‘ସାରଥି ନିଜେ ମାନିଥିଲା, ତା’ର କିଛି ଅଲୌକିକତା ନାହିଁ’

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ସାରଥି ବାବା ଓରଫ ସନ୍ତୋଷ ରାଉଳ ପାଖରେ କୌଣସି ପ୍ରକାରର ଅଲୌକିକତା ବା ବିଶେଷ କ୍ଷମତା କେବେ ବି ନଥିଲା । ଏପରିକି କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ସିମେଣ୍ଟ ଗାଈ କ୍ଷୀର ଦେବା କଥା ବି ପୂରା ମନଗଢ଼ା ଥିଲା । ଏକଥା ଖୋଦ୍ ସାରଥି ଓରଫ ସନ୍ତୋଷ ତଦନ୍ତ ବେଳେ ସ୍ୱୀକାର କରିଥିଲା । -ସାରଥି ମାମଲାର ତଦନ୍ତ ପ୍ରକ୍ରିୟା ତଦାରଖ କରୁଥିବା କ୍ରାଇମ୍ବ୍ରାଞ୍ଚ୍ ଆଇଜି ଅରୁଣ ବୋଥ୍ରାଙ୍କ ଏକ ଟ୍ୱିଟ୍ରୁ ମିଳିଛି ଏଭଳି ରୋଚକ ତଥ୍ୟ ।
ଶ୍ରୀ ବୋଥ୍ରାଙ୍କ ଟ୍ୱିଟ୍ରୁ ସୂଚନା ମିଳୁଛି କି’ ସାରଥି ତାଙ୍କ ଆଗରେ ମାନିଯାଇଥିଲା, ତାର କୌଣସି ଅଲୌକିକ କ୍ଷମତା ନାହିଁ ବୋଲି । ଭକ୍ତମାନେ ହିଁ ସିମେଣ୍ଟ୍ ଗାଈ କ୍ଷୀର ଦେବା ଓ ସେମିତିକା ଅତିରଂଜିତ କଥାମାନ ପ୍ରଚାର ଚଳାଇଥିଲେ । କିନ୍ତୁ ଏସବୁ ମିଛ ବୋଲି ଜାଣି ସୁଦ୍ଧା ସାରଥି କେବେ ଏସବୁକୁ ଖଣ୍ଡନ କରୁନଥିଲା । ଜାଣିଶୁଣି ମିଛକୁ ପ୍ରଶ୍ରୟ ଦେଇ ନିଜ ପ୍ରଚାର କରି ଚାଲିଥିଲା । ଆତ୍ମଘୋଷିତ ବାବା ସାରଥି ଗିରଫ ହେବାର ପ୍ରାୟ ସାଢେ଼ ଚାରି ବର୍ଷ ପରେ ଆଇପିଏସ୍ ଅଫିସର୍ ଶ୍ରୀ ବୋଥ୍ରାଙ୍କ ଟ୍ୱିଟ୍ରୁ ମିଳୁଥିବା ଏଭଳି ସୂଚନା, ଆମ ସମାଜରେ ଧର୍ମବିଶ୍ୱାସ ନାଁରେ ଚାଲିଥିବା ଭାଣ୍ଡାମି ପ୍ରସଂଗକୁ ପୁଣି ଥରେ ତାଜା କରିଦେଇଛି ।
ସାରଥିଙ୍କୁ ନେଇ ଶ୍ରୀ ବୋଥ୍ରା ଆହୁରି ଅନେକ ରୋଚକ କଥା ଟ୍ୱିଟର୍ରେ ଉଲ୍ଲେଖ କରିଛନ୍ତି । ଶ୍ରୀ ବୋଥ୍ରାଙ୍କ ଟ୍ୱିଟ୍ ଅନୁସାରେ, ଯେତେବେଳେ କ୍ରାଇମ୍ବ୍ରାଞ୍ଚ୍ ଟିମ୍ କଟକରୁ ବାରିମୂଳ ଆଶ୍ରମକୁ ଯାଉଥିଲା ସେହି ସମୟରେ କ୍ରାଇମ୍ବ୍ରାଞ୍ଚ୍ର ଜଣେ କର୍ମଚାରୀ ବୋଥ୍ରାଙ୍କୁ ସତର୍କ କରାଇ ଦେଇଥିଲେ । ସାରଥିଙ୍କ ପାଖରେ କିଛି ଅଲୌକିକ କ୍ଷମତା ଅଛି, ଯାହା ବଳରେ ସେ କାହାରିକୁ ବି ଭସ୍ମ କରିଦେଇ ପାରିବେ ବୋଲି ଉକ୍ତ କର୍ମଚାରୀ ତାଙ୍କୁ କହିଥିଲେ । ଏହା ଶୁଣି ସେ ସେତେବେଳେ ସାମାନ୍ୟ ହସିଥିଲେ । ସାରଥିଙ୍କୁ ଏକଥା ସିଧାସଳଖ ପଚାରିବେ ବୋଲି ସ୍ଥିର ମଧ୍ୟ କରିଥିଲେ । ଆଶ୍ରମରୁ ସାରଥିଙ୍କୁ ଧରିଆଣି କ୍ରାଇମ୍ବ୍ରାଞ୍ଚ୍ରେ ଜେରା କଲାବେଳେ ଏହି ପ୍ରସଙ୍ଗକୁ ଶ୍ରୀ ବୋଥ୍ରା ସାରଥିଙ୍କ ଆଗରେ ରଖିଥିଲେ । ପଚାରିଥିଲେ, ଆପଣଙ୍କର କିଛି ‘ମ୍ୟାଜିକାଲ୍ ପାୱାର୍’ ଅଛି କି? ଏହାର ଉତ୍ତରରେ ସାରଥି କହିଥିଲେ, ଭକ୍ତମାନେ ଖୋଲାଖୋଲି ଭାବେ କହି ବୁଲିଲେ ମୋ’ ଦ୍ୱାରା ଚମକ୍ରାର ହେଉଛି । ମୋତେ ଏକ ଅବତାର ବୋଲି ଘୋଷଣା କଲେ । ମୁଁ ଜାଣିଥିଲି, ଏସବୁ ମିଛ । କିନ୍ତୁ ସର୍ବସାଧାରଣରେ ଏହା ମିଛ ବୋଲି କହିପାରିନଥିଲି ।
ଅର୍ଥାତ୍ ସାରଥିଙ୍କ ପାଖରେ କୌଣସି ଅଲୌକିକ କ୍ଷମତା ନଥାଇ ମଧ୍ୟ ସେ ସାଧାରଣ ଲୋକଙ୍କ ବିଶ୍ୱାସ ସହିତ ଖେଳି ଚାଲିଥିଲେ । ହଜାର ହଜାର ଲୋକଙ୍କୁ ମିଛ ଆଶା ଦେଖାଇ ଭଣ୍ଡାଇ ଚାଲିଥିଲେ । ଆଶ୍ରମରେ ଥିବା ସିମେଣ୍ଟ ଗାଈ କ୍ଷୀର ଦେବା କଥା ନେଇ ମଧ୍ୟ ଶ୍ରୀ ବୋଥ୍ରା ସାରଥିଙ୍କୁ ପ୍ରଶ୍ନ କରିଥିଲେ । ସାରଥି ଏହାର ଉତ୍ତର ଦେଇ କହିଥିଲେ, ସିମେଣ୍ଟ ଗାଈରୁ କ୍ଷୀର ବାହାରୁଛି ବୋଲି ଜଣେ ଶ୍ରଦ୍ଧାଳୁ ଚାରିଆଡେ଼ ପ୍ରଚାର କରିବାକୁ ଲାଗିଲେ । ଏ କଥା ଶୁଣି ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ସାରଥି ସେ ସମୟରେ ଶ୍ରୀ ବୋଥ୍ରାଙ୍କୁ କହିଥିବା ଟ୍ୱିଟର୍ରେ ଉଲ୍ଲେଖ ରହିଛି । କିଛି ଟ୍ୱିଟର୍ ବ୍ୟବହାରକାରୀ ଏହି ଘଟଣା ନେଇ ଶ୍ରୀ ବୋଥ୍ରାଙ୍କୁ ପ୍ରଶ୍ନ କରିଛନ୍ତି କି’ ଜେରା ବେଳେ ସାରଥିଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିଲା କି ନାହିଁ? ସେହିପରି ଏବେ ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ କଥାକୁ ସର୍ବସାଧାରଣରେ କାହିଁକି ରଖିଲେ ବୋଲି କିଛି ଲୋକ ଶ୍ରୀ ବୋଥ୍ରାଙ୍କୁ ପଚାରିଛନ୍ତି । ଏହାର ଉତ୍ତରରେ ଶ୍ରୀ ବୋଥ୍ରା କହିଛନ୍ତି କି, ଜେରା ବେଳେ ସାରଥିଙ୍କୁ କୌଣସି ପ୍ରକାର ଥାର୍ଡ ଡିଗ୍ରୀ ଦିଆଯାଇନି । ତେବେ ଯେଉଁ ସବୁ ବିଷୟ ସେ ଟ୍ୱିଟର୍ ଯୋଗେ ସର୍ବସାଧାରଣଙ୍କୁ ଅବଗତ କରାଇଛନ୍ତି ତାହା ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons