ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆନ୍ତର୍ଜାତିକ ସ୍ତରରେ ଏକଘରିକିଆ ହୋଇପଡ଼ିଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବାର ମନେ ହେଉଛି । ପାକ୍ ସେନା ଭାରତ ସଂଲଗ୍ନ ସୀମାରେ ଅଧିକ ସଂଖ୍ୟାରେ ସୈନିକ ଓ ଯୁଦ୍ଧ ସରଞ୍ଜାମ ମୁତୟନ କରୁଛି । ଭାରତ ସୀମାରେ ଥିବା ଛାମୁଆ ଘାଟିରେ ଯୁଦ୍ଧବିମାନ ମୁତୟନ କରିଛି ।
ଗୁଇନ୍ଦା ଉପଗ୍ରହର ଚିତ୍ରରୁ ଜଣାପଡ଼ିଛି, ପାକ୍ ବାୟୁସେନା ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ଲାଗିକରି ପିଓକେରେ ଥିବା ସ୍କାରଦୁ ଘାଟିରେ ଯୁଦ୍ଧବିମାନ ମୁତୟନ କରୁଛି । ପାକ୍ ଏଠାରେ ଚୀନ୍ ନିର୍ମିତ ଜେଏଫ-୧୭ ଯୁଦ୍ଧବିମାନ ମୁତୟନ କରୁଛି । ତିନୋଟି ସି-୧୩୦ ସାମରିକ ପରିବହନ ବିମାନ ଯୋଗେ ସ୍କାରଦୁ ବାୟୁସେନା ଷ୍ଟେସନକୁ କିଛି ଉପକରଣ ଅଣାଯାଇଛି । ଭାରତୀୟ ସୁରକ୍ଷା ଏଜେନ୍ସି ଅନୁମାନ କରୁଛନ୍ତି ଯେ ଏହି ଉପକରଣଗୁଡ଼ିକ ଯୁଦ୍ଧବିମାନର ବ୍ୟବହାର ସମୟରେ ଉପଯୋଗ କରାଯିବ ।
ପାକିସ୍ତାନ ଲଦାଖ ସୀମାରେ ଯୁଦ୍ଧବିମାନ ମୁତୟନ କରୁଥିବାରୁ ସୀମାରେ କିଛି ବଡ଼ଧରଣର ହରକତ କରିବ ବୋଲି ସନ୍ଦେହ କରାଯାଉଛି । କାରଣ ତା’ର ସ୍ଥଳସେନାକୁ ଯୁଦ୍ଧ ସମୟରେ ସହାୟତା କରିବା ପାଇଁ ପାକ୍ ଉକ୍ତ ବାୟୁସେନା ଘାଟିକୁ ବ୍ୟବହାର କରିଥାଏ । ପାକ୍ ସେନା ତା’ ପୂର୍ବରୁ ଭାରତ ସୀମାରେ ତୋପ, ଟ୍ୟାଙ୍କ ସମେତ ବିଭିନ୍ନ ଯୁଦ୍ଧ ସରଞ୍ଜାମ ଏବଂ ସୈନିକ ମୁତୟନ କରିଛି । ଆଫଗାନିସ୍ତାନ ସୀମାରୁ ସୈନିକଙ୍କୁ ହଟାଇ ଭାରତ ସଂଲଗ୍ନ ପୂର୍ବ ସୀମାକୁ ପଠାଇଛି । ପାକ୍ ନୌସେନା ବି ଆରବ ସାଗରରେ ନିଜର ଅଧିକାଂଶ ଯୁଦ୍ଧଜାହାଜ ଓ ବୁଡ଼ାଜାହାଜ ମୁତୟନ କରିସାରିଛି । ପାକିସ୍ତାନର ଏଭଳି ପ୍ରସ୍ତୁତି ଉପରେ ଭାରତର ଗୁଇନ୍ଦା ସଂସ୍ଥା, ସେନାବାହିନୀ ଏବଂ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ତା’ର ଯେକୌଣସି ହରକତର ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର କୁହାଯାଇଛି ।
ଆଜି ଆଉ ଏକ ଘଟଣାକ୍ରମରେ ଭାରତ ସରକାର ଆଜି ଜମ୍ମୁ-କାଶ୍ମୀରକୁ ନେଇ ଅପପ୍ରଚାର ଚଳାଇଥିବା କିଛି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଭାରତୀୟ ସୁରକ୍ଷାକର୍ମୀ ଏବଂ ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ପ୍ରଚାର ଚଳାଇଥିବା ୮ଟି ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଯେଉଁ ଆକାଉଣ୍ଟଗୁଡ଼ିକୁ ବନ୍ଦ କରାଯାଇଛି, ସେସମ୍ପର୍କିତ ତଥ୍ୟ ବି ସାର୍ବଜନୀନ କରାଯାଇଛି ।
Comments are closed, but trackbacks and pingbacks are open.