ରାୟଗଡା,(ବି.ବି.ନୁ୍ୟଜ୍): ସାର ଓ କୀଟନାଶକ କିଣାରେ ଜିଲ୍ଲା ଉଦ୍ୟାନ ବିଭାଗରେ ହୋଇଛି ପୁଣି କୋଟିଏରୁ ଅଧିକ ଟଙ୍କାର ଦୁର୍ନୀତି । ଏହାକୁ ଲୁଚାଇବା ପାଇଁ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ବଣ୍ଟନ କରାନଯାଇ ଖୋଲାମେଲାରେ ଫିଙ୍ଗିଦିଆଯାଇଛି ଶତାଧିକ ଟନ୍ ସାର ଓ କୀଟନାଶକ । ସାରବସ୍ତାରୁ ପୋଡା ଅଙ୍ଗାର ଏବଂ ପାଉଁଶ ବାହାରୁଥିବା ଅଭିଯୋଗ ହୋଇଛି । ଏଭଳି ଦେଖିବାକୁ ମିଳିଛି କାଶୀପୁର ବ୍ଲକ ଚିଙ୍ଗୁଡ଼ିଝର ଫାର୍ମ ପରିସରରେ । ଖରାବର୍ଷାରେ ଗତ ୨୦ଦିନ ହେଲା ସେଗୁଡ଼ିକ ପଡ଼ିରହିଛି । ଅବଧି ଶେଷ ହୋଇଥିବା ସାର କିଣାଯାଇଥିବାରୁ ଏଭଳି ଉପାୟରେ ନଷ୍ଟ କରାଯାଉଥିବା ହିତାଧିକାରୀମାନେ କହିଛନ୍ତି ।
କାଶୀପୁରର ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ବୃକ୍ଷରୋପଣ, ଚାରାବଣ୍ଟନଠାରୁ ଆରମ୍ଭ କରି ହିତାଧିକାରୀ ଚୟନ ପର୍ଯ୍ୟନ୍ତ ସବୁଠି ଏହି ବିଭାଗର ଅଧିକାରୀମାନେ ଅନିୟମିତତା କରିଆସୁଛନ୍ତି । ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକବର୍ଷରେ ହିତାଧିକାରୀ ଚୟନ କରି ଆମ୍ବ, କାଜୁ ଚାରା ବଣ୍ଟନ କରାଯାଇଥିଲା । ଏହାର ରକ୍ଷଣାବେକ୍ଷଣା ପାଇଁ କୋଟିଏରୁ ଅଧିକ ଟଙ୍କାର ସାର ଓ କୀଟନାଶକ ଚଳିତବର୍ଷ ବିଭାଗ ପକ୍ଷରୁ କିଣାଯାଇଛି । ହିତାଧିକାରୀଙ୍କୁ ପ୍ରଦାନ ଏବଂ ବ୍ରାଣ୍ଡ ଚୟନ ଉଦ୍ୟାନ ବିଭାଗ କରିଛି । କିଛି ସାର ଓ କୀଟନାଶକ ଓଡ଼ିଶା କୃଷି ଶିଳ୍ପ ନିଗମ ଓ କିଛି ଜିଲ୍ଲା କୃଷି ବିଭାଗ ଜରିଆରେ କିଣାଯାଇଛି । ଜିଲ୍ଲା କୃଷି ବିଭାଗ ମାଧ୍ୟମରେ ମୋରେ, ସଏଲକ୍ୱିନ୍, ମଂଚୁ, ଅବ୍ରିଟପ୍ଲସ, ଆମିନୋସ୍, ତେଜଭରିଆ ସମେତ ଓଡ଼ିଶା କୃଷି ନିଗମ ଜରିଆରେ ବାୟୋ ଫର୍ଟିଲାଇଜର କିଣାଯାଇଛି । ବାୟୋ ଫର୍ଟିଲାଇଜର କିଲୋ ୭ ଟଙ୍କା ୮୦ ପଇସା, ମୋରେ ବୋତଲ ପିଛା ୪୭୫ ଟଙ୍କା, ସଏଲକ୍ୱିନ୍ ବୋତଲ ପିଛା ୨୫୦ ଟଙ୍କା, ମଂଚୁ ପ୍ୟାକେଟ ପିଛା ୧୦୮୦ ଟଙ୍କା, ଅବ୍ରିଟପ୍ଲସ ବୋତଲ ପିଛା ୫୦୦ ଟଙ୍କା, ଆମିନୋସ ପ୍ୟାକେଟ ପିଛା ୬୫ ଟଙ୍କା ଏବଂ ତେଜଭେରିଆ ପ୍ୟାକେଟ ପିଛା ୩୯୦ ଟଙ୍କା ଦରରେ କିଣାଯାଇଛି । ବାୟୋ ଫର୍ଟିଲାଇଜର ୪ଟି କିସ୍ତିରେ କିଣାଯାଇଛି । ପ୍ରଥମ କିସ୍ତିରେ ୩୧ ହଜାର କେଜି, ଦ୍ୱିତୀୟ କିସ୍ତିରେ ୧୦ ହଜାର ୭୮୦ କେଜି, ତୃତୀୟ କିସ୍ତିରେ ୨୫ ହଜାର କେଜି ଓ ଚତୁର୍ଥ କିସ୍ତିରେ ୧୬ ହଜାର ୭୮୦ କେଜି । ଏଥିପାଇଁ ସମ୍ପୃକ୍ତ କମ୍ପାନି ତରଫରୁ ୬ ଲକ୍ଷ ୪୭ ହଜାର ୪୦୦ ଟଙ୍କା ବିଲ୍ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ପ୍ରାୟ ୪ ଲକ୍ଷ ୫୦ ହଜାର ଟଙ୍କାର ମୋରେ, ୧୨ ଲକ୍ଷ ଟଙ୍କାର ସଏଲକ୍ୱିନ୍, ପ୍ରାୟ ୧୧ ଲକ୍ଷ ଟଙ୍କାର ମଂଚୁ, ୭ ଲକ୍ଷ ଟଙ୍କାର ଅବ୍ରିଟପ୍ଲସ, ପ୍ରାୟ ୩ ଲକ୍ଷ ଟଙ୍କାର ଆମିନୋସ ଏବଂ ପ୍ରାୟ ୬ ଲକ୍ଷ ଟଙ୍କାର ତେଜଭେରିଆ କୀଟନାଶକ କିଣାଯାଇଛି । ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ହେବ ବୋଲି କୁହାଯାଉଛି ।
କିଣାଯାଇଥିବା ସାର ଓ କୀଟନାଶକକୁ ଆଜିପର୍ଯ୍ୟନ୍ତ ପକାଇ ରଖାଯାଇଛି । ସାର ପାଇଁ ସେମାନେ ଜଗିଥିଲେ ମଧ୍ୟ ପ୍ରଦାନ କରାଯାଉନଥିବା ହିତାଧିକାରୀ କହିଛନ୍ତି । କେଉଁ କାରଣରୁ ସାର ଓ କୀଟନାଶକକୁ ଏଭଳି ଫିଙ୍ଗାଯାଇଛି, ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ହିତାଧିକାରୀ । ଚିଙ୍ଗୁଡ଼ିଝର ଫାର୍ମରେ ପଡିଥିବା ଅନେକ ସାର ଓ କୀଟନାଶକର ଅବଧି ଶେଷହୋଇଯାଇଛି । ସମ୍ପୃକ୍ତ କମ୍ପାନିଗୁଡ଼ିକ ବିଭାଗୀୟ ଅଧିକାରୀଙ୍କୁ ଧରି ଅବ୍ୟବହୃତ ସାର ଓ କୀଟନାଶକ ଯୋଗାଇଛନ୍ତି । ଯେତିକି ପରିମାଣ ଯୋଗାଣ କଥା ବିଭାଗୀୟ ନଥି ଦର୍ଶାଉଛି, ତାହା ମଧ୍ୟ ଯୋଗାଣ ହୋଇନାହିଁ । ଅଧା ପରିମାଣ ଯୋଗାଣ କରି ପୂରା ପରିମାଣର ବିଲ ଦାଖଲ ପାଇଁ ଯୋଜନା ହୋଇଛି ବୋଲି ହିତାଧିକାରୀମାନେ କହିଛନ୍ତି । ଗତବର୍ଷ ମଧ୍ୟ ଏସବୁ ଯୋଗାଣରେ ଏଭଳି ଦୁର୍ନୀତି ହୋଇଥିଲା । ସେହି ସମୟରେ ବିଳମ୍ବରେ ଯାହା ଯୋଗାଣ ହୋଇଥିଲା, ତାକୁ ଗଚ୍ଛିତ ରଖାଯାଇ ଏଥର ସାର ଓ କୀଟନାଶରେ ମିଶାଇ ଦିଆଯାଇଛି । ବାୟୋ ଫର୍ଟିଲାଇଜର ନାମରେ ପାଉଁଶ ଓ ଅଙ୍ଗାର ଯୋଗାଣ ହୋଇଥିବା କେତେକ ହିତାଧିକାରୀ ଅଭିଯୋଗ କରିଛନ୍ତି ।
ସୂଚନାଥାଉକି, ଗତବର୍ଷ ଅତ୍ୟନ୍ତ ନିମ୍ନମାନର ବାୟୋଫର୍ଟିଲାଇଜର ସାଙ୍ଗକୁ କୀଟନାଶକ ଓ ଜିଆଖତ ପ୍ରଦାନ କରାଯାଇଥିଲା । ଚାଷୀମାନେ ଏହାକୁ ଦେଖିବା ପରେ ଗ୍ରହଣ କରିନଥିଲେ । କୀଟନାଶକ ବୋତଲରେ ପାଣି ଭରି ଯୋଗାଣ କରାଯାଇଥିବା ଚାଷୀମାନେ କହିଛନ୍ତି । ଜିଲ୍ଲାର ସର୍ବାଧିକ ଚାରା ଉଦ୍ୟାନବିତ ବିଭାଗ ପକ୍ଷରୁ କାଶୀପୁର ବ୍ଲକରେ ବଣ୍ଟନ କରାଯାଇଛି । ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ୫ବର୍ଷ ଧରି ଚାରା ବଣ୍ଟନ କରାଯାଇଛି । ଉକ୍ତ ଚାରାର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଦାୟିତ୍ୱ ବିଭାଗ ହାତରେ ରହିଥିବା ବେଳେ ନିମ୍ନମାନର ଓ କମ ପରିମାଣ ସାର ଓ କୀଟନାଶକ ଯୋଗାଣ ଦ୍ୱାରା ଚାରାଗୁଡ଼ିକର ଉନ୍ନତି ନେଇ ସନେ୍ଦହ ସୃଷ୍ଟି ହୋଇଛି । ଏଭଳି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଲାଗି ଦାବି ହୋଇଛି ।
Comments are closed, but trackbacks and pingbacks are open.