ନୂଆଦିଲ୍ଲୀ: କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ବୃଦ୍ଧି ପାଉଥିବାରୁ ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁରା ଦେଶରେ ଲକ୍ଡାଉନ୍ (ତାଲାବନ୍ଦ) ଘୋଷଣା କରିଛନ୍ତି । ମଙ୍ଗଳବାର ମଧ୍ୟରାତ୍ର ୧୨ଟାରୁ ସମଗ୍ର ଭାରତରେ ଲକ୍ଡାଉନ କାର୍ଯ୍ୟକାରୀ ହୋଇଛି । ୩ ସପ୍ତାହ ଅର୍ଥାତ ୨୧ ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏହି ଲକ୍ଡାଉନ୍ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫୁ୍ୟରେ ଆମେ ଯେଉଁ ସଙ୍କଳ୍ପ ନେଇଥିଲେ ସେଥିରେ ପ୍ରତ୍ୟେକ ଭାରତୀୟ ନିଜକୁ ସାମିଲ କରିଥିଲେ । ଗୋଟିଏ ଦିନରେ ଭାରତ ଦେଖାଇଦେଇଥିଲା ଯେ ଦେଶ ଉପରେ ଯଦି ସଙ୍କଟ ଆସେ, ମାନବତା ଉପରେ ଯଦି ସଙ୍କଟ ଆସେ ତେବେ କିଭଳି ଭାବେ ଆମେ ଏକାଠି ହୋଇ ତାର ମୁକାବିଲା କରିପାରିବୁ । କରୋନା ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ଅନେକ ଦେଶ ଏହା ନିକଟରେ ଅସହାୟ ହୋଇପଡିଛନ୍ତି । କିଛି ଲୋକଙ୍କ ଭୁଲ ଧାରଣା ଓ ଅବହେଳା ଯୋଗୁ ଆପଣ, ଆପଣଙ୍କ ପିଲା, ପିତାମାତା, ପରିବାର, ବନ୍ଧୁ ଏପରିକି ପୁରା ଦେଶକୁ ବହୁତ ବଡ ବିପଦରେ ପକାଇଦେବ । କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ଏକମାତ୍ର ବିକଳ୍ପ । ତେଣୁ ଆମେ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ । ଏହା ଫଳରେ କରୋନାର ସଂକ୍ରମଣ ଚକ୍ରକୁ ଆମେ ଭାଙ୍ଗି ପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଜନସାଧାରଣଙ୍କୁ ଅପିଲ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆପଣମାନେ ଯିଏ ଯେଉଁଠାରେ ଅଛନ୍ତି ସେହିଠାରେ ରହିଥାନ୍ତୁ । ଗତ ଦୁଇଦିନ ଭିତରେ ଦେଶର ଅନେକ ରାଜ୍ୟରେ ଲକ୍ଡାଉନ ହୋଇଯାଇଛି । ରାଜ୍ୟ ସରକାରମାନେ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ନେବା ମଧ୍ୟ ଉଚିତ । ମଙ୍ଗଳବାର ରାତି ୧୨ଟାରୁ ସମଗ୍ର ଦେଶରେ ଲକ୍ଡାଉନ ଲାଗୁ ହେଉଛି । ହିନ୍ଦୁସ୍ତାନକୁ ବଞ୍ଚାଇବା ପାଇଁ, ହିନ୍ଦୁସ୍ତାନର ପ୍ରତ୍ୟେକ ନାଗରିକଙ୍କୁ ବଞ୍ଚାଇବା ପାଇଁ ଆଜି ରାତି ୧୨ଟାରୁ ଘର ଭିତରୁ ବାହାରକୁ ବାହାରିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଉଛି । ଦେଶର ସବୁ ରାଜ୍ୟ, ଜିଲ୍ଲା, ସହର, ଗାଁ ଓ ଗଳିକୁ ଲକ୍ଡାଉନ କରାଯାଉଛି । ଏହି ଲକ୍ଡାଉନ୍ର ଆର୍ଥିକ ବୋଝ ଭାରତକୁ ଉଠାଇବାକୁ ପଡିବ । କିନ୍ତୁ ବର୍ତ୍ତମାନ ସମୟରେ ଜଣେ ଜଣେ ନାଗରିକଙ୍କୁ ବଞ୍ଚାଇବା ହେଉଛି ଭାରତ ସରକାରଙ୍କର, ପ୍ରତ୍ୟେକ ରାଜ୍ୟ ସରକାରଙ୍କର ଓ ସ୍ଥାନୀୟ ପ୍ରଶାସନର ପ୍ରାଥମିକତା ହେବା ଉଚିତ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୨୧ ଦିନ ଆମ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ୨୧ ଦିନ ଆମକୁ ସମ୍ଭାଳିବାକୁ ହେବ । ଯଦି ଆମେ ନ ସମ୍ଭାଳିବା ତେବେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ କରୋନା ଭାଇରସ୍ର ଗତିକୁ ରୋକିବା ଲାଗି ଆଗାମୀ ୨୧ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଏହି ସମୟରେ ଗୋଟିଏ କାମ କରନ୍ତୁ । ଘରେ ରହୁନ୍ତୁ । ଆଜିର ଲକ୍ଡାଉନ ଆପଣଙ୍କ ଘର ଦ୍ୱାର ମୁହଁରେ ଏକ ଲକ୍ଷ୍ମଣ ରେଖା ଟାଣିଦେଇଛି । ଏହି ଲକ୍ଷ୍ମଣ ରେଖାକୁ ଅତିକ୍ରମ କରନ୍ତୁ ନାହିଁ । ଆପଣମାନଙ୍କୁ ମନେ ରଖିବାକୁ ପଡିବ କରୋନା ସଂକ୍ରମିତ ବ୍ୟକ୍ତି ପ୍ରାରମ୍ଭରେ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯିବେ । ସେ ସଂକ୍ରମିତ ବୋଲି ନିଜେ କିମ୍ବା ଅନ୍ୟ କେହି ଜାଣିପାରନ୍ତି ନାହିଁ । ସେଥିପାଇଁ ଦୟାକରି ଆପଣମାନେ ନିଜ ଘରେ ରୁହନ୍ତୁ । ଭାବନ୍ତୁ ପ୍ରଥମେ ୧ ଲକ୍ଷ ଲୋକ ସଂକ୍ରମିତ ହେବାକୁ ୬୭ ଦିନ ସମୟ ଲାଗିଥିଲା । କିନ୍ତୁ ପରେ ୨ଲକ୍ଷ ଲୋକ ସଂକ୍ରମିତ ହେବାକୁ ୧୧ ଦିନ ଲାଗିଲା । ସଂକ୍ରମଣର ଆହୁରି ଭୟାବହ ଚିତ୍ର ହେଲା ୨ଲକ୍ଷରୁ ୩ଲକ୍ଷ ଲୋକଙ୍କ ପାଖରେ କରୋନା ଭାଇରସ୍ ପହଞ୍ଚôବାକୁ ମାତ୍ର ୪ ଦିନ ସମୟ ଲାଗିଲା । ଏହି କାରଣରୁ ଚୀନ୍, ଆମେରିକା, ଫ୍ରାନ୍ସ, ଜର୍ମାନୀ, ସ୍ପେନ, ଇଟାଲୀ, ଇରାନ ଭଳି ଦେଶରେ ଯେତେବେଳେ କରୋନା ଭାଇରସ୍ ସଂକ୍ରମଣ ଆରମ୍ଭ ହେଲା ସେତେବେଳେ ତାହା ଧିରେ ଧିରେ ନିୟନ୍ତ୍ରଣ ବାହାରକୁ ଚାଲିଗଲା ।
ଉପାୟ କ’ଣ? ବିକଳ୍ପ କ’ଣ? କରୋନାରୁ ବର୍ତ୍ତିବା ପାଇଁ ଆଶାର କିରଣ ହେଉଛି ଏସବୁ ଦେଶମାନଙ୍କରୁ ମିଳିଥିବା ଅନୁଭବ । ଏହି ଅନୁଭବ ମାଧ୍ୟମରେ କରୋନା ସଂକ୍ରମଣକୁ କିଛି ସମୟ ପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇପାରିବ । କିନ୍ତୁ ଆମକୁ ତାହାକୁ ମାନି ଚଳିବାକୁ ହେବ । ଆମ ନିକଟରେ ଏହା ହିଁ ଏକ ଉପଯୁକ୍ତ ମାର୍ଗ ହୋଇପାରିବ । ଆମେ ଘରୁ ବାହାରକୁ ବାହାରିବା ନାହିଁ । ଯାହା ହୋଇଯାଉ ପଛେ ଆମେ ଆଦୌ ଘରୁ ବାହାରିବା ନାହିଁ ।


Comments are closed, but trackbacks and pingbacks are open.