ସୀମାନ୍ତ ଗାଁର ଦୁଃଖ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଦୁର୍ଗମ ଅଞ୍ଚଳ, ଅବହେଳିତ ଜୀବନ । ସୀମାରେ ବାସ କରୁଥିବାରୁ ସୀମାହୀନ ଯନ୍ତ୍ରଣା । ସମସ୍ୟା ବୁଝିବାକୁ କାହାରି ପାଖରେ ସମୟ ନାହିଁ । ସରକାରୀ କଳର ଉଦାସୀନତା ଏବଂ ରାଜନେତାଙ୍କ ଅବହେଳା ପାଇଁ ସୀମାନ୍ତବର୍ତ୍ତି ଗାଁଗୁଡ଼ିକ ଚିର ଅବହେଳିତ ହୋଇ ପଡ଼ିରହିଛି । ସେମାନଙ୍କ ଜୀବନ ଓ ଜୀବିକା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉନଥିବାରୁ ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଉପରେ ନିର୍ଭର କରିବାକୁ ବାଧ୍ୟ । ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଏହି ଜିଲ୍ଲାରେ ଏମିତି ଅନେକ ଗାଁ ଓଡ଼ିଶା ମାନଚିତ୍ରରେ ଥିଲେ ହେଁ ସମୟକ୍ରମେ ସେମାନେ ନିଜ ଭାଷା ଓ ସଂସ୍କୃତିକୁ ଭୁଲିଗଲେଣି । ଓଡ଼ିଆ ଭାଷା କ’ଣ ଅନେକ ଜାଣି ନାହାନ୍ତି । ତେଲୁଗୁ ଏବଂ ଛତିଶଗଡ଼ି ଭାଷାରେ କଥା ହେଉଛନ୍ତି । ଆପଣାଇଛନ୍ତି ପଡୋଶୀ ରାଜ୍ୟଗୁଡ଼ିକର ସଂସ୍କୃତିକୁ ।
ସୀମାରେ ଥିବା ଏମିତି ଏକ ଗାଁ ହେଉଛି କୋରୁକୋଣ୍ଡା ବ୍ଲକ ତଣ୍ଡିକି ପଞ୍ଚାୟତର ସାନବୁରୁଦି । ଛତିଶଗଡ଼ ସୀମାନ୍ତ ବଡ଼ବୁରୁଦି ପଞ୍ଚାୟତକୁ ଲାଗିଛି ଏହି ଗାଁ । ସେଠାକାର ସରକାର ସାବେରୀ ନଦୀ ପାରି ହୋଇ ସେମାନଙ୍କର ଥିବା ମାତ୍ର କେତୋଟି ଗାଁ ପାଇଁ ଆଶ୍ରମ ବିଦ୍ୟାଳୟ, ହାଇସ୍କୁଲ, ବିଜୁଳି, ପାନୀୟଜଳ, ଟେଲିଫୋନ ଏବଂ ରାସ୍ତା ନିର୍ମାଣ କରିଛନ୍ତି । ଅଥଚ ଓଡିଶା ସରକାର ସାନବୁରୁଦି ଗାଁ ପ୍ରତି ଆଖି ବୁଜିଦେଇଛନ୍ତି । ୧୯୭୦ ମସିହାରେ ସାନବୁରୁଦି ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିÂା ହୋଇଥିଲା । ୧୯୭୨ରେ ଏହା ଉନ୍ନୀତ ଏବଂ ପରବର୍ତ୍ତୀ ସମୟରେ ହାଇସ୍କୁଲର ମାନ୍ୟତା ପାଇଥିଲା । ଦୁର୍ଭାଗ୍ୟର ବିଷୟ, ୨୦୧୮ ମସିହାରେ ଏହି ସ୍କୁଲକୁ ସାନବୁରୁଦି ଗ୍ରାମରୁ ଚିଡିପାଲି ଗାଁକୁ ସ୍ଥାନାନ୍ତର କରିଦିଆଗଲା । ଫଳରେ ସାନବୁରୁଦି ଗାଁର କିଛି ପିଲା ବାଧ୍ୟହୋଇ ଛତିଶଗଡ ବଡ଼ବରୁଦି ଗାଁ ସ୍କୁଲରେ ପଢ଼ିଲେ । ଓଡ଼ିଆ ବଦଳରେ ହିନ୍ଦୀ ଭାଷାରେ ଶିକ୍ଷାଲାଭ କଲେ । କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ଏହି ଗାଁରେ ପରନୀୟ ଜଳ ବ୍ୟବସ୍ଥା ନଥିବାରୁ ଲୋକେ ଆଜି ବି ଚୁଆ ପାଣି ସଂଗ୍ରହ କରୁଛନ୍ତି । ଓଡ଼ିଆ ଭାଷା ବଦଳରେ ଛତିଶିଗଡି ଏବଂ ହିନ୍ଦୀ ଭାଷାରେ କଥା ହେଉଛନ୍ତି ସାନବୁରୁଦି ଗାଁ ଲୋକେ । ସରକାର ଏବେଠୁ ଧ୍ୟାନ ନଦେଲେ ଆଉ କିଛିବର୍ଷ ପରେ ଅବହେଳିତ ସାନବୁରୁଦି ଗାଁଟି ଓଡ଼ିଶା ମାନଚିତ୍ରରୁ ଲୋପପାଇ ଛତିଶଗଡ଼ରେ ମିଶିଯିବ ।
ଅନୁରୂପ ଭାବେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ପାପରମେଟ୍ଲା ପଞ୍ଚାୟତର ଚିଡିଙ୍ଗାଝୋଲା, ଜାମୁଡାଙ୍ଗ, ରାଲେଗଡ଼ା ପଞ୍ଚାୟତର ଦିଗ୍ଜାନବାଇ, ପେଣ୍ଟା ମାନକଳି, ଏର୍ଜିମା, କୁମୁଡ଼ାଗୁଡ଼ା, ନୂଆଗୁଡ଼ା ଭଳି ୨୫ରୁ ଅଧିକ ଗାଁ ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଛି । ଏଠାରେ ଓଡ଼ିଶା ସରକାରଙ୍କ ଶାସନ ବଦଳରେ ମାଓବାଦୀଙ୍କ ରାଜ୍ ଏବଂ ଆନ୍ଧ୍ର ସରକାରଙ୍କ ଶାସନ ଚାଲିଛି । ଗୋଟିଏ ପଟେ ଦୁର୍ଗମ ଅଞ୍ଚଳ । ଅନ୍ୟପଟେ ମାଓବାଦୀ ଭୟ । ଏସବୁ କାରଣରୁ ସୀମାନ୍ତବର୍ତ୍ତି ଅଞ୍ଚଳରେ ସରକାରୀ ବାବୁମାନଙ୍କ ପାଦ ପଡୁନି । ଲୋକମାନେ ପ୍ରତି କ୍ଷେତ୍ରରେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ଏସବୁ ଗ୍ରାମବାସୀ ଓଡିଆ ବଦଳରେ ତେଲୁଗୁ ଭାଷାକୁ ପ୍ରାଧାନ୍ୟ ଦେଇଛନ୍ତି । ବିଶେଷ କରି ରାଲେଗଡା ପଞ୍ଚାୟତର ଶୁଆପାଲି ଗାଁ ଆନ୍ଧ୍ରପ୍ରଦେଶର କୋରକୁଣ୍ଡା ମଣ୍ଡଳକୁ ଲାଗିରହିଛି । ଏହି ଗାଁ ଲୋକେ ନିଜ ବ୍ଲକ ଚିତ୍ରକୋଣ୍ଡାକୁ କେବେ ଆସନ୍ତି ନାହିଁ । କାରଣ ଦୁର୍ଗମ ଜଙ୍ଗଲ ସାଙ୍ଗକୁ ପାରି ହେବାକୁ ପଡ଼ିଥାଏ ବିଶାଳ ଜଳଭଣ୍ଡାର । ବ୍ଲକ ସଦର ମହକୁମାରୁ ନିତିଦିନିଆ ରାସ୍ତାଟିଏ ମଧ୍ୟ ସେଠାକୁ ନାହିଁ । ତେଣୁ ସେମାନେ ଆନ୍ଧ୍ରର କୋରକୁଣ୍ଡା ବଜାର ଉପରେ ନିର୍ଭର କରିଥାନ୍ତି । ଗାଁଟି ଓଡିଶାରେ ଥିଲେ ବି କେହି ଓଡିଆ ଭାଷା କହିବା କିମ୍ବା ଲେଖିବା ଜାଣି ନାହାନ୍ତି । ସବୁକିଛି ତେଲୁଗୁ ଭାଷାରେ ହୋଇଥାଏ । ଏହି ଗାଁରେ ଓଡ଼ିଶା ସରକାରଙ୍କ ତରଫରୁ ନାଁକୁ ମାତ୍ର ସ୍କୁଲଟିଏ ରହିଛି । ଗ୍ରାମବାସୀମାନେ ବିଦ୍ୟାଳୟର ଶିକ୍ଷକ କିଏ ଜାଣି ନାହାନ୍ତି । ବାଧ୍ୟହୋଇ ସେମାନଙ୍କ ପିଲା ତେଲୁଗୁ ସ୍କୁଲରେ ପଢୁଛନ୍ତି । କେବଳ ଶିକ୍ଷା ନୁହେଁ, ଗାଁର ବିକାଶ ଦିଗରେ ଆଖି ବୁଜି ଦେଇଛନ୍ତି ଆମ ସରକାର । ଲୋକମାନେ ଆଜି ବି ଘଞ୍ଚ ଜଙ୍ଗଲରୁ କାଠ, ବାଉଁଶ,ଫଳମୂଳ, କରଡ଼ି, ଛତୁ, କେନ୍ଦୁପତ୍ର, ମହୁଲ, ଟୋଲ ଇତ୍ୟାଦି ସଂଗ୍ରହ କରି ବଞ୍ଚୁଛନ୍ତି । ଆନ୍ଧ୍ରରେ କୁଲିମଜରି ଲାଗି ପରିବାର ଚଳାଉଛନ୍ତି । ସେମାନଙ୍କ ଲାଗି ନା ଅଛି ଜଳସେଚନ ସୁବିଧା ନା ଆଗକୁ ବଢ଼ିବାର କୌଣସି ରାହା ।
ଓଡ଼ିଶା ସରକାର ସୀମାନ୍ତ ବିବାଦୀୟ କୋଟିଆ ପଞ୍ଚାୟତ ଲାଗି ଏବେ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି । ଅଥଚ ମାଲକାନଗିରି ଜିଲ୍ଲାର ଅବହେଳିତ ସୀମାନ୍ତ ଗାଁ ପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଓଡ଼ିଶାରେ ଥାଇ ବି ଅନେକ ଗାଁର ଲୋକେ ଆନ୍ଧ୍ର ଏବଂ ଛତିଶଗଡ଼ ସଂସ୍କୃତିକୁ ଆପଣାଇ ସାରିଲେଣି । ଏଭଳି ଅବହେଳା ଜାରି ରହିଲେ ଆଉ କେଇବର୍ଷ ପରେ କୋଟିଆ ଭଳି ଅନେକ ଗାଁ ଯେ ସୀମାନ୍ତ ରାଜ୍ୟ କବଳକୁ ଚାଲିନଯିବ, ତାହା କହିବା ମୁସ୍କିଲ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons