ଚୌଦ୍ୱାର: ଟାଙ୍ଗୀସ୍ଥିତ ଡ୍ରିମ୍ସ କୋଭିଡ୍ କେୟାର ସେଣ୍ଟର (ସିସିସି)ରେ ଆଜି ଜଣେ କରୋନା ଆକ୍ରାନ୍ତ ଏକ ଛୁରିରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ଅପରେସନ୍ କରାଯାଇ ତାଙ୍କ ବେକରେ ଲାଗି ରହିଥିବା ଛୁରିକୁ ବାହାର କରାଯାଇଛି । ସୌଭାଗ୍ୟକୁ ଛୁରିରେ ବେକର କୌଣସି ରକ୍ତନଳୀ କଟିନଥିବା ଡାକ୍ତର କହିଛନ୍ତି । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ହେଲେ ଚୌଦ୍ୱାର ବାଣିପଦା ପଞ୍ଚାୟତ ଦେବୀନଗର ଗ୍ରାମର ସୁକୁମାର ସୁବୁଦ୍ଧିରାୟ । ଆଜି ସେ ସିସିସିରୁ ଡିସ୍ଚାର୍ଜ ହୋଇଥାନ୍ତେ । ସେ କ’ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ସୁକୁମାର କରୋନା ପଜିଟିଭ୍ ଚିହ୍ନଟ ହେବାରୁ ତାଙ୍କୁ ଗତ ୨୫ ତାରିଖରେ ଡ୍ରିମ୍ସ ସ୍ଥିତ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ସେ ରହୁଥିବା ୱାର୍ଡରେ ୨ ଜଣ ଅଣଓଡ଼ିଆ ଆକ୍ରାନ୍ତ ମଧ୍ୟ ରହୁଥିଲେ । ମାତ୍ର ସେ ସେଠାରେ ଭର୍ତ୍ତି ହେବା ଦିନଠାରୁ ଚୁପ୍ଚାପ୍ ରହୁଥିଲେ । ଆଜି ସକାଳ ପ୍ରାୟ ୯ଟାରେ ଉକ୍ତ ୱାର୍ଡରେ ଥିବା ଅନ୍ୟ ୨ ଜଣ ବାହାରକୁ ଯାଇଥିବା ବେଳେ ସୁକୁମାର ଛୁରିରେ ବେକକୁ ଭୁସି ଦେଇ ଏକ ଝରକା ପାଖରେ ଛିଡ଼ା ହୋଇଥିଲେ । ତାଙ୍କ ବେକରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ଅଣଓଡ଼ିଆ ଯୁବକ ଦ୍ୱୟ ୱାର୍ଡ ଭିତରକୁ ଆସି ଏହା ଦେଖିବା ପରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ପରେ ତାଙ୍କୁ ତୁରନ୍ତ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅପରେସନ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ ଆଜି ଡିସ୍ଚାର୍ଜ ହୋଇଥାନ୍ତେ । ଆଜି ସକାଳେ ସାନଭାଇ ସହ ଫୋନରେ କଥା ହେବାର କିଛି ସମୟ ମଧ୍ୟରେ ହଠାତ୍ ପାଖରେ ଫଳ କାଟିବା ପାଇଁ ରଖାଯାଇଥିବା ଏକ ଛୁରିରେ ସେ ବେକକୁ ଭୁସି ଦେଇଥିବା କୁହାଯାଉଛି । ହେଲେ ସେ କ’ଣ ପାଇଁ ଏପରି ପଦକ୍ଷେପ ନେଲେ ତାହା ସନେ୍ଦହ ଘେରରେ ରହିଛି । ସେ ମାନସିକ ଚାପରେ ରହିଥିଲେ ନା ଆଉ କିଛି ତାହା ସ୍ପଷ୍ଟ ହୋଇ ନାହିଁ । ଘଟଣା ଘଟିବା ପରେ ଡ୍ରିମ୍ସ କୋଭିଡ କେୟାର କେନ୍ଦ୍ରର ଅଧିକାରୀ ଟାଙ୍ଗୀ ଥାନାକୁ ଏକ ଚିଠି ଲେଖିଥିବା ଆଇଆଇସି ସୁଚିତ୍ରବିର୍ଯ୍ୟ ଦାସ ସୂଚନା ଦେଇଛନ୍ତି । ଏନେଇ ସୁକୁମାରଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.