ସିଡବ୍ଲ୍ୟୁସିରେ ହେଲା ନିଷ୍ପତ୍ତି:ସୋନିଆ ପୁଣି କଂଗ୍ରେସ ଅଧ୍ୟକ୍ଷା

Get real time updates directly on you device, subscribe now.

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର କଂଗ୍ରେସର ନୂଆ ଅନ୍ତରୀଣ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି । ନୂଆଦିଲ୍ଲୀରେ ଶନିବାର ଅନୁଷ୍ଠିତ କଂଗ୍ରେସର କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଦଳର ବରିଷ୍ଠ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ଏହା ସ୍ପଷ୍ଟ କରିଛନ୍ତି ।
ଶନିବାର ପୂର୍ବାହ୍ନ ୧୧ଟାରୁ ରାତି ପ୍ରାୟ ୧୧ଟା ମଧ୍ୟରେ ଦୁଇଥର ବୈଠକ ବସି ଆଲୋଚନା ହୋଇଥିଲା । ତଥାପି ଅଧ୍ୟକ୍ଷ ପଦକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନଥିଲା । ଗାନ୍ଧୀ ପରିବାରରୁ ହିଁ କାହାକୁ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଉ ବୋଲି ଅଧିକାଂଶ ଦଳୀୟ ନେତା ଦାବି କରିଥିଲେ । ରାହୁଲ ଗାନ୍ଧୀ ରୋକ୍ଠୋକ୍ ମନାକରିଦେବା ପରେ ଶେଷରେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ଏଣିକି ସୋନିଆ ହିଁ ଦଳର ମଙ୍ଗ ଧରିବେ ବୋଲି ସ୍ପଷ୍ଟ ହୋଇଯାଇଛି ।
ଉଲ୍ଲେଖଯୋଗ୍ୟ, ସିଡବ୍ଲ୍ୟୁସି ବୈଠକ ପୂର୍ବରୁ ଦଳର ବରିଷ୍ଠ ନେତା ମୁକୁଲ ୱାସ୍ନିକ୍, ଲୋକସଭାରେ ପୂର୍ବତନ କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେ, ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ମଧ୍ୟରୁ କାହାକୁ ଦଳର ଅଧ୍ୟକ୍ଷ ଭାବେ ଚୟନ କରାଯାଇପାରେ ବୋଲି ଶୁଣିବାକୁ ମିଳୁଥିଲା । ପୂର୍ବାହ୍ନ ୧୧ଟାରେ ସିଡବ୍ଲ୍ୟୁସି ବୈଠକ ବସିଥିଲା । କିଛି ଘଣ୍ଟା ଧରି ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା । କିନ୍ତୁ କୌଣସି ଫଳ ବାହାରି ପାରିନଥିଲା । ପୁଣି ସନ୍ଧ୍ୟାରେ ଦ୍ୱିତୀୟ ବୈଠକ ବସିଥିଲା । ତଥାପି ଗାନ୍ଧୀ ପରିବାର ବାଦ୍ ଅନ୍ୟ କାହାକୁ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରାଇବା ପାଇଁ ସମ୍ମତି ପ୍ରକାଶ ପାଇନଥିଲା ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ବୈଠକରେ ଅଧ୍ୟକ୍ଷ ପଦକୁ ନେଇ ଅଧିକ ଆଲୋଚନା ହୋଇପାରି ନାହିଁ । ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଅଧିକ ଆଲୋଚନା ହୋଇଥିଲା । ସେଠାରେ ଏବେ ହିଂସା ଘଟଣା ଘଟୁଥିବା ନେଇ ଖବର ମିଳୁଥିବାରୁ ଆମେ ଏ ବାବଦରେ ସରକାରଙ୍କଠାରୁ ସ୍ପଷ୍ଟୀକରଣ ଚାହୁଁଛୁ । ତେବେ ରାହୁଲଙ୍କ ବୟାନ ପରେ ପରେ ଦଳର ନୂଆ ଅନ୍ତରୀଣ ଅଧ୍ୟକ୍ଷ ପଦରେ ସୋନିଆଙ୍କୁ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons