ଦେବୁ ବ୍ରହ୍ମାଙ୍କ ପରି ମୋ ପୋଷ୍ଟର୍ ଲାଗିବନି
୧୯୮୩ ମସିହାରେ ଟିଭି ଦେଖିଲା ପରେ ଇଚ୍ଛା ହେଲା ଟିଭିରେ ବାହାରିବାକୁ । ୧୯୮୭ ରେ ବିଏ ପାସ୍ କରି କଟକ ଆସି ନାଟକ କଲି । ସେତେବେଳେ ଗୋଟିଏ ମାତ୍ର ଚ୍ୟାନେଲ ଥିଲା । ଏତେ ସୁଯୋଗ ନଥିଲା । ନାଟକରେ ଅଭିନୟକୁ ପରଖିଲି । ଖୁବ୍ ହସେଇଲି । ପିଲାବେଳୁ ହସେଇବାରେ ଅଭ୍ୟସ୍ତ ଥିଲି । ତା’ ପରେ ମୋ ଶରୀରକୁ ଦେଖିଲେ ହାସ୍ୟ ଅଭିନେତା ଛଡ଼ା ଆଉ କ’ଣ ହୋଇପାରିଥାନ୍ତି । ସିନେମା କରିବା ବହୁତ ବଡ଼ ସ୍ୱପ୍ନ ଥିଲା । ସେଥିପାଇଁ ପ୍ରଥମେ ନାଟକ କଲି । ପାଖରେ ଟଙ୍କା ନଥାଏ । ବିନା ପାରିଶ୍ରମିକରେ ନିଜ ହାତରୁ ଟଙ୍କା ଦେଇ ନାଟକ କରିଛି । ବହୁତ ସଂଘର୍ଷ । କହିବା ଉଚିତ୍ ହେବନି, ଏମିତି ଦିନ ଆସିଛି ଖାଇବାକୁ ମିଳିନି । ତା’ ଭିତରେ ନିଜ ସ୍ୱପ୍ନକୁ ସାକାର କରିବାର ଚିନ୍ତା । ରାତି ୧୨ଟାରେ ଯେତେବେଳେ କଟକ ରାସ୍ତାରେ ଯାଉଥାଏ ସେତେବେଳେ କାନ୍ଥରେ ସିନେମା ପୋଷ୍ଟର୍ ଲାଗୁଥାଏ । ଶୁକ୍ରବାର ସିନେମା ଆସିବା ପୂର୍ବର୍ରୁ ଗୁରୁବାର ରାତିରେ ପୋଷ୍ଟର୍ ଲାଗେ । ସବୁ ହାତ ଅଙ୍କା ପୋଷ୍ଟର୍ । ତାକୁ ଠିଆ ହୋଇ ଦେଖେ । ଥରେ ଦେବୁ ବ୍ରହ୍ମାଙ୍କ ପୋଷ୍ଟର୍ ଲାଗୁଥିଲା । ତାକୁ ଦେଖି ଭାବିଲି ମୋର ବି କେବେ ଏମିତି ପୋଷ୍ଟର୍ ଲାଗିବ ।
ରାଧାପଣ୍ଡା ଆଦର୍ଶ ଥିଲେ
ରାଧା ପଣ୍ଡା ମୋର ଆଦର୍ଶ ଥିଲେ । ତାଙ୍କଠୁ ପ୍ରେରଣା ପାଇଛି । ତାଙ୍କର ବହୁ ସିନେମା ଦେଖିଛି । କିନ୍ତୁ ଅଭିନୟ କରିପାରିନି । ସେଥିଲାଗି ତାଙ୍କ ପୁଅ ଜୀବନ ପଣ୍ଡାଙ୍କ ସହ କାମ କରେ । ଜୀବନ ପଣ୍ଡାର ଇଂଲିଶ ଭଲ ହୁଏ ତେଣୁ ଯେତେବେଳେ ଡାଏଲଗ୍ ଆସେ ମୁଁ ତାକୁ ଇଂଲିସ୍ ଡାଏଲଗ୍ କହିବାକୁ କହିଦିଏ ।ରାଧା ପଣ୍ଡାଙ୍କ ବ୍ୟତୀତ୍ ସାଉଥ୍ର ବ୍ରହ୍ମାନନ୍ଦ ଏବଂ ବେଙ୍ଗଲର ରବି ଘୋଷଙ୍କୁ ଆଦର୍ଶ ରୂପେ ଗ୍ରହଣ କରିଛି ।
ଅଧାରୁ ରହିଲା ସ୍ୱପ୍ନ
