ବରଗଡ଼,(ବି.ବି.ନୁ୍ୟଜ୍): ପେଟ୍ରୋଲ ପମ୍ପ ଫାୟାର ସେଫ୍ଟି ସାର୍ଟିଫିକେଟ ଲାଇସେନ୍ସ ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ମହାପାତ୍ର । ଭିଜିଲାନ୍ସ ବିଭାଗ ଲାଞ୍ଚ ନେଇଥିବା ୧୨ ହଜାର ଟଙ୍କା ଜବତ କରିବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ସୂଚନା ମତେ ଭେଡେ଼ନ ବ୍ଳକ ପପଙ୍ଗାରେ ହୃଷିକେଶ ପ୍ରଧାନଙ୍କ ଏସ୍ଆର ପେଟ୍ରୋଲ ପମ୍ପ ରହିଛି । ଉକ୍ତ ପେଟ୍ରୋଲ ପମ୍ପର ଫାୟାର ସେଫ୍ଟି ସାର୍ଟିଫିକେଟ ପାଇଁ ହୃଷିକେଶ ଚଳିତ ମାସ ୩ ତାରିଖ ଆବେଦନ କରିଥିଲେ । ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ମହାପାତ୍ର ୫ ତାରିଖ ପେଟ୍ରୋଲ ପମ୍ପ ପରିଦର୍ଶନରେ ଯାଇଥିଲେ । ୯ ତାରିଖରେ ହୃଷିକେଶ ସାର୍ଟିଫିକେଟ ପାଇଁ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ଆସିଥିବା ବେଳେ ଏଥିପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା । ମୁଲଚାଲ ପରେ ୧୨ ହଜାରରେ କଥା ଛିଡିଥିଲା । ଯାହାକୁ ନେଇ ପେଟ୍ରୋଲ ପମ୍ପ ମାଲିକ ହୃଷିକେଶ ପ୍ରଧାନ ବରଗଡ଼ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଆଜି ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ମହାପାତ୍ର ନିଜ କାର୍ଯ୍ୟାଳୟରେ ଅଭିଯୋଗକାରୀ ହୃଷିକେଶଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରି ଟଙ୍କା ଜବତ କରିଥିଲେ । ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ତାଙ୍କ ବିରୋଧରେ ନ୍ୟାୟିକ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବରଗଡ଼ ଭିଜିଲାନ୍ସ ଡିଏସ୍ପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ହୋଇଥିବା ଚଢ଼ଉରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଏମ୍ ମିଞ୍ଜ, ଇନ୍ସପେକ୍ଟର ତପସ୍ୱିନୀ ସେଠ, ଇନ୍ସପେକ୍ଟର ପୁନିତାପ୍ରଭା ବାଗେ ସାମିଲ ହୋଇଥିଲେ ।


Comments are closed, but trackbacks and pingbacks are open.