ନୂଆଦିଲ୍ଲୀ: ଇଣ୍ଟରନେଟ ହେଉଛି ସମ୍ବିଧାନର ଧାରା ୧୯ ଅନ୍ତର୍ଗତ ଲୋକଙ୍କର ଏକ ମୌଳିକ ଅଧିକାର । ଅର୍ଥାତ ଏହା ଜୀଇଁବାର ଅଧିକାର ଭଳି । ତେଣୁ ଇଣ୍ଟରନେଟ ସେବାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇପାରିବ ନାହିଁ । କାଶ୍ମୀରରେ ଗତ ୫ ମାସ ୪ ଦିନ ହେଲା ବନ୍ଦଥିବା ଇଣ୍ଟରନେଟ ସେବା ଓ ୧୪୪ ଧାରା ଜାରିକୁ ଚାଲେଞ୍ଜ କରି ଆଗତ ପିଟିସନର ଶୁଣାଣି କରିବା ଅବସରରେ ଶୁକ୍ରବାର ସୁପି୍ରମକୋର୍ଟ ଏହା କହିଛନ୍ତି ।
ବିଚାରପତି ଏନ୍.ଭି. ରମନା, ସୁଭାଷ ରେଡ୍ଡୀ ଏବଂ ବି.ଆର ଗବାଇଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ କଟକଣାର ସମୀକ୍ଷା ୭ ଦିନ ଭିତରେ କରିବାକୁ ଜମ୍ମୁ-କାଶ୍ମୀର ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ସବୁ କଟକଣାକୁ ସାର୍ବଜନୀନ କରିବାକୁ କୋର୍ଟ କହିଛନ୍ତି । ଯାହାଫଳରେ ପରବର୍ତ୍ତୀ ସମୟରେ ଯଦି ଜଣେ ସାଧାରଣ ନାଗରିକ ଚାହିଁବେ ତାକୁ କୋର୍ଟରେ ଚାଲେଞ୍ଜ କରିପାରିବେ । ଏହା ସହ ବ୍ୟାଙ୍କ, ହସ୍ପିଟାଲ, ଶିକ୍ଷାନୁÂାନ ଭଳି ଜରୁରୀକାଳିନ ସେବା ଯୋଗାଉଥିବା ଅନୁÂାନର ଇଣ୍ଟରନେଟ ସେବାକୁ ତୁରନ୍ତ ସକ୍ରିୟ କରିବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ରାୟ ଶୁଣାଇବା ପୂର୍ବରୁ ଜଷ୍ଟିସ୍ ରମନା ୧୮୮୯ରେ ଔପନ୍ୟାସିକ ଚାର୍ଲସ ଡିକେନ୍ସଙ୍କ ଲିଖିତ ପ୍ରସିଦ୍ଧ ଉପନ୍ୟାସ ‘ଏ ଟେଲ୍ ଅଫ୍ ଟୁ ସିଟିଜ୍’ର ପ୍ରଥମ ପାରାର ଅବତାରଣା ମଧ୍ୟ କରିଥିଲେ ।
କୋର୍ଟ କହିଛନ୍ତି ଯେ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ଓ ଭିନ୍ନ ବିଚାରାଧାରାକୁ ଦବାଇବା ଉଦେ୍ଧଶ୍ୟରେ ଧାରା ୧୪୪ ବ୍ୟବହାର କରାଯାଇପାରିବ ନାହିଁ । ହିଂସାକୁ ଉସୁକାଇବା ଭଳି ପରିସ୍ଥିତି କିମ୍ବା ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହେବାର ଆଶଙ୍କାରେ ୧୪୪ ଧାରା ଲଗାଯିବା ଉଚିତ । କିନ୍ତୁ ଅସହମତି ଆଧାରରେ ଏହାକୁ ଲାଗୁ କରାଯାଇପାରିବ ନାହିଁ । ଲୋକମାନଙ୍କୁ ଅସହମତି ପ୍ରକାଶ କରିବାର ଅଧିକାର ରହିଛି । କାଶ୍ମୀରର ପ୍ରତ୍ୟେକ ନାଗରିକଙ୍କୁ ସର୍ବୋଚ୍ଚ ସୁରକ୍ଷା ଓ ସର୍ବୋଚ୍ଚ ସ୍ୱାଧୀନତା ମିଳିବା ଦରକାର । କାଶ୍ମୀର ହିଂସାର ଦୀର୍ଘ ଇତିହାସ ଦେଖିଛି । ଆମେ କାଶ୍ମୀରର ସୁରକ୍ଷା ସହିତ ମାନବାଧିକାର ଓ ସ୍ୱାଧୀନତା ଭିତରେ ସନ୍ତୁଳନ ରଖିବାକୁ ଚେଷ୍ଟା କରିବୁ । ବାକ୍ ସ୍ୱାଧୀନତା ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଜରୁରୀ ଅଂଶ । ଗଣମାଧ୍ୟମର ସ୍ୱାଧୀନତା ବହୁମୂଲ୍ୟ ଓ ଅତୁଟ ଅଧିକାର ଅଟେ । କାଶ୍ମୀରରେ ଇଣ୍ଟରନେଟ ଓ ଯୋଗାଯୋଗ ଉପରେ କଟକଣା ଯୋଗୁ ପ୍ରେସ୍ର ସ୍ୱାଧୀନତା ଉପରେ ପ୍ରଭାବ ପଡୁଛି । କୋର୍ଟଙ୍କ ଦାୟିତ୍ୱ ହେଉଛି ଦେଶର ସବୁ ନାଗରିକଙ୍କୁ ସମାନ ଅଧିକାର ଓ ସୁରକ୍ଷା ସ୍ଥିର କରିବା । କିନ୍ତୁ ଲାଗୁଛି ଯେ ସ୍ୱାଧୀନତା ଓ ସୁରକ୍ଷା ପ୍ରସଙ୍ଗରେ ସବୁବେଳେ ବିବାଦ ରହିବ ।
ଉଲ୍ଲେଖଯୋଗ୍ୟ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ସଂକ୍ରାନ୍ତ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏଥିସହିତ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ (ଜମ୍ମୁ-କାଶ୍ମୀର ଓ ଲଦାଖ)ରେ ପରିଣତ କରିଥିଲେ । ତେଣୁ ସେଠାକାର ସ୍ଥିତିକୁ ନିୟନ୍ତ୍ରିତ ରଖିବା ପାଇଁ ଏହାର ଦିନକ ପୂର୍ବରୁ ଅର୍ଥାତ ଅଗଷ୍ଟ ୪ ତାରିଖରୁ ସେଠାରେ ଇଣ୍ଟରନେଟ ସେବା ଉପରେ ରୋକ ଲଗାଯିବା ସହ ୧୪୪ ଧାରା ଲାଗୁ କରାଯାଇଥିଲା । ସେହିଭଳି ଆହୁରି କେତେକ କଟକଣା ମଧ୍ୟ ଲଗାଯାଇଥିଲା । ଏହି କଟକଣାକୁ ଚାଲେଞ୍ଜ କରି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ଓ କାଶ୍ମୀର ଟାଇମ୍ସର ସମ୍ପାଦକ ଅନୁରାଧା ଭସିନ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ । ଆଜାଦ ଦର୍ଶାଇଥିଲେ ଯେ କଟକଣା ଯୋଗୁ ଜମ୍ମୁ-କାଶ୍ମୀର ନାଗରିକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି । ରାଜ୍ୟର ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ସହ ଅର୍ଥ ବ୍ୟବସ୍ଥା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ଭସିନ ତାଙ୍କ ପିଟିସନରେ ଦର୍ଶାଇଥିଲେ କି କଟକଣା ଯୋଗୁ ପ୍ରେସ ସ୍ୱାଧୀନତାର ଉଲ୍ଲଂଘନ କରାଯାଇଛି ।
ଗତବର୍ଷ ନଭେମ୍ବର ୨୭ ତାରିଖରେ ଏହି ପିଟିସନର ଶୁଣାଣି କରି ସୁପି୍ରମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ସୁରକ୍ଷା ଏବଂ ଶାନ୍ତି ଦୃଷ୍ଟିରୁ କଟକଣା ଲାଗୁ କରିବାର ଆବଶ୍ୟକ ରହିଥିବା କୋର୍ଟ ସେତେବେଳେ ମତ ଦେଇଥିଲେ । ଜମ୍ମୁ-କାଶ୍ମୀରରେ ଦୀର୍ଘଦିନ ଧରି ଇଣ୍ଟରନେଟ ସେବା ଉପରେ ରୋକ ଲଗାଇବା ଓ କଟକଣା ଜାରି ରହିବାକୁ ନେଇ ସଂସଦରେ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଛି । ପରିସ୍ଥିତି ସ୍ୱାଭାବିକ ହେବା ପରେ ଇଣ୍ଟରନେଟ ସେବା ପୁଣି ସକ୍ରିୟ ହେବ ।
Comments are closed, but trackbacks and pingbacks are open.