ନୂଆପଡ଼ା,(ବି.ବି.ନୁ୍ୟଜ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସିଆଲଲଟି ମଣ୍ଡିରେ ୨ ହଜାର ବସ୍ତା ଧାନ ପଡ଼ିରହିଛି । ଏବେ ମିଲର୍ସ ୬ କେଜି କଟନୀ ଛଟନୀ ମାଗୁଥିବାରୁ ୫ ଦିନ ପରେ ବି ଧାନ ଉଠୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଆଜି ମଣ୍ଡିରେ ପକାଇଥିବା ୬ ଜଣ ଚାଷୀଙ୍କ ୩୨୦.୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି ।
ଗତ ୮ ତାରିଖରେ ସିଆଲଲଟି ମଣ୍ଡିକୁ କରଙ୍ଗାଭଟା ନାଏକପଡା ଗାଁର ସାନବାଇ ନାଏକ, ସୁଦନ ନାଏକ, ମଲିକରାମ ନାଏକ, ସିଆଲଲଟି ବୃଷଭ ପ୍ରଧାନ, ଝିପାବାହାଲ ନୁର ବରିହା, ଜନକରାମ ସାହୁ, ଗଙ୍ଗାଧର ସାହୁ ପ୍ରମୁଖ ୨ ହଜାର ବସ୍ତା ଧାନ ବିକ୍ରି କରିବାକୁ ଆଣିଥିଲେ । ସିଆଲଲଟି ଏକତା ମହିଳା ଏସ୍ଏଚ୍ଜି ଜରିଆରେ ଖରିଆରରୋଡ ସ୍ଥିତ ନାରାୟଣ ଫୁଡ ଇଣ୍ଡଷ୍ଟ୍ରି ରାଇସ ମିଲକୁ ଧାନ ସଂଗ୍ରହ କରିବାକୁ ଦାୟିତ୍ୱ ନେଇଛି । ସେଠାରେ ମିଲର୍ସ କ୍ୱିଣ୍ଟାଲ ପିଛା ୬ କେଜି କଟନୀ କରିବାକୁ ଜିଦ୍ ଧରିଥିଲେ । ନଚେତ ଧାନ ଉଠାଇବି ନାହିଁ ବୋଲି ଚାଷୀଙ୍କୁ ଚାପ ପକାଇଥିଲେ । ଏଥିରେ ଚାଷୀ ରାଜି ନହେବାରୁ ଧାନକୁ ଉଠାଇ ନଥିଲେ । ଶେଷରେ ଚାଷୀ ୪ କେଜି କଟନୀ କରିବାକୁ ରାଜି ହୋଇଥିଲେ । ହେଲେ ସମ୍ପୃକ୍ତ ମିଲର୍ସ ୬ କେଜିରୁ କମ କଟନୀରେ ଧାନ ଉଠାଇବେ ନାହିଁ ବୋଲି ଚାଷୀଙ୍କୁ ରୋକ୍ଠୋକ୍ କହି ଚାଲି ଯାଇଥିଲେ । ସେହିଦିନ ଠାରୁ ମିଲର୍ସ ମଣ୍ଡିକୁ ଆସୁନଥିବାରୁ ମଣ୍ଡିରେ ୨ ହଜାର ବସ୍ତା ଧାନ ପଡି ରହିଛି । ଗତକାଲି ଅପରାହ୍ନରେ ଗରିବ ସେନା ସଭାପତି ରବି ମଙ୍ଗରାଜ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ପଚାରି ବୁଝିଥିଲେ । ତେବେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ତୁରନ୍ତ ଧାନକୁ ଉଠାଯିବ ବୋଲି ଚାଷୀଙ୍କୁ ପ୍ରତିନ୍ତ୍ରୁତି ଦେଇଥିଲେ ।
ସେପଟେ ଆଜି ମଣ୍ଡିରେ ଧାନ ପକାଇଥିବା ୬ ଜଣ ଚାଷୀଙ୍କ ୩୨୦.୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି । ସିଆଲଲଟି ଗାଁର ଶ୍ରୀକାନ୍ତ ସାହୁଙ୍କ ୩୭ କି୍ୱଣ୍ଟାଲ, ଗଙ୍ଗା ସାହୁ ୯୬.୩୬ କ୍ୱିଣ୍ଟାଲ, ବୃଷଭ ପ୍ରଧାନ ୬୭.୬୦ କ୍ୱିଣ୍ଟାଲ, କରଙ୍ଗାଭଟା ଗାଁର ଓସାରାମ ନାଏକ୮୧.୬୦ କ୍ୱିଣ୍ଟାଲ, ସୁରଜଲାଲ ସାହୁ ୧୫.୮୬ କ୍ୱିଣ୍ଟାଲ, କେଶରାମ ନାଏକ ୨୨.୨୩ କ୍ୱିଣ୍ଟାଲ ଧାନ ରହିଛି । ତେବେ ଯିଏ କଟନୀ ଦେଉଛନ୍ତି ତାଙ୍କର ଧାନ ସଂଗ୍ରହ ହେଉଛି ଓ ଯେଉଁ ଚାଷୀ କଟନୀକୁ ବିରୋଧ କରୁଛନ୍ତି, ତାଙ୍କର ଧାନ ଉଠୁନାହିଁ । ତୁରନ୍ତ ଚାଷୀଙ୍କ ଧାନକୁ ବିନା କଟନୀ ଛଟନୀରେ ସଂଗ୍ରହ କରିବାକୁ କରଙ୍ଗାଭଟା ନାଏକପଡା ଗାଁର ସାନବାଇ ନାଏକ, ସୁଦନ ନାଏକ, ମଲିକରାମ ନାଏକ, ସିଆଲଲଟି ବୃଷବ ପ୍ରଧାନ, ଝିପାବାହାଲ ନୁର ବରିହା, ଜନକରାମ ସାହୁ, ଗଙ୍ଗାଧର ସାହୁ ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏନେଇ ଏସିଏସଓ ଥଣ୍ଡୁରାମ ନାଏକଙ୍କୁ ପଚାରିବାରୁ, ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ ଓ ସିଏସଓଙ୍କୁ ଜଣାଇଲେ ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି କହିଥିଲେ ।


Comments are closed, but trackbacks and pingbacks are open.