ସିଇଓଙ୍କୁ ଭେଟିଲା ବିଜେପି:ପାଟକୁରାରେ ଟଙ୍କା ବାଣ୍ଟୁଛି ବିଜେଡି

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ପାଟକୁରାର ବିଜେଡି ପ୍ରାର୍ଥୀ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ କରି ଚାଲିଛନ୍ତି । ନିର୍ବାଚନ ଅଧିକାରୀମାନେ ସେମାନଙ୍କର ଆଖି ବୁଜି ଶାସକ ବିଜେଡିର ବେଆଇନ କାର୍ଯ୍ୟକଳାପକୁ ପ୍ରଶୟ ଦେଉଛନ୍ତି । ବିଜେଡି ଦଳ ପ୍ରଶାସନକୁ ଲଗାଇ ପାଟକୁରାରେ ଭୋଟ ଭିଡିବାକୁ ଟଙ୍କା ବାଣ୍ଟୁଛି ବୋଲି ଅଭିଯୋଗ କରି ବିଜେପିର ଏକ ପ୍ରତିନିଧି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ।
ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସିଇଓଙ୍କୁ ଅଭିଯୋଗ କରିଛି ଯେ, ପାଟକୁରାରେ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ସାଧା ପୋଷାକ ପିନ୍ଧି ବିଜେଡି ଦଳର ପ୍ରଚାର କରିବା ସହ ସବୁ ପଞ୍ଚାୟତ ଓ ବୁଥ୍ମାନଙ୍କରେ ଭୋଟରମାନଙ୍କୁ ଟଙ୍କା ବାଣ୍ଟୁଛନ୍ତି । ବିଡିଓ, ତହସିଲଦାର ଏବଂ ଥାନା ଅଧିକାରୀମାନେ ଭୋଟରମାନଙ୍କୁ ଟଙ୍କା ବାଣ୍ଟିବାରେ ବିଜେଡି ନେତାମାନଙ୍କୁ ସାହାଯ୍ୟ କରୁଛନ୍ତି । ଶାସକ ବିଜେଡି ଦଳର ମନ୍ତ୍ରୀ ଏବଂ ବିଧାୟକମାନେ ପାଟକୁରା ନିର୍ବାଚନୀ ମଣ୍ଡଳୀରେ ରହି ବେଆଇନ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରି ମତଦାତାମାନଙ୍କୁ କିଣିବାକୁ ପ୍ରାଣ ପଣେ ଚେଷ୍ଟା କରୁଛନ୍ତି ।
ନିୟମ ଅନୁସାରେ ସରକାରଙ୍କର ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ପ୍ରତି ମାସ ୭ରୁ ୧୫ ତାରିଖ ମଧ୍ୟରେ ମିଳିବା କଥା । କିନ୍ତୁ ପାଟକୁରାରେ ସ୍ଥାନୀୟ ପ୍ରଶାସନ ଏହାକୁ ୧୫ ତାରିଖରେ ନଦେଇ ନିର୍ବାଚନୀ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ହାତରେ ଦେବାର ଚକ୍ରାନ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ୧୭ ତାରିଖରେ ଥିବାରୁ ସେହି ଦିନ ହିଁ ଲୋକମାନଙ୍କୁ ଡାକି ଭତ୍ତା ଦେବା ସହ ମୁଖ୍ୟମନ୍ତ୍ରୀଙ୍କର ଶୋଭାଯାତ୍ରାରେ ଠିଆ ହେବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ବିଡିଓ, ସିଡିପିଓ ଏବଂ ତହସିଲଦାର ଖୋଲି ଖୋଲି ଭାବେ ବିଜେଡି ଦଳର ନିର୍ବାଚନୀ ସଭା ଆୟୋଜନ କରି ବିଜେଡିକୁ ଭୋଟ ଦେବାକୁ ପ୍ରଚାର କରିବା ସହ ଏଥିରେ ସରକାରୀ ଗାଡିକୁ ବ୍ୟବହାର କରୁଛନ୍ତି । ବିଜେଡିର ପ୍ରାର୍ଥୀ ପାଟକୁରାରେ ଥିବ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଆଶାକର୍ମୀ ମାନଙ୍କ ଦ୍ୱାରା ଟଙ୍କା ବାଣ୍ଟୁଛନ୍ତି ।
ବିଜେଡି ଦଳର ପ୍ରାର୍ଥିନୀ ନିଜେ ଖୋଲା ଖୋଲି ଭାବେ ଟଙ୍କା ବାଣ୍ଟୁଥିବାର ଭିଡିଓ ଗଣମାଧ୍ୟମରେ ଭାଇରାଲ ହେଲା ପରେ ବି ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବିଜେଡି ବୁଥ୍ ଦଖଲ କରିବାର ଚକ୍ରାନ୍ତ କରିଛି ବୋଲି ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବା ସହ ମୁକ୍ତ, ନିରପେକ୍ଷ ଏବଂ ଅବାଧ ନିର୍ବାଚନ କରିବାକୁ ଦାବି କରିଛି ।
ଏହି ପ୍ରତିନିଧି ଦଳରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ମଦନମୋହନ ଦତ୍ତ, ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ, ନିର୍ବାଚନ ପ୍ରକୋଷ୍ଠର ଅବାହକ ସୁଦର୍ଶନ ନାୟକ, ମୁଖପାତ୍ର ଗୋଳକ ମହାପାତ୍ର, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons