ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ ମୃତ

Get real time updates directly on you device, subscribe now.

କଣିହାଁ,(ବି.ବି.ନୁ୍ୟଜ୍): କଣିହାଁ ବ୍ଲକ୍ ତଥା ସମଲ ଥାନା ଶିପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇର ଶୋଚନୀୟ ମୃତୁ୍ୟ ହୋଇଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ ରକ୍ତଭିଜା କପଡ଼ା ପୁଲିସ ଜବତ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶିପୁର ଗ୍ରାମର ଦୁଃଖବନ୍ଧୁ ବାରିକଙ୍କ ଦୁଇ ପୁଅ ନିରଞ୍ଜନ (୨୧) ଓ ରଞ୍ଜନ (୨୩)ଙ୍କ ମଧ୍ୟରେ ଗତରାତିରେ ପାରିବାରିକ ଆର୍ଥିକ ସମସ୍ୟାକୁ ନେଇ ଯୁକ୍ତିିତର୍କ ହୋଇଥିଲା । ପରେ ପରିବାର ଲୋକ ଖାଇପାଇ ଶୋଇପଡ଼ିଥିଲେ ହେଁ ସାନଭାଇ ରଞ୍ଜନ ମନରୁ ରାଗ ଖସି ନ ଥିଲା । ବଡ଼ଭାଇ ରଞ୍ଜନ ଘର ବାରଣ୍ଡାରେ ଶୋଇଥିବା ବେଳେ ରାତି ପ୍ରାୟ ୧୨ଟା ବେଳେ ଏକ ଟାଙ୍ଗିଆରେ ବେକ ଓ କାନମୂଳକୁ ଚୋଟ ପକାଇଥିଲା ନିରଞ୍ଜନ । ସେହିଠାରେ ହିଁ ରକ୍ତସ୍ରାବ ହୋଇ ରଞ୍ଜନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ସେତିକିବେଳେ ଶୌଚ ହେବାକୁ ଉଠିଥିବା ରଞ୍ଜନଙ୍କ ମା’ ପୁଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ପାଇ ପରିବାର ଲୋକଙ୍କୁ ଡାକ ପକାଇଥିଲେ । ମୃତ ରଞ୍ଜନ ଦୁଇ ବର୍ଷ ପୂର୍ବେ ତାଳଚେର ଅଞ୍ଚଳ ସନ୍ଥପଡ଼ାରେ ବିବାହ କରିଥିଲେ । ଖବରପାଇ ଭୋର୍ ୪ଟା ବେଳେ ସମଲ ଥାନା ଅଧିକାରିଣୀ ଚାରୁଲତା ବେହେରା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ । ଅଭିଯୁକ୍ତ ନିରଞ୍ଜନ ପୁଲିସକୁ ପାଖକୁ ଯାଇ ଆତ୍ମସମର୍ପଣ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲା । ଆଜି ସକାଳେ ପାଳଲହଡ଼ା ଏସ୍ଡିପିଓ ଯଶୋବନ୍ତ ସାମଲ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଚଳାଇଥିଲେ । ପୁଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣା ସମ୍ପର୍କରେ ଅଭିଯୁକ୍ତକୁ ପୁଲିସ ପଚରାଉଚରା ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons