ରାଜକୋଟ: ପ୍ରେମିକାକୁ ଭେଟିବାକୁ ପ୍ରେମିକ କେତେ ବାଟ ଯାଇପାରିବ? କୁହାଯାଏ ଆବଶ୍ୟକ ପଡିଲେ ପ୍ରେମିକ ଜଣକ ସାତ ସମୁଦ୍ର ପାରି ହେବାକୁ ପଛାଇବ ନାହିଁ । ହେଲେ ଗୋଟିଏ ସିଂହ ନିଜର ପ୍ରେମିକା ସିଂହୀକୁ ଭେଟିବାକୁ ନିୟମିତ ଭାବେ ୬୦ କି.ମି. ବାଟ ଯାତ୍ରା କରୁଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଏହା ସତ । ସିଂହଟି ଗତ ୧ ବର୍ଷ ହେଲା ପ୍ରତି ୧୫ ଦିନରେ ଥରେ ଏଭଳି ଯିବା ଆସିବା କରୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଆମ୍ରେଲି ଜିଲ୍ଲାରେ । ରାଜୁଲା ନିକଟସ୍ଥ ଡୁଙ୍ଗର ଗ୍ରାମ ଜଙ୍ଗଲରୁ ଏହି ସିଂହଟି ନିଜର ୩ ଜଣ ସାଥୀ ସିଂହଙ୍କ ସହିତ ବାହାରି ୬୦ କି.ମି. ଦୂର ସଭରକୁଣ୍ଡଲା ନିକଟ ଅମ୍ବରଡି ଜଙ୍ଗଲକୁ ଯାଉଛି ଓ ସେଠାରେ ସିଂହୀ ସହିତ ବେଶ୍ କିଛି ଘଣ୍ଟା ବିତାଇବା ପରେ ପୁଣି ସେଠାରୁ ନିଜ ସାଥୀଙ୍କ ସହ ଫେରିଆସୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସିଂହଟି ସିଂହୀ ସହିତ ସମୟ ବିତାଇବା ବେଳେ ତାର ଅନ୍ୟ ୩ ଜଣ ସାଥୀ ସିଂହ ତାକୁ ଆଦୌ ଏଥିରେ ବାଧା ଦେଇନଥାନ୍ତି । ଏହି ୪ଟି ଯାକ ସିଂହଙ୍କର ବୟସ ୪-୫ ବର୍ଷ ହେବ । ସେତ୍ରୁଞ୍ଜି ରେଞ୍ଜ୍ର ଉପଜଙ୍ଗଲ ସଂରକ୍ଷକ ସନ୍ଦୀପ କୁମାର କହିଛନ୍ତି ୪ଟି ଯାକ ସିଂହଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ରହିଛି । ଏମାନେ ପ୍ରଥମେ ଗିର୍ ଅଭୟାରଣ୍ୟର ପୂର୍ବାଞ୍ଚଳ ଧରି ରେଞ୍ଜ୍ର ପତଡା ଜଙ୍ଗଲରେ ରହୁଥିଲେ । କିନ୍ତୁ ପ୍ରାୟ ୧ ବର୍ଷ ହେବ ଏମାନେ ଡୁଙ୍ଗରକୁ ଚାଲିଆସିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ସିଂହଙ୍କୁ ୧ ବର୍ଷ ହେବ ସେଠାରେ ଦେଖୁଛନ୍ତି । ଏହି ସିଂହଙ୍କ ପ୍ରଭାବ ଭାବନଗର ଜିଲ୍ଲା ମହୁଆ ଉପକୂଳ ପର୍ଯ୍ୟନ୍ତ ଅର୍ଥାତ୍ ୨୦୦ ବର୍ଗ କି.ମି. ଅଞ୍ଚଳରେ ରହିଛି ବୋଲି ବନ୍ୟପ୍ରାଣୀ ସଂରକ୍ଷକ ହିଂମାଶୁ ଭ; କହିଛନ୍ତି ।
Comments are closed, but trackbacks and pingbacks are open.