ହିରୋ ହେବା ସହ ହିନ୍ଦୀ ସିନେମାରେ ଅଭିନୟ କରିବାକୁ ଇଛା ଥିଲା । ନିଜକୁ ଜାତୀୟସ୍ତରରେ ପ୍ରତିଷ୍ଠିତ କରିବା ଲକ୍ଷ୍ୟ ଥିଲା । ୯୦ ଭାଗ ହାସ୍ୟାଭିନେତା, ୧୦ ଭାଗ ଅନ୍ୟାନ୍ୟ ଅଭିନେତା ଭାବେ କାମ କରିଛି । ତଥାପି ଶିଖିବା ସରିନି । ସାନ, ବଡ଼ ସମସ୍ତଙ୍କଠୁ ଶିଖିଛି । ନାଟକରୁ ଅଧିକ ଶିଖିଛି । ସଲିଲ ଦା’ଙ୍କୁ ଦର୍ଶକ ଶେଷ ଥର ପାଇଁ ‘ଗୋଲ୍ ମାଲ୍ ଲଭ୍’, ‘ସେଲ୍ଫିସ୍ ଦିଲ୍’ ଏବଂ ‘ମାଲ୍ ମହୁ ଜୀବନ ମାଟି’ ଭଳି ସିନେମାରେ ଦେଖିବାକୁ ପାଇବେ । ଏଥିସହିତ ‘ଗଡ଼ବଡ଼’ ଏବଂ ରିଆଲିଟି ଶୋ’ ‘ନ୍ୟୁଜ୍ ରୁମ୍ ତାମସା’ରେ ବି ସେ ଅଭିନୟ କରୁଥିଲେ ।
‘ଲଭ୍ ଷ୍ଟେସନ୍’ ଥିଲା ପ୍ରିୟ ସିନେମା
‘ଲଭ୍ ଷ୍ଟେସନ୍’ ମୋର ପ୍ରିୟ ସିନେମା ଥିଲା । ସେହି ଚରିତ୍ର ମୋତେ ସବୁଠୁ ଅଧିକ ଖୁସି ଦେଇଥିଲା । ତା’ର ଡାଏଲଗ୍ ମୋତେ ଆନନ୍ଦ ଦେଇଛି । ମାତ୍ର ଯେତିକି ସଂଘର୍ଷ କରିଛି ସେହି ଅନୁସାରେ କିଛି ପାଇବାକୁ ଥିଲା । ନିଜେ ହସିବାକୁ ଭଲ ପାଏ କିନ୍ତୁ ହାସ୍ୟାଭିନେତା ଭାବେ ଅନ୍ୟକୁ ହସାଏ ନିଜେ ହସିପାରେନା ।
ଭାରି କଷ୍ଟ ଦେଇଥିଲା
ପ୍ରଥମ ଫିଲ୍ମ ଥିଲା ‘ଶାସ୍ତି’ । କ୍ୟାମେରାର ଡର ଥାଏ । ମାତ୍ର ଫାଷ୍ଟ ସଟ୍ ଓକେ ହେଇଗଲା । ୪-୫ମିନିଟ୍ର ସଟ୍ ଥିଲା । ଭାରି ଖୁସି ଲାଗିଲା, ଯାହା ହେଉ ସିନେମାରେ ବାହାରିବି । ୬ମାସ ପରେ ସିନେମା ରିଲିଜ୍ ହେଲାବଳେକୁ ମୁଁ ନାହିଁ କି ସେହି ସିନ୍ ନାହିଁ । ୬-୭ଜଣ ସାଙ୍ଗମାନଙ୍କୁ ନେଇ ଦେଖିବାକୁ ଯାଇଥିଲି । ଗୋଟିଏ ସଟ୍ ଥିଲା, ମୁଁ ହାତ ବଢ଼େଇ ଗୀତ ଗାଉଛି । ମୁହଁ ଉପରେ ଲେଖା ହେଇଛି ପରିସ୍ଫୁଟନ । ଦେଖିକି ଭାରି କଷ୍ଟ ଦେଇଥିଲା ।
ପେମେଣ୍ଟ ଡାଏଲଗ୍ ଭୁଲାଇଦିଏ
ଯେଉଁ ସିନେମାର ପେମେଣ୍ଟ ପାଇଯାଏ ତା’ ଡାଏଲଗ୍ ଭୁଲିଯାଏ । କିନ୍ତୁ ପାରିଶ୍ରମିକ ପାଇଁ ଡିମାଣ୍ଡ୍ କରେନି । ଯେବେ ମୋର ଡିମାଣ୍ଡ୍ ବଢ଼ିବ ମୁଁ ମୋର ଡିମାଣ୍ଡ କରିବି । ନିଜ ନିଜର ଅଭିନୟକୁ ଆଦୌ ଭଲ ପାଏନି । କୌଣସି ପ୍ରିମିୟମ ଶୋ’ ଯାଏନି । ଭାବେ ଲୋକେ ଦେଖନ୍ତୁ । ଷ୍ଟେଜ୍ ଶୋ’କୁ ଯିବା ଭଳି ସ୍ଥାନ ତିଆରି କରିପାରିନି ।
ବୋକା ଚରିତ୍ର ଥିଲେ ଖୋଜନ୍ତି
ସିନେମାରେ ସବୁ ଚରିତ୍ର କରିଛି । ଇତିହାସ ରଚିଲା ଭଳି ଚରିତ୍ର କରିଛି । କିନ୍ତୁ ବୋକା ଚରିତ୍ର ଥିଲେ ସମସ୍ତେ ଖୋଜନ୍ତି । ଅଭିନୟ ପାଇଁ ବୟସର ମାନେ ନଥାଏ । ୩୦ ବର୍ଷର ସଂଘର୍ଷ ଶିଖାଇଛି ସବୁ କଥାକୁ ମାନିନେବା । ଭଲ ମଣିଷ ଏବଂ କଳାକାର ହେବା ।
Comments are closed, but trackbacks and pingbacks are open.