ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) କିଟ୍ ନଥିଲା । ଏଣୁ ରୋଗୀଙ୍କ ଚିକିତ୍ସା ହୋଇପାରିଲାନି । ଠିକ ସମୟରେ ଅକ୍ସିଜେନ୍ ଯୋଗାଇ ଦିଆଗଲାନି । ଫଳରେ ଜଣେ ବୟସ୍କ ରୋଗୀଙ୍କ ଶୁକ୍ରବାର ସିଟି ହସ୍ପିଟାଲ୍ ପରିସର କୋଭିଡ୍ କେୟାର୍ ସେଣ୍ଟର୍ (ସିସିସି)ରେ ଜୀବନ ଚାଲିଯାଇଥିବା ଅଭିଯୋଗ । ମୃତକ ହେଉଛନ୍ତି ବିଡିଏର ପୂର୍ବତନ ଆସିଷ୍ଟାଣ୍ଟ୍ ପ୍ଲାନିଂ ଅଫିସର୍ ତଥା ରାଜୀବ ନଗର- ୧ମ ଗଳିର ପଙ୍କଜ ବେହେରା । ଘଟଣା ନେଇ ମୃତକଙ୍କ ପୁଅ ଏଭଳି ଅଭିଯୋଗ ଆଣିଥିବା ବେଳେ ବିଜେପିର ଏକ ପ୍ରତିନିଧି ଦଳ କେୟାର୍ ସେଣ୍ଟର୍ ସମ୍ମୁଖରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ମୃତକଙ୍କ ପୁଅ କରିଥିବା ଅଭିଯୋଗ ପ୍ରକାରେ- ବାପାଙ୍କ ଦୁଇ ତିନି ଦିନ ହେଲା ସାଧାରଣ ଜ୍ୱର ଥିଲା । ଔଷଧ ଖାଉଥିଲେ, ତେବେ ସ୍ୱାବ୍ ଟେଷ୍ଟ କରି ନଥିଲୁ । ଶନିବାର ପୂର୍ବାହ୍ଣରେ ବାପାଙ୍କ ଅବସ୍ଥା ଗୁରୁତର ହେବାରୁ ଏଠିକି (ସିଟି ହସ୍ପିଟାଲ୍) ଆଣିଥିଲୁ । ବାପାଙ୍କ ଅବସ୍ଥା ଦେଖି ଅକ୍ସିଜେନ୍ ଦେବାକୁ ହେବ, ଆଡ୍ମିଟ୍ କରାଅ ବୋଲି ପ୍ରଥମେ କହିଥିଲେ । ସିସିସିରେ ଆଡ୍ମିଟ୍ କରାଇବା ପରେ ବି ପ୍ରାୟ ୧୫- ୨୦ ମିନିଟ୍ କାଳ କେହି ଦେଖିଲେନି । ପଚାରିବାରୁ କହିଲେ ପିପିଇ କିଟ୍ ନାହିଁ, ତେଣୁ ଆମେ ଅକ୍ସିଜେନ୍ ଦେଇପାରିବୁ ନାହିଁ । ତୁମକୁ ଦେଖାଇ ଦେଉଛୁ, ବାପାଙ୍କୁ ଯାଇ ଅକ୍ସିଜେନ୍ ଦିଅ । ଶେଷରେ ବାଧ୍ୟ ହୋଇ ଆମେ ବାହାରୁ ପିପିଇ କିଟ୍ କିଣି ଆଣି ଦୁଇ ଆଟେଣ୍ଡାଣ୍ଟ୍ଙ୍କୁ ଦେଲୁ । ଏହାପରେ ସେମାନେ ଆସି ବାପାଙ୍କ ପଲ୍ସ୍ ଚେକ୍ କରିବା ବେଳେ ଆଉ କିଛି ନଥିଲା । ପ୍ରାୟ ଅଧ ଘଣ୍ଟା ପରେ ଡାକ୍ତର ଆସି ପରୀକ୍ଷା କରି ବାପା ମୃତ ବୋଲି କହିଥିଲେ ।
ଘଟଣା ବାବଦରେ ଜାଣି ବିଜେପି ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି ସିଟି ହସ୍ପିଟାଲ୍ ନିକଟକୁ ଯାଇ ମୃତକଙ୍କ ପରିବାରକୁ ଭେଟି ସବୁ କଥା ବୁଝିଥିଲେ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା ଫେଲ୍ ବୋଲି ପୁଣି ସମାଲୋଚନା କରିଛନ୍ତି ସେ । ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର କହିଛନ୍ତି ଯେ- ପିପିଇ କିଟ୍ ଅଭାବ ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପିପିଇ ଉପଲବ୍ଧ । ଘଟଣା ବାବଦରେ ଅଭିଯୋଗ ହେବା ପରେ ଏଡିଏମ୍ଓଙ୍କୁ ଯାଞ୍ଚ କରିବାକୁ କୁହାଯାଇଛି । ତଦନ୍ତ ରିପୋର୍ଟ ଶନିବାର ସୁଦ୍ଧା ଦେବାକୁ କୁହାଯାଇଛି ।
Comments are closed, but trackbacks and pingbacks are open.