ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗ୍ରାମାଞ୍ଚଳ ପରେ ଏବେ ସହରାଞ୍ଚଳକୁ ଫୋକସ୍ । ସହରାଞ୍ଚଳର ଗରିବ, ଶ୍ରମିକ ଓ ଦିନ ମଜୁରିଆଙ୍କ ହାତକୁ ମିଳିବ କାମ । ରାଜ୍ୟର ସମସ୍ତ ପୌରାଞ୍ଚଳରେ ଶ୍ରମଭିତ୍ତିକ କାମ କରାଯିବ । ଚଳିତ ମାସରୁ ଏ କାମ ଆସନ୍ତା ସେପ୍ଟେମ୍ବର ଯାଏ ଚାଲିବ । ମହାମାରୀ କରୋନା ଯୋଗୁଁ କାମଧନ୍ଦା ନପାଇ ଦୁଃସ୍ଥିତିରେ ଦିନ କାଟୁଥିବା ଗରିବ ପରିବାରକୁ ସରକାର କାମ ଯୋଗାଇଦେବେ । ଏଥିପାଇଁ ୧୦୦ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଅର୍ବାନ ୱେଜ୍ ଏମ୍ପ୍ଳୟମେଣ୍ଟ ଇନିସିଏଟିଭ୍’ ନାମରେ ଏକ ଜରୁରୀକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବେ ସରକାର । ଏଥିରେ ପୌରାଞ୍ଚଳର ସାଢେ଼ ୪ ଲକ୍ଷ ଗରିବ ଓ ଶ୍ରମିକ ପରିବାର ଉପକୃତ ହେବେ ।
କରୋନା ଯୋଗୁଁ ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଜାରି ରହିଥିଲା ବେଳେ ଗରିବ ଓ ଶ୍ରମିକମାନେ କାମଧନ୍ଦା ହରାଇଛନ୍ତି । ଗ୍ରାମାଞ୍ଚଳରେ କୃଷି ଓ ମନରେଗା ସହ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସରକାର ଘୋଷଣା କରିଛନ୍ତି । ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ବେଳେ କଟକଣାକୁ କୋହଳ କରାଯାଇଛି । ତେବେ ସହରାଞ୍ଚଳରେ ବାସ କରୁଥିବା ଗରିବ ଓ ଦିନ ମଜୁରିଆଙ୍କୁ କାମଧନ୍ଦା ଯୋଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ୬ ମାସରେ ୧୦୦ କୋଟିର ଶ୍ରମଭିତ୍ତିକ କାମ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି ।
ନିଷ୍ପତ୍ତି ଅନୁସାରେ ସମସ୍ତ ପୌରାଞ୍ଚଳରେ ତୁରନ୍ତ ଏ କାମ ଆରମ୍ଭ କରାଯିବ । ଅର୍ବାନ ୱେଜ୍ ଏମ୍ପ୍ଳୟମେଣ୍ଟ ଇନିସିଏଟିଭ୍ କାର୍ଯ୍ୟକ୍ରମରେ ଡ୍ରେନରୁ ମାଟି ଓ ବର୍ଜ୍ୟବସ୍ତୁ ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡ଼ିଆ ଓ ଅନ୍ୟାନ୍ୟ ଖୋଲା ସ୍ଥାନର ଉନ୍ନତୀକରଣ, ସ୍ୱୟଂ ସହାୟକ ଗୋÂୀମାନଙ୍କର ସାମୟିକ କାର୍ଯ୍ୟକ୍ଷେତ୍ର ନିର୍ମାଣ, ବନୀକରଣ, ଶୌଚାଳୟ ନିର୍ମାଣ ସହ ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ କାମ କରାଯିବ । ସହରାଞ୍ଚଳରେ ସ୍ଥାନୀୟ ଶିଳ୍ପୀ ଓ କାରିଗରଙ୍କୁ ରୋଜଗାର ଦେବାକୁ କାନ୍ଥରେ ଚିତ୍ରାଙ୍କନ (ୱାଲ ପେଣ୍ଟିଂ) କାମ ହାତକୁ ନିଆଯିବ । ମିଶନ ଶକ୍ତିର ମାଆମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରାଯିବ । ହିତାଧିକାରୀମାନଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ । ଏହାଦ୍ୱାରା କାମଧନ୍ଦା ନପାଇ ମାସେ ହେବ ଘରେ ବସିଥିବା ଶ୍ରମିକ ପରିବାରଗୁଡ଼ିକ ଜୀବିକା ପାଇବେ ।
ତେବେ ଏ ସବୁ କାମ ବେଳେ ସାମାଜିକ ଦୂରତ୍ୱ ସହ କୋଭିଡ୍ ମୁକାବିଲା ପାଇଁ ସରକାର ଜାରି କରିଥିବା ନିଦେ୍ର୍ଧଶାବଳୀକୁ ଅନୁପାଳନ କରାଯିବ । ଏହି କାର୍ଯ୍ୟକ୍ରମ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ବିଶେଷ ଭାବେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଉଲ୍ଳେଖଯୋଗ୍ୟ, କରୋନା ମୁକାବିଲା ପାଇଁ ପ୍ରଥମରୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୯୪ ଲକ୍ଷ ପରିବାରକୁ ରାଜ୍ୟ ସରକାର୧ ହଜାର ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି । ୨୨ ଲକ୍ଷ ନିର୍ମାଣ ଶ୍ରମିକ ପରିବାରକୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ମଧ୍ୟ କରାଯାଉଛି । ସେହିଭଳି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ୪୮ ଲକ୍ଷ ହିତାଧିକାରୀମାନଙ୍କୁ ୪ ମାସର ଅଗ୍ରୀମ ଭତ୍ତା ପ୍ରଦାନ କରାଯାଉଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯେପରି କୌଣସି ଅସହାୟ, ଗରିବ ଲୋକ ଖାଦ୍ୟରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରନ୍ଧାଖାଦ୍ୟ ଯୋଗାଇବାକୁ ସମସ୍ତ ପଞ୍ଚାୟତ ଓ ପୌରସଂସ୍ଥାକୁ ନିଦେ୍ର୍ଧଶ ଜାରି ହୋଇଛି ।
Comments are closed, but trackbacks and pingbacks are open.