ସାଂସଦଙ୍କୁ ନବୀନ ମାଗିଲେ ରିପୋର୍ଟ କାର୍ଡ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମନ୍ତ୍ରୀ, ସଚିବଙ୍କ ପରେ ଏବେ ସାଂସଦମାନଙ୍କ ପାଳି । ସାଧାରଣ ଲୋକମାନଙ୍କ ପାଇଁ ସାଂସଦମାନେ କେତେ ନିଷ୍ଠା ଓ ଦକ୍ଷତାର ସହ କାମ କରୁଛନ୍ତି ସେ ସଂପର୍କରେ ଏଣିକି ପ୍ରତି ଦୁଇ ମାସରେ ଦଳର ସଭାପତିଙ୍କୁ ଦେବେ ରିପୋର୍ଟ । ଆସନ୍ତା ଅଗଷ୍ଟ ୧୦ ସୁଦ୍ଧା ଲୋକସଭା ଓ ରାଜ୍ୟସଭା ସାଂସଦମାନେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାଖଲ କରିବେ ପ୍ରଥମ ରିପୋର୍ଟ କାର୍ଡ । ଖୋଦ ନବୀନ ଏହାର ସମୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଦେବେ । ଏ ନେଇ ନବୀନ ଆଜି ଦଳୀୟ ସାଂସଦମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।
ବିଜେଡି ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଲୋକସଭା ଓ ରାଜ୍ୟସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିବାରୁ ନବୀନ ଖୁସିବ୍ୟକ୍ତ କରିଛନ୍ତି । ତେବେ ରାଜ୍ୟବାସୀ ଯେଉଁ ଆସ୍ଥା ଓ ଭରସାରେ ବିଜୟୀ କରାଇଛନ୍ତି ତାକୁ ଅତୁଟ ରଖିବାକୁ ସାଂସଦମାନଙ୍କ ଦାୟିତ୍ୱବୋଧ ନେଇ ସଚେତନ ମଧ୍ୟ କରାଇ ଦେଇଛନ୍ତି ।
ନବୀନ ଚିଠିରେ ସାଂସଦମାନଙ୍କୁ ଲେଖିଛନ୍ତି, ଓଡ଼ିଶାବାସୀଙ୍କ ଆଶା, ଆକାଂଙ୍କ୍ଷା ପୂରଣ ସହ ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମର ନିରନ୍ତର ଉଦ୍ୟମକୁ ସମର୍ଥନ ଜଣାଇ ରାଜ୍ୟବାସୀ ଆମକୁ ୫ମ ଥର ସେବା କରିବାର ସୁଯୋଗ ଦେଇଛନ୍ତି । ଲୋକସଭାରେ ସର୍ବାଧିକ ଆସନରେ ବିଜୟୀ କରାଇଛନ୍ତି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆମର ଉତ୍ତରଦାୟିତ୍ୱ ସର୍ବାଧିକ । ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ସଂସଦରେ ଆପଣମାନେ ଆଗ୍ରହ ଓ ପ୍ରତିବଦ୍ଧତାର ସହ ଉଠାଇଛନ୍ତି । ଏହା ମୋତେ ଆନନ୍ଦ ଦେଇଛି ।
ଚିଠିରେ ନବୀନ ଦର୍ଶାଇଛନ୍ତି, ଗତ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଏକ ତୃତୀୟାଂଶ ଆସନରେ ପ୍ରାର୍ଥୀ କରିବାକୁ ଏକ ଦୃଢ଼ ରାଜନୈତିକ ନିଷ୍ପତ୍ତି ନେଇଥିଲେ । ରାଜ୍ୟବାସୀ ମଧ୍ୟ ଏହି ନିଷ୍ପତ୍ତିକୁ ବିପୁଳ ସମର୍ଥନ ଦେଇ ଆମ ପାଇଁ ଐତିହାସିକ ସଫଳତା ଆଣିଛନ୍ତି । ଆମ ମହିଳା ସାଂସଦମାନେ ସଂସଦରେ ସେମାନଙ୍କ ପ୍ରଥମ ପଦାର୍ପଣରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ବେଶ ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରିଥିବାରୁ ବିଜେଡି ସୁପ୍ରିମୋ ସନ୍ତୋଷ ପ୍ରକାଶ କରିଛନ୍ତି ।
ନବୀନ ଲେଖିଛନ୍ତି, ଏଥର ଲୋକସଭା ଓ ରାଜ୍ୟସଭାରେ ନବାଗତ ଓ ଅଭିଜ୍ଞ ସଦସ୍ୟମାନଙ୍କର ଏକ ସୁନ୍ଦର ସନ୍ତୁଳନ ରହିଛି । ଏହା ରାଜ୍ୟର ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ୱାର୍ଥ ସହ ରାଜ୍ୟର ସାମଗ୍ରୀକ କଲ୍ୟାଣ ଓ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସମାଧାନର ବାଟ ଖୋଜିବାରେ ବେଶ ଦକ୍ଷତାର ସହ କାର୍ଯ୍ୟ କରିପାରିବ । ଉଭୟ ଗୃହରେ ଦଳ ପକ୍ଷରୁ ଆପଣମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ଅବସ୍ଥାପିତ କରାଯାଇଛି । ଲୋକସଭା ଓ ରାଜ୍ୟସଭାର ବିଭିନ୍ନ ପଦ ପଦବିରେ ଆପଣମାନଙ୍କୁ ନିଯୁକ୍ତି ମିଳିଛି । ସାଂସଦ ତଥା ପଦାଧିକାରୀ ଭାବେ ଆପଣ କେତେ ନିଷ୍ଠାର ସହ ଦାୟିତ୍ୱସଂପନ୍ନ କରୁଛନ୍ତି, ନିଜ ଅଞ୍ଚଳ ଗସ୍ତ କରି ଲୋକମାନଙ୍କ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି ସେ ସଂପର୍କରେ ଅଗଷ୍ଟ ମାସରୁ ମୋତେ ଲିଖିତ ଆକାରରେ ଅବଗତ କରାଇବେ । ନିଜେ ନବୀନ ସାଂସଦମାନଙ୍କ ଲିଖିତ ରିପୋର୍ଟ କାର୍ଡକୁ ସମୀକ୍ଷା କରି ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେବେ । କିଭଳି କାମ କଲେ ରାଜ୍ୟର ସ୍ୱାର୍ଥ ଓ ରାଜ୍ୟବାସୀଙ୍କ କଲ୍ୟାଣ ନେଇ ମିଳିତ ଭାବେ କାମ କରିହେବ ସେ ନେଇ ମଧ୍ୟ ନବୀନ ନିଜ ମତ ରଖିବେ । ସାଂସଦ ଭାବେ ନିଷ୍ଠାର ସହ କାମ କରି ସଫଳ ହେବା ସହ ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବାକୁ ନବୀନ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, କ୍ରମାଗତ ୫ମ ପାଳି ରାଜ୍ୟର ଶାସନ ଡୋରି ଧରିବା ପରେ ନବୀନ ଭୋଟ ପ୍ରତିଶ୍ରୁତି ପାଳନ କରିବାକୁ ନିଷ୍ଠାର ସହ ୫ ‘ଟି’ ମନ୍ତ୍ରରେ କାମ କରିବାକୁ ଆହ୍ୱାନ ଦେଇଥିଲେ । ଏପରିକି ମନ୍ତ୍ରୀ ଓ ସଚିବମାନଙ୍କୁ ମାସିକିଆ ରିପୋର୍ଟ କାର୍ଡ ମାଗିଥିଲେ । ଜୁନ ମାସର କାର୍ଯ୍ୟାବଳୀ ନେଇ ଜୁଲାଇ ପ୍ରଥମ ସପ୍ତାହରେ ମନ୍ତ୍ରୀ ଓ ସଚିବମାନେ ନିଜ ରିପୋର୍ଟ କାର୍ଡ ଦାଖଲ କରିଥିଲେ । ନବୀନ ମନ୍ତ୍ରୀମାନଙ୍କୁ ତିନି ଦିନ ତଳେ ମନ୍ତ୍ରୀ ପରିଷଦ ବୈଠକରେ ମନ୍ତ୍ର ଫୁଙ୍କିଛନ୍ତି, ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦିଅ । ସେମାନଙ୍କ ସମସ୍ୟାକୁ ପାଖରୁ ଦେଖ ଏବଂ ତୁରନ୍ତ ସମାଧାନ କର । ଏଥିପାଇଁ ଅଧିକରୁ ଅଧିକ ବିଭିନ୍ନ ଅଞ୍ଚଳ ଗସ୍ତ କର । ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସୁବିଧା ସୁଯୋଗ ସେମାନେ ପାଉଛନ୍ତି ନା ନାହିଁ ତାହା ନିଜେ ପଚାରି ବୁଝିବା ସହ ସରକାରୀ ଅଫିସ ଅଚାନକ ଗସ୍ତ କର । ସେହିଭଳି ମୁଖ୍ୟମନ୍ତ୍ରୀ ଦଳର ବିଧାୟକମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ସଶକ୍ତ ଓଡ଼ିଶା ଗଠନ ପାଇଁ କ୍ଷମତା ମୋହରେ ଅହଂକାର କି ଆତ୍ମବଡ଼ିମା ଦେଖାଅନିି । ସରଳ ଓ ନମ୍ର ହୁଅ । ଦଳୀୟ ରାଜନୀତିରୁ ଉଧ୍ୱର୍କୁ ଯାଇ ଜନସାଧାରଣଙ୍କ ସେବା କର । ଦେଇଥିବା ପ୍ରତିଶ୍ରୁତିକୁ ପାଳନ କର । ଦୁର୍ନୀତିଠାରୁ ଦୂରେଇ ରହି ଦଳୀୟ ବାଛବିଚାର ଛାଡ଼ି ନିଷ୍ଠାର ସହ ଲୋକଙ୍କ କାମ କରି ଚାଲ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons