାଳି ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଅଜିତ୍ କୁମାର ଜେନାଙ୍କ ସମେତ ବିଭିନ୍ନ ଜଳସେଚନର ପ୍ରକଳ୍ପର କର୍ମକର୍ଞ୍ଚା ଓ ଜିଲ୍ଲା ସ୍ତରୀୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।


Comments are closed, but trackbacks and pingbacks are open.