ରିଆଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଉଦି ଆରବରେ ‘ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ ଫୋରମ’କୁ ସମ୍ବୋଧିତ କରିଛନ୍ତି। ଏଥିରେ ନିବେଶ ଅଭିବୃଦ୍ଧି ଓ ବିକାଶ ଲାଗି ୫ଟି ଟ୍ରେଣ୍ଡ ଟେକ୍ନୋଲଜି, ଇନୋଭେସନ, ଇନଫ୍ରାଷ୍ଟ୍ରକ୍ଚର, ହ୍ୟୁମାନ ରିସୋର୍ସ, ପରିବେଶ ଓ ବିଜନେସ ଫ୍ରେଣ୍ଡଲୀ ଗଭର୍ଣ୍ଣାନ୍ସକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ସବୁ ଦୃଷ୍ଟିରୁ ଭାରତ ଏବେ ନିବେଶ ଲାଗି ବିଶ୍ୱର ଅଦ୍ୱିତୀୟ ରାଷ୍ଟ୍ର ବୋଲି କହିଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ ଫୋରମକୁ ‘ଦାଭୋସ ଅଫ ଦି ଡେଜର୍ଟ’ ବୋଲି କହିଛନ୍ତି। ସାଉଦିଆରବ ଲୋକଙ୍କ ପରିଶ୍ରମ ମରୁଭୂମିର ବାଲିକୁ ଆଜି ସୁନା କରିଦେଇଛି। ଏଥିଲାଗି ପ୍ରଧାନମନ୍ତ୍ରୀ କ୍ରାଉନ ପ୍ରିନ୍ସଙ୍କୁ ବଧାଇ ଜଣାଇଥିବା ବେଳେ ଭାରତ ପଡୋଶୀ ଦେଶ ହୋଇଥିବାରୁ ନିଜକୁ ଗର୍ବିତ ମନେ କରୁଥିବା ମୋଦି କହିଥିଲେ।
ଫୋରମକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ୨୦୨୨ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଥିବା ସୂଚିତ କରିଥିଲେ। ଏଥିଲାଗି ଭାରତ ନ୍ୟୁ ଇଣ୍ଡିଆର ପରିକଳ୍ପନା କରିଥିବା ପ୍ରଧାନମନ୍ତ୍ରୀ ଫୋରମକୁ ସୂଚନା ଦେବା ସହ ନୂଆ ଭାରତ ଶକ୍ତି ଓ ସାମର୍ଥ୍ୟର କେନ୍ଦ୍ରସ୍ଥଳ ହେବ ବୋଲି କହିଥିଲେ। ଭାରତର ବିଶ୍ୱ କଲ୍ୟାଣ ଯାତ୍ରାରେ ଯୋଗଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।
Comments are closed, but trackbacks and pingbacks are open.