ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପିଆଜ ଦର ୧୨୦ ଟଙ୍କାରେ ପହଞ୍ଚିଛି । ଆଜି ତମାମ ରାଜଧାନୀର ଖୁଚୁରା ବଜାରରେ ଦର ଏଭଳି ଆକାଶଛୁଆଁ ହୋଇଛି । ପିଆଜ ଦର ଶୁଣି ଲୋକେ ଅବାକ୍ ହୋଇଯାଇଛନ୍ତି । ଆବଶ୍ୟକ ଥିବାରୁ କିଛି କଷ୍ଟେମଷ୍ଟେ କାନମୁଣ୍ଡା ଆଉଁସି ଅଢେଇ ଶହ ଗ୍ରାମ ପିଆଜ କିଣି ଘରକୁ ଫେରିଛନ୍ତି । ପିଆଜର ଏଭଳି ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି ।
ଗତ କିଛି ହେବ ପିଆଜ ଦର ଅସ୍ୱାଭାବିକ ଭାବେ ଉପରମୁହାଁ ହୋଇ ଚାଲିଥିଲା । ରାଜ୍ୟରୁ ବାହାରିଥିବା ପିଆଜର ସଂରକ୍ଷଣ ପାଇଁ ସରକାରୀ ଅପାରଗତା, ଅଧିକ ପିଆଜ ଉପôାଦନ ହେଉଥିବା ମହାରାଷ୍ଟ୍ରରେ ଲଗାଣ ବର୍ଷା ଓ ଆନ୍ଧ୍ରପ୍ରଦେଶରୁ କମ୍ ପିଆଜ ଆମଦାନୀ କାରଣରୁ ପିଆଜ ଦର ଅହେତୁକ ଭାବେ ବଢ଼ି ଚାଲିଥିଲା । ଗତ ଦୁଇ ମାସ ଭିତରେ ପିଆଜ ଦର ୨୦-୩୦ଟଙ୍କାରୁ ବଢି ଏବେ ୧୨୦ ଟଙ୍କାରେ ପହଞ୍ଚିଛି । ପିଆଜ ଦର ଖାଲି ଲୋକଙ୍କୁ ବାଧୁନି, ଯନ୍ତ୍ରଣା ଦେଉଛି । ଅନେକ ବିଗତ କିଛି ଦିନ ହେବ ପିଆଜ ଖାଇବା ଭୁଲିଗଲେଣି ।
ଆଜି ମଧ୍ୟ ରାଜଧାନୀ ହୋଲସେଲ ମାର୍କେଟ୍କୁ କମ୍ ପିଆଜ ଆମଦାନୀ ହୋଇ ଆସିଥିଲା । ରାଜଧାନୀ ପାଇଁ ଦୈନିକ ଅଢେଇ ଶହରୁ ୩୦୦ ଟନ୍ ପିଆଜ ଆବଶ୍ୟକ । କିନ୍ତୁ ଆମଦାନୀ ହୋଇଥିଲା ମାତ୍ର ୧୦୦ ଟନ୍ । ସେପଟେ ହୋଲସେଲ ବ୍ୟବସାୟୀମାନେ ମଧ୍ୟ ଆନ୍ଧ୍ରପ୍ରଦେଶର କର୍ଣ୍ଣୋଲରୁ କେଜି ପିଛା ୧୦୦ ଟଙ୍କାରେ କିଣିଥିଲେ । କାଲି ଏହି ହୋଲସେଲ ଦର ୯୦ ଟଙ୍କା ଥିଲା । ଆଜି ହୋଲସେଲ ଦରରେ ୧୦ ଟଙ୍କା ବଢ଼ିବାରୁ ଖୁଚୁରା ବଜାରରେ ଏହା ଆଉ ୧୦-୨୦ ଟଙ୍କା ବଢ଼ି ଯାଇଥିଲା ।
କୁବେରପୁରୀ ବ୍ୟବସାୟୀ ମହାସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ର ସୂଚନା ଦେଇ କହିଛନ୍ତି, ଆଜି ସହରକୁ ମାତ୍ର ୧୦୦ ଟନ୍ ପିଆଜ ଆାମଦାନୀ ହୋଇ ଆସିଛି । ଆମେ ୧୦୦ ଟଙ୍କାରେ ପିଆଜ କିଣିଛୁ । ଖୁଚୁରା ବଜାରରେ ଆହୁରି ଅଧିକରେ ବିକ୍ରି ହେଉଛି ।
ରାଜଧାନୀର ବିଭିନ୍ନ ସ୍ଥାନରେ ପିଆଜ ୧୧୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି । ଛୋଟ ପିଆଜ ୧୧୦ ଓ ବଡ଼ ପିଆଜ ୧୨୦ ଟଙ୍କାରେ ବିକ୍ରି ହେଉଛି । ଏକ ନଂ ହାଟ, ୪ନଂ ହାଟ, କୋଚିଲାଖାଇ ହାଟ ଓ ପଳାଶୁଣୀ ହାଟରେ ପିଆଜ ଦର ୧୦୦ ଟଙ୍କା ରହିଛି । ବିଭିନ୍ନ ପେଟ୍ରୋଲ ପମ୍ପ କ୍ୟାମ୍ପସରେ ଖୋଲିଥିବା ସଫଲ୍ ଷ୍ଟୋର୍ରେ ୯୦ ଟଙ୍କାରେ ପିଆଜ ବିକ୍ରି ହେଉଛି । ସରକାର ଭୁବନେଶ୍ୱରରେ ୫ଟି ମୈତ୍ରୀ ଷ୍ଟୋର୍ ଖୋଲି କିଲୋ ପିଛା ୫୦ ଟଙ୍କାରେ ପିଆଜ ବିକୁଛନ୍ତି । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖ । ସରକାରୀ ଅପାରଗତାର ଫଳ ଏବେ ଲୋକଙ୍କ ମୁଣ୍ଡରେ ଦରବୃଦ୍ଧି ରୂପରେ ଲଦା ହୋଇଛି ।
Comments are closed, but trackbacks and pingbacks are open.