ସାପ କାମୁଡ଼ାରେ ମାଆ, ପୁଅ ସମେତ ୩ ମୃତ

Get real time updates directly on you device, subscribe now.

କବିସୂର୍ଯ୍ୟନଗର,(ବି.ବି.ନୁ୍ୟଜ୍): ସାପ କାମୁଡ଼ାରେ ଗୋଟିଏ ଦିନରେ ତିନି ମୃତ । ଗଞ୍ଜାମ ଜିଲାର କୋଦଳା ଏନ୍ଏସି ଅନ୍ତର୍ଗତ ବି. ନୂଆପଲ୍ଲୀରେ ମାଆ ଓ ପୁଅ ଏବଂ କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ଏ. ବରିଡ଼ା ଗ୍ରାମରେ ଜଣେ ଯୁବକଙ୍କ ସାପ କାମୁଡ଼ାେରେ ପ୍ରାଣ ହରାଇଛନ୍ତି । ମୃତକ ହେଲେ କୋଦଳା ଏନ୍ଏସି ଅନ୍ତର୍ଗତ ବି. ନୂଆପଲ୍ଲୀ ଗ୍ରାମର ମାଆ ମନାସ ପରିଡ଼ା(୩୦) ଓ ପୁଅ ଆଶିଷ ପରିଡ଼ା(୬) ଏବଂ କବିସୂର୍ଯ୍ୟନଗର ଏ. ବରିଡ଼ା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ(୩୦) ।
କୋଦଳା ଏନ୍ଏସି ବି. ନୂଆପଲ୍ଲୀରେ ଗତକାଲି ରାତିରେ ମାଆ ଓ ପୁଅ ଘରେ ଶୋଇଥିବା ସମୟରେ ସାପ କାମୁଡ଼ିଥିଲା । ମନାସଙ୍କ ସ୍ୱାମୀ କାଳୁ ପରିଡ଼ା ଉଭୟଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଡାକ୍ତରଖାନା ନେଇଥିଲେ । ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି । ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମନାସଙ୍କ ୧୨ ବର୍ଷର ପୁଅ କ୍ରିଶ୍ ଏବେ ମାଆ ଛେଉଣ୍ଡ ହୋଇଛି ।
ସେହିପରି ଏ. ବରିଡ଼ାର କୃଷ୍ଣ ଚନ୍ଦ୍ର ସାହୁ ଗତକାଲି ରାତିରେ ଖାଇପିଇ ଘରେ ଶୋଇଥିବା ବେଳେ ବିଷଧର ସାପ କାମୁଡ଼ିଥିଲା । କୌଣସି ସମୟରେ ଏକ ଚିଟି ସାପ ତାଙ୍କ ଶେଯତଳେ ଥାଇ ତାଙ୍କୁ କାମୁଡ଼ିଥିଲା । ସେ ଶୋଇଥିବା ଅବସ୍ଥାରେ କଡେ଼ଇ ପଡ଼ିବାରୁ ସାପ ଚାପି ହୋଇ ମରିଯାଇଥିଲା । ରାତି ୧୧ଟାରେ ସେ ଚାଲି ଚାଲି ଅଧା କିମି ରାସ୍ତା ଯିବା ପରେ ଅଟୋ ଯୋଗେ ଆସିକା ଡାକ୍ତରଖାନାରେ ପହଞ୍ଚିଥିଲେ । ପରେ ଭୋର୍ ୪ଟାରେ ପରିବାର ଲୋକ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୬ଟାରେ ମୃତୁ୍ୟ ହୋଇଛି । ବାପା କବି ସାହୁଙ୍କ ଯମଜ ସନ୍ତାନ କୃ୍ଷ୍ଣ ଓ ନବଘନ । ସକାଳେ ଶେଯରେ ଚିଟି ସାପ ମରି ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ସକ୍ରାର ହୋଇଛି । ଗରିବ ପରିବାର ହୋଇଥିବାରୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଗଞ୍ଜାମ ଜିଲାରେ ସାପ କାମୁଡ଼ରେ ମୃତୁ୍ୟ ଘଟଣା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ଏବେ ବର୍ଷା ଦିନେ ସାପ ବାହାରକୁ ଆସିଛନ୍ତି । ଗ୍ରାମାଞ୍ଚଳର ଘରଗୁଡ଼ିକର ଦ୍ୱାର ସ୍ଥିତି ସେତେଟା ଭଲ ନୁହେଁ । କବାଟ ଫାଙ୍କରେ ରାତିରେ ସାପ ପଶୁଥିବା ଅନୁମାନ ହେଉଛି । ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯଥେଷ୍ଟ ପରିମାଣ ଆଣ୍ଟିସ୍ନେକ୍ ଭେନମ୍(ଏଏସ୍ଭି) ମହଜୁଦ୍ ରହିଛି । କିନ୍ତୁ ସାପ କାମୁଡ଼ିବା ପରେ ରୋଗୀକୁ ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତର କରାଯାଉନି । ଝଡ଼ାଫୁଙ୍କା ବା ଚେରିମୂଳି ଉପଯୋଗ କରୁଛନ୍ତି ପରିବାର ଲୋକ । ରୋଗୀ ସଙ୍କଟାପନ୍ନ ହେବା ପରେ ଡାକ୍ତରଖାନା ଆଣୁଛନ୍ତି । ସେତେବେଳେକୁ ଚିକିତ୍ସା ବିଳମ୍ବ ହୋଇସାରିଛି । ଏଣୁ କାଳକ୍ଷେପଣ ନକରି ରୋଗୀକୁ ଡାକ୍ତରଖାନା ଆଣିଲେ ଜୀବନ ବଞ୍ଚିବାରେ କୌଣସି ଅସୁବିଧା ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons