ସୀମା ଲଂଘିଲେ ଅମାନିଆ:ତାଗିଦ୍ ବେଳେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଯାଜପୁରରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ କଟକଣାକୁ କଡ଼ାକଡ଼ି କରିଛି । ଲୋକଙ୍କୁ ଘରୁ ନବାହାରିବା ପାଇଁ ବାରମ୍ବାର ସଚେତନ କରିବା ପରେ ବି ଏହାକୁ ମାନୁନଥିବା ଅମାନିଆଙ୍କୁ ତାଗିଦ୍ କରାଯାଉଛି । ଆଜି ରସୁଲପୁର ବ୍ଲକ ବଡ଼କଇଁଚି ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ କିଛି ଅମାନିଆଙ୍କୁ ତାଗିଦ୍ କରିବା ସମୟରେ ପ୍ରଶାସନିକ ଅଧିକାରୀ ଆକ୍ରମଣର ଶିକାର ହୋଇଛନ୍ତି । ଗ୍ରାମର ୫୦ରୁ ୬୦ବ୍ୟକ୍ତି ସଂଘବଦ୍ଧଭାବେ ଏହି ଅଧିକାରୀମାନଙ୍କୁ ଆକ୍ରମଣ କରିଥିଲେ । ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖିଥିବା ବେଳେ ଗ୍ରାମରେ ୧୪୪ ଧାରା ଜାରି କରିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସ କରୋନାସ୍ଥିତି ଅନୁଧ୍ୟାନ ସହ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ୱ ଅନୁପାଳନ ସଂପର୍କରେ ରସୁଲପୁର ବ୍ଲକରେ ବିବିଧ ସ୍ଥାନକୁ ପରିଦର୍ଶନ କରିଥିଲେ । ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା, ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଓ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ପ୍ରମୁଖ ପରିଦର୍ଶନରେ ଯାଇଥିଲେ । ଗୋପୀନାଥପୁରଠାରେ ତିନିଜଣ ଯୁବକ ମୋଟରସାଇକେଲରେ ଦ୍ରୁତ ଗତିରେ ବିନା ମାସ୍କରେ ଯାଉଥିବା ବେଳେ ବିଡିଓ ଶ୍ରୀ ପରିଡ଼ା ଓ ତହସିଲଦାର ଶ୍ରୀ ଭୂଜବଳ ସେମାନଙ୍କୁ ଅଟକାଇ ଥିଲେ । ସେମାନେ ନମାନି ଆହୁରି ତିବ୍ର ଗତିରେ ଗାଁକୁ ପଶି ଯାଇଥିଲେ । ଉଭୟ ଅଧିକାରୀ ଗାଁକୁ ଯାଇ ସେମାନଙ୍କୁ ଅଟକାଇ ଗାଡ଼ିରେ ବୁଲିବା ନିଷେଧ ଥିବା ବେଳେ ବିନା ମାସ୍କରେ କାହିଁକି ଦ୍ରୁତ ଗତିରେ ବୁଲୁଛ ବୋଲି ତାଗିଦ୍ କରିବା ସହ ଜରିମାନା କାଟିବାକୁ କହିବା ବେଳେ ପ୍ରାୟ ୫୦ରୁ ୬୦ଜଣ ବ୍ୟକ୍ତି ସଂଘବଦ୍ଧଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ । ସୂଚନା ପାଇ ସାମାନ୍ୟଆଗକୁ ଯାଇଥିବା ଜିଲ୍ଲାପାଳ ସେଠାକୁ ଫେରି ଘଟଣା ସଂପର୍କରେ ପଚାରିବା ବେଳେ ଆକ୍ରମଣକାରୀ ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ସଂଘବଦ୍ଧଭାବେ ଆକ୍ରମଣ ଉଦ୍ୟମ କରିଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଧଶରେ ପୁଲିସ ତତ୍କ୍ଷଣାତ ପହଞ୍ଚô ଆକ୍ରମଣକାରୀଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁÂାନ କରିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ତିନିଜଣ ଅବଦୁଲ କଲନ୍ ଖାଁଙ୍କ ପୁଅ ରାଜନ ଖାଁ, ପରବେଜ ଖାଁ ଓ ଅବଦୁଲ ସଲାମଙ୍କ ପୁଅ ସୋଫିଆନ ରାଜଙ୍କୁ ଥାନାରେ ଅଟକ ରଖି ପଚରାଉଚାରା କରିଛନ୍ତି । ପଚରାଉଚରା ସମୟରେ ଏହି ଯୁବକଙ୍କର ନିଜାମୁଦ୍ଧିନ ଲିଙ୍କ୍ ଥିବା ବିଷୟରେ ଜଣାପଡ଼ିଥିଲା । କରୋନାରେ ଭୟାବହତାକୁ ରୋକିବା ନିମନ୍ତେ ସରକାର ସମସ୍ତଙ୍କୁ ମାସ୍କ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ଅଯଥା ଗାଡ଼ି ବ୍ୟବହାର ନକରିବାକୁ ପରାମର୍ଶ ଦିଆଯିବା ପରେ ମଧ୍ୟ ଏଭଳି ବିଶୃଙ୍ଖଳତା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି । ଘଟଣା ସଂପର୍କରେ ଖବର ପାଇ ଏସ୍ପି ଚରଣ ସିଂ ମୀନା ଘଟଣାସ୍ଥଳରେ ପହଞ୍ଚô ପରିସ୍ଥିତିର ଅନୁଧ୍ୟାନ କରି ଫ୍ଲାଗ ମାର୍ଚ୍ଚ କରାଇଛନ୍ତି । ଏହି ସହିତ ଉକ୍ତ ଗ୍ରାମରେ ୧୪୪ ଧାରା ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons