
ମାହାଙ୍ଗା,(ବି.ବି.ନୁ୍ୟଜ): ଚିତାବାଘକୁ ନେଇ ସାଲେପୁର ଅଞ୍ଚଳରେ କୋକୁଆ ଭୟ ଦେଖାଯାାଇଛି । ଏ ନେଇ ୫ଖଣ୍ଡ ଗାଁର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୂଚନାଥାଉକି, ଆଜି ମଧ୍ୟାହ୍ଣରେ ନାନେ୍ଦାଳ ବଜାର ନିକଟସ୍ଥ ଗହିର ବିଲରେ ଏକ ଚିତା ବାଘ ବୁଲୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଭିଡିଓଟି ଭାଇରାଲ୍ ହେବାର କିଛି କ୍ଷଣ ମଧ୍ୟରେ ବାଘ ବାହାରିଥିବା ସ୍ଥାନରେ ଲୋକଙ୍କ ଭିଡ଼ ଜମିଥିଲା । କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସେମାନେ ଚିତାବାଘକୁ ଦେଖିଲା ପରେ ଏହା ଏକ ପୋଲ ତଳେ ପଶିଯାଇଥିଲା । ଚାରିଆଡେ଼ ବାଘକୁ ନେଇ ଆତଙ୍କ ଖେଳି ଯାଇଥିଲା ବେଳେ ଖବର ପାଇ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି କଟକ ବନ ବିଭାଗକୁ ଖବର ଦେଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀମାନେ ବାଘ ରହିଥିବା ପୋଲର ଏକ ପାଶ୍ୱର୍ରେ ନିଅାଁ ଜାଳି ତାକୁ ବାହାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବାଘ ବାହାରି ନ ଥିଲା । ତେବେ ଅଞ୍ଚଳରେ ବାଘ ବାହାରିବା ଘଟଣାକୁ ନେଇ ସାଲେପୁର ଅଞ୍ଚଳର ନାନେ୍ଦାଳ, ସଉରୀ, ଶିଶୁଆ, ସମେତ ପାଞ୍ଚ ଖଣ୍ଡ ମୌଜାର ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବା ଜଣାଯାଇଛି ।
ଖବର ପାଇ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କଟକ ଜିଲ୍ଲା ବନ ଅଧିକାରୀ ଦୁର୍ଗାଚରଣ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଚିତାବାଘକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାଯାଇଛି । ସେହିପରି ବନ ବିଭାଗ ପକ୍ଷରୁ ବାଘ ଦେଖାଯାଇଥିବା ଅଞ୍ଚଳର ନିକଟବର୍ତ୍ତୀ ଗ୍ରାମର ଜନସାଧାରଣଙ୍କୁ ସତର୍କ ରହିବା ସହ ଘରୁ ପଦାକୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ତେବେ ଏହି ଖବର ଲେଖାହେଲାବେଳକୁ ବାଘର ପତ୍ତା ମିଳିନଥିଲା ।


Comments are closed, but trackbacks and pingbacks are open.