ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାର ଖଣିଜ ଇଲାକାରେ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ଠକେଇ ବଢ଼ିଚାଲିଛି । ଏସବୁ ଅଞ୍ଚଳରେ ଜାଲ ଇନ୍ଭଏସ୍ ଓ ମିଥ୍ୟା ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଦାଖଲ ଭଳି ମାମଲା ନଜରକୁ ଆସୁଛି । ଏହି ଜିଏସ୍ଟି ଠକଙ୍କ ଉପରେ ଲଗାମ ଲଗାଇବାକୁ କେନ୍ଦ୍ରୀୟ ଜିଏସ୍ଟି (ସିଜିଏସ୍ଟି) ପକ୍ଷରୁ କଠୋର କାର୍ଯ୍ୟପନ୍ଥା ଆରମ୍ଭ ହୋଇଛି । ସିଜିଏସ୍ଟି ଅତିରିକ୍ତ ଆୟୁକ୍ତ ସନ୍ତୋଷ କୁମାର ପଣ୍ଡା ରବିବାର ଏହି ସୂଚନା ଦେଇଛନ୍ତି ।
ଲୋକାଲ୍ୱିୟାର ୱେବ୍ ପୋର୍ଟାଲ ପକ୍ଷରୁ ଆୟୋଜିତ ‘୨ ବର୍ଷରେ ଜିଏସ୍ଟି-ଫାଇଦା ଓ ଆହ୍ୱାନ’ ଶୀର୍ଷକ ରାଉଣ୍ଡଟେବୁଲରେ ଯୋଗଦେଇ ଶ୍ରୀ ପଣ୍ଡା କହିଛନ୍ତି, ରାଜ୍ୟର ଖଣି ଅଞ୍ଚଳ ମୁଖ୍ୟତଃ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଜାଲ୍ ଇନ୍ଭଏସ ଓ ଆଇଟିସି ଦାବି ଘଟଣା ନଜରକୁ ଆସୁଛି । ଏହାକୁ ରୋକିବା ଏବେ ସିଜିଏସ୍ଟି ପାଇଁ ମୁଖ୍ୟ ଆହ୍ୱାନ ହୋଇଛି । ଏହି ଜିଏସ୍ଟି ଠକଙ୍କୁ ଧରିବା ଉଦେ୍ଧଶ୍ୟରେ ସିଜିଏସ୍ଟି ପକ୍ଷରୁ ନିଜ ବ୍ୟବସ୍ଥାକୁ ଅପ୍ଗ୍ରେଡ୍ କରାଯାଉଛି । ଏ ପ୍ରସଙ୍ଗରେ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି । ନିକଟରେ ସିଜିଏସ୍ଟିର ରାଜସ୍ୱ ଗୁଇନ୍ଦା ବିଭାଗ ୬ଟି ମାମଲାକୁ ଚିହ୍ନଟ କରିଥିଲା ଓ ଅଭିଯୋଗକ୍ରମେ ପୁଲିସ ୬ ଜଣ ଠକ ବ୍ୟବସାୟୀଙ୍କୁ ଗିରଫ କରିଛି ।
ଜିଏସ୍ଟି ପ୍ରଚଳନ ଏକ ଐତିହାସିକ ପଦକ୍ଷେପ ଥିଲା । ପ୍ରଚଳନ ହେବାର ୨ ବର୍ଷ ମଧ୍ୟରେ ବହୁ ଅସଂଗଠିତ କ୍ଷେତ୍ର ବ୍ୟବସାୟୀଙ୍କୁ ସଂଗଠିତ କରାଯାଇପାରିଛି । ଯଦିଓ ପ୍ରାରମ୍ଭିକ ସମୟରେ କିଛି ସମସ୍ୟା ଦେଖା ଦେଇଥିଲା, ଓଡ଼ିଶା ଭଳି ରାଜ୍ୟରେ ଜିଏସ୍ଟି ରାଜସ୍ୱ ବଢ଼ିବାରେ ଲାଗିଛି ବୋଲି ସିଜିଏସ୍ଟି ଅତିରିକ୍ତ ଆୟୁକ୍ତ କହିଛନ୍ତି ।
ଏ ଅବସରରେ ଓଡ଼ିଶା ଜିଏସ୍ଟି ସ୍ୱତନ୍ତ୍ର ସଚିବ ଆନନ୍ଦ ଶତପଥୀ କହିଛନ୍ତି, ପ୍ରାକ୍-ଜିଏସ୍ଟି ଅବଧିରେ ବ୍ୟବସାୟୀମାନଙ୍କୁ ଏକାଧିକ ଟିକସ ଦେବାକୁ ପଡ଼ୁଥିଲା । ଜିଏସ୍ଟି ପ୍ରଚଳନ ପରେ ସାରା ଦେଶରେ ଗୋଟିଏ ତଥା ସରଳ ଟିକସ ବ୍ୟବସ୍ଥା ଲାଗୁ ହୋଇଛି । ଏଣୁ ଜିଏସ୍ଟିରେ ପଞ୍ଜୀକୃତ ହେବା ବ୍ୟବସାୟୀଙ୍କ ପାଇଁ ବେଶ୍ ଫାଇଦାଜନକ । ଜିଏସ୍ଟି ନିୟମକୁ ଅନୁପାଳନ କରି ବ୍ୟବସାୟୀମାନେ ନିଜ ବ୍ୟବସାୟକୁ ସ୍ୱଚ୍ଛ ଭାବେ ପରିଚାଳନା କରିପାରିବେ । ଏହା ସେମାନଙ୍କ ବ୍ୟବସାୟ ସମେତ ଭାରତୀୟ ଅର୍ଥନୀତିକୁ ସମୃଦ୍ଧ କରିବ ।
ଶ୍ରୀ ଶତପଥୀ କହିଛନ୍ତି, ଓଡ଼ିଶା ଉପôାଦନକାରୀ ନୁହେଁ ବରଂ ଏକ ଖାଉଟି ରାଜ୍ୟ । ଏହି କାରଣରୁ କେନ୍ଦ୍ରୀୟ ଜିଏସ୍ଟି ତୁଳନାରେ ରାଜ୍ୟ ଓଡ଼ିଶା ଜିଏସ୍ଟିରୁ ଅଧିକ ରାଜସ୍ୱ ପାଉଛି । ଏହି ରାଉଣ୍ଡଟେବୁଲ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଏ ସୀତାରାମ ବେରିଆ, ସିଏ ସିଦ୍ଧାର୍ଥ ରଞ୍ଜନ, ସିଏ ମନୋଜ ଅଗ୍ରୱାଲ, ଶିଳ୍ପପତି ଅଶ୍ୱିନୀ ରଥ, ସିଏ ତରୁଣ ଅଗ୍ରୱାଲ, ଶିଳ୍ପପତି ପ୍ରବୋଧ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.