ସୁନା ବ୍ୟବସାୟୀଙ୍କୁ ହତ୍ୟା ଓ ଲୁଟ ଘଟଣା: ମାଷ୍ଟର ମାଇଣ୍ଡ ସମେତ ୫ ଗିରଫ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ଗତ ୧ ତାରିଖ ବଡ଼ଗାଁ ଥାନାରୁ ୫୦୦ ମିଟର ଦୂରରେ ଥିବା ଦୋକାନକୁ ଖୋଲିବା ପାଇଁ ଆସୁଥିବା ସୁନା ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିବା ସହ ସୁନା ବ୍ୟାଗ୍ ଲୁଟି ଲୁଟେରାମାନେ ଫେରାର ହୋଇ ଯାଇଥିଲେ । ଏହି ଘଟଣାରେ ସୁନ୍ଦରଗଡ଼ ପୁଲିସ୍ ମାଷ୍ଟର୍ ମାଇଣ୍ଡ୍ ସମେତ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳରେ ୨୪ରୁ ଉଦ୍ଧ୍ୱର୍ ଲୁଟ ମାମଲାରେ ସମ୍ପୃକ୍ତ ଥିବା ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି । ଲୁଟେରାମାନଙ୍କ ଠାରୁ ୩୭୫ ଗ୍ରାମ ସୁନା ଏବଂ ୨ ଲକ୍ଷ ୭୫ ହଜାର ଟଙ୍କା ଜବତ କରାଯାଇଛି ।
ରାଜ୍ୟ ରାଜପଥ ୧୦ର ରାସ୍ତା କଡ଼ରେ ରହିଥିବା ମାର୍କେଟ୍ କମ୍ପେ୍ଲକ୍ସରେ ନିୟୁ ମା’ ମଙ୍ଗଳା ଜୁଏଲାରୀ ଦୋକାନ ରହିଛି । ଏହାର ମାଲିକ ରୋହିତ ବର୍ମା ସକାଳ ୯ଟାରେ ଘରୁ ବ୍ୟାଗ୍ରେ ସୁନା ନେଇ ଦୋକାନ ଖୋଲିବା ଲାଗି ଆସୁଥିଲେ । ଦୋକାନର ତାଲା ଖୋଲୁଥିବା ସମୟରେ ହଠାତ୍ ତିନିଜଣ ଯୁବକ ଏକ ବାଇକ୍ରେ ଆସିଥିଲେ । ଦୁଇ ଜଣ ବାଇକ୍ରୁ ଓହ୍ଲାଇ ସୁନା ବ୍ୟବସାୟୀଙ୍କ ଠାରୁ ଉକ୍ତ ବ୍ୟାଗ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଟଣାଓଟରା ହେବାରୁ ରୋହିତଙ୍କୁ ଲୁଟେରାମାନେ ଗୁଳି କରିଥିଲେ । ତଥାପି ଦୋକାନୀ ବ୍ୟାଗ୍ ନଛାଡ଼ିବାରୁ ଲୁଟେରାମାନେ ଆଉ ଏକ ଗୁଳି ଚଳାଇଥିଲେ । ଗୁଳି ସୁନା ବ୍ୟବସାୟୀଙ୍କ ଶରୀରରେ ବାଜିବାରୁ ସେ ପଡ଼ି ଯାଇଥିଲେ । ଏହା ପରେ ଲୁଟେରାମାନେ ତାଙ୍କ ଠାରୁ ବ୍ୟାଗ୍ ଛଡ଼ାଇ ବାଇକ୍ରେ ବସିବାକୁ ଯାଉଥିବା ବେଳେ ବଡଗାଁ ଗ୍ରାମର ସରୋଜ ଦାସ ଦୌଡ଼ି ଆସି ଗାଡ଼ିକୁ ପଛପଟୁ ଧରିବାରୁ ତାଙ୍କ ଉପରକୁ ମଧ୍ୟ ଲୁଟେରାମାନେ ଗୁଳି କରିଥିଲେ । ହେଲେ ଏହି ସମୟରେ ପିସ୍ତଲଟି ତଳେ ପଡ଼ି ଯାଇଥିଲା । ଲୁଟେରା ପିସ୍ତଲ ନଉଠାଇ ଦ୍ରୁତଗତିରେ ସୁନ୍ଦରଗଡ଼ ପଟେ ଫେରାର ହୋଇ ଯାଇଥିଲେ । ଗୁଳି ମାଡ଼ରେ ଗୁରୁତର ରୋହିତ ଓ ସରୋଜଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ରୋହିତଙ୍କୁ ମୃତ ଘୋଷିତ କରିଥିଲେ । ଏହି ଘଟଣା ପରେ ଅପରାଧୀମାନଙ୍କୁ ଧରିବା ଲାଗି ଏସ୍ପି ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଟାଉନ୍ ଥାନା ଅଧିକାରୀ ବିଭ ପ୍ରଧାନଙ୍କ ନେତୃତ୍ୱରେ ଏସ୍ଆଇ ଭଗବାନ ପୂଜାରୀଙ୍କ ସହ ଝାଡ଼ଖଣ୍ଡ ଓ ବିହାରକୁ ଯାଇ ସ୍ଥାନୀୟ ପୁଲିସ୍ ସହାୟତାରେ ଘଟଣାର ତଦନ୍ତ କରୁଥିବା ବେଳେ ରାଜଗାଙ୍ଗପୁର ଏସ୍ଡିପିଓ ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲାରେ ଓ ସାଇବର ଟିମ୍ ଲୁଟେରା ଗ୍ୟାଙ୍ଗ୍କୁ ଧରିବା ପାଇଁ କାର୍ଯ୍ୟ କରୁଥିଲେ । ଗତକାଲି ବିହାର ରାଜ୍ୟର ଗୋପାଲଗଞ୍ଜ ପୁଲିସ୍ ଶିବାନ ଜିଲ୍ଲାର ସରାଇ ଗ୍ରାମର କୁଖ୍ୟାତ ଲୁଟେରା କିଶୋର କହ୍ନେଇ ଓରଫ ମାହାତୋ ମାଜାଗଡ଼ ଥାନା ଅନ୍ତର୍ଗତ ବିଶ୍ୱମରପୁର ଗ୍ରାମକୁ ଲୁଟ୍ କରିବା ଉଦେ୍ଧଶ୍ୟରେ ଆସୁଥିବା ଖବର ପାଇଥିଲା । ଲୁଟେରାକୁ ଧରିବା ଲାଗି ଗୋପାଲଗଞ୍ଜର ଏସ୍ଡିପିଓ ଯୋଜନା କରି ଜାଲ ବିଛାଇଲେ । କିଶୋର ବିଶ୍ୱମରପୁର ଗ୍ରାମକୁ ପହଞ୍ଚିବା ପୂର୍ବରୁ ପୁଲିସ୍ ଜାଲରେ ପଡ଼ି ଯାଇଥିଲେ । କିଶୋରକୁ ପୁଲିସ୍ ଗିରଫ କରି ଥାନାକୁ ନେଇ ପଚରାଉଚରା କରିବାରୁ ସେ ବଡ଼ଗାଁ ଅଞ୍ଚଳରେ ସୁନା ବ୍ୟବସାୟୀଙ୍କୁ ହତ୍ୟା କରି ୮୦୦ ଗ୍ରାମ ସୁନା ଲୁଟି ନେଇଥିବା କହିଥିଲା ।
କିଶୋର ବୟାନ ଅନୁଯାୟୀ ତାର ପତ୍ନୀ ପ୍ରଭା ଦେବୀ ଲୁଟ୍ ସୁନାଗହଣା ବିକ୍ରି କରାଇବାରେ ସହଯୋଗ କରୁଥିଲା ଓ ଭାଇ ଅନୀଲ ମାହାତୋ ଲୁଟରେ ସହଯୋଗ କରୁଥିଲା ବୋଲି ସେ ସ୍ୱୀକାର କରିଥିଲା । ବିହାର ପୁଲିସ୍ କିଶୋର ଘର ଉପରେ ଚଢ଼ଉ କରି ୩୨୫ ଗ୍ରାମ ସୁନା, ୨ ଲକ୍ଷ ୭୦ ହଜାର ଟଙ୍କା, ଗୁଳି ଭର୍ତ୍ତି ପିସ୍ତଲ, ଗୋଟିଏ ମାଗାଜିନ୍, ୫ଟି ମୋବାଇଲ୍ ଜବତ କରିଥିଲା । ଗିରଫ କିଶୋର ଲୁଟ ଗ୍ୟାଙ୍ଗ୍ର ମୁଖିଆ ଏବଂ ଏହି ଗ୍ୟାଙ୍ଗ୍ରେ ବହୁତ ସଦସ୍ୟ ରହିଛନ୍ତି । ସେମାନଙ୍କ ଭିତରୁ କିଛି ଲୋକ ଜେଲ୍ରେ ରହିଥିବା ବେଳେ ଆଉ କିଛି ଲୋକ ଏବେ ଜେଲ୍ରୁ ବାହାରିଛନ୍ତି । ଏହି ଗ୍ୟାଙ୍ଗ୍ ବିହାର ଓ ଝାଡ଼ଖଣ୍ଡରେ ୨୪ରୁ ଉଦ୍ଧ୍ୱର୍ ହତ୍ୟା ଏବଂ ଲୁଟ୍ ମାମଲା ରହିଛି । ଏହି ଲୁଟେରା ଦଳ ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ରହିଛି । ଝାଡ଼ଖଣ୍ଡ ଓ ବିହାରରେ ବଡ଼ଗାଁ ଘଟଣାର ତଦନ୍ତ କରୁଥିବା ପୁଲିସ୍ ଦଳ ଗୋପାଲଗଞ୍ଜ ପହଞ୍ଚି ଗିରଫ କିଶୋରକୁ ପଚରାଉଚରା କରୁଛନ୍ତି । ଗୋପାଲଗଞ୍ଜରୁ ସୁନ୍ଦରଗଡ଼କୁ ରିମାଣ୍ଡରେ ଅଣାଯିବ ବୋଲି ସୁନ୍ଦରଗଡ଼ ଏସ୍ପି ଜଣାଇଛନ୍ତି । ଏହି ଘଟଣାରେ ଗୋପାଲଗଞ୍ଜ ପୁଲିସ୍ ଜଣେ ମହିଳା ସମେତ ଗୋଟିଏ ପରିବାର ତିନି ଜଣକୁ ଗିରଫ କରିଥିବା ବେଳେ ସୁନ୍ଦରଗଡ଼ ପୁଲିସ୍ ପକ୍ଷରୁ କିଶୋରର ବୟାନକୁ ଆଧାର କରି ରାଞ୍ଚି ରୋଡ୍ର ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ଏସ୍ପି ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons