ଭୁବନେଶ୍ୱର : କରୋନା ସର୍ତକତା ରକ୍ଷା କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀକୁ ନିରାଡ଼ମ୍ବର ଭାବେ ପାଳନ କରିଛି ବିଜୁ ଜନତା ଦଳ । ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ସାମାଜିକ ଦୂରତା ରକ୍ଷା କରି ବିଜୁ ବାବୁଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ତଥା ବିଜୁ ବାବୁଙ୍କ ପୁତ୍ର ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ କରି ବିଜୁ ବାବୁଙ୍କୁ ମନେପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନବୀନ କହିଛନ୍ତି, ବିଜୁ ବାବୁ ସବୁବେଳେ ଲୋକଙ୍କ ସହ ରହୁଥିଲେ । ଲୋକଙ୍କ ଉନ୍ନତି ପାଇଁ ସେ ସବୁବେଳେ କାମ କରୁଥିଲେ । ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ କାମ କରିବା ହିଁ ବିଜୁ ବାବୁଙ୍କ ଜୀବନର ମନ୍ତ୍ର ଥିଲା । ଓଡ଼ିଶାର ବରପୁତ୍ର ସେଇ ପୁଣ୍ୟାତ୍ମା ତଥା ଜନନାୟକଙ୍କୁ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।
ବିଜେଡି କାର୍ୟ୍ୟାଳୟରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି ।
ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଯୁବ କଲ୍ୟାଣ ବୋର୍ଡର କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପାତ୍ର ପ୍ରମୁଖ ବିଜୁ ବାବୁଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଏହି ଅବସରରେ ଶ୍ରୀ ଦାସବର୍ମା କହିଲେ, ବିଜୁ ବାବୁ ଜଣେ ସାହସୀ, ସ୍ୱାଭିମାନୀ, ଯୁଗ ସ୍ରଷ୍ଟା ତଥା ପ୍ରଚଣ୍ଡ ଦୂରଦୃଷ୍ଟି ସମ୍ପନ୍ନ ଜନନାୟକ ଥିଲେ । ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କ ଅବଦାନ ଅତୁଳନୀୟ । ଓଡ଼ିଶାକୁ ସମୃଦ୍ଧଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସେ ଜୀବନବ୍ୟାପୀ ଉଦ୍ୟମ ଚଳାଇଥିଲେ । ମୃତ୍ୟୁ ପରେ ବି ଓଡ଼ିଆଙ୍କ ମାନସପଟରେ ସେ ଅମର ଓ ଚିର ପୂଜନୀୟ ।
ସେ କହିଥିଲେ, କରୋନା ମହାମାରୀ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଦଳୀୟ କର୍ମୀ, ନେତୃମଣ୍ଡଳୀ ତଥା ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷକରି ‘ଜୀବନ ବିନ୍ଦୁ’ ରକ୍ତଦାନ କାର୍ୟ୍ୟକ୍ରମକୁ ଏଭଳି ଏକ ସଙ୍କଟ ସମୟରେ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ମାଲ୍ୟାର୍ପଣରୁ ବକ୍ତବ୍ୟ ପର୍ୟ୍ୟନ୍ତ ସବୁଥିରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା ।
Comments are closed, but trackbacks and pingbacks are open.