ସୀମା ବିବାଦ:ସମାଧାନ ପାଇଁ ଭାରତକୁ ପ୍ରସ୍ତାବ ଦେଇଛି ଚୀନ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତ ସହିତ ସୀମା ବିବାଦର ଶୀଘ୍ର ସମାଧାନ କରିବାକୁ ଚୀନ୍ ଚାହୁଁଛି । ଏଥିପାଇଁ ଚୀନ୍ ଦ୍ୱାରା ଭାରତକୁ କିଛି ପ୍ରସ୍ତାବ ଦିଆଯାଇଛି । ଭାରତ ଏବେ ଏହି ପ୍ରସ୍ତାବଗୁଡିକ ଉପରେ ବିଚାର କରି ନିଷ୍ପତ୍ତି ନେବ ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ ଗସ୍ତରେ ଯାଇଥିଲାବେଳେ ଗତ ସୋମବାର ସେଠାକାର ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଥିଲେ । ଏହି ସମୟରେ ୱାଙ୍ଗ ସୀମା ବିବାଦର ସମାଧାନ ପାଇଁ ଭାରତକୁ କିଛି ପ୍ରସ୍ତାବ ଦେଇଥିଲେ । ଆସନ୍ତା କିଛି ସପ୍ତାହ ଭିତରେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ର ବିଦେଶ ମନ୍ତ୍ରୀ ୱାଙ୍ଗ ଏନେଇ ଆଲୋଚନା କରିବେ । ଅବଶ୍ୟ ଏହି ପ୍ରସ୍ତାବଗୁଡିକ ସମ୍ପର୍କରେ ବିସ୍ତୃତ ତଥ୍ୟ ସାର୍ବଜନୀନ କରାଯାଇନାହିଁ । ଆସନ୍ତା ଅକ୍ଟୋବରରେ ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଭାରତ ଗସ୍ତରେ ଆସିବେ । ସେ ବାରାଣସୀରେ ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ଭାରତର ବିଶେଷଜ୍ଞଙ୍କ କହିବାନୁଯାୟୀ, ଚୀନ୍ ସବୁବେଳେ ସୀମା ବିବାଦକୁ ନେଇ କଥାବାର୍ତ୍ତାବେଳେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଥିଲା । ଏହାଯୋଗୁ ଏହି ବିବାଦର ସମାଧାନ ବାହାରିବାରେ ଅହେତୁକ ବିଳମ୍ବ ହେଉଥିଲା । ହେଲେ ଚୀନ୍ ଏବେ ନିଜର ଆଭିମୁଖ୍ୟ ବଦଳାଇଥିବାର ମନେ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons