ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍.ଏ.ବୋବଡେ ଓ ଜଷ୍ଟିସ ଏସ୍.ଏ.ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ହୋଇଛି । ଅନୁଚ୍ଛେଦ ୩୭୦ ସମ୍ବନ୍ଧିତ ସମସ୍ତ ଆବେଦନର ଶୁଣାଣି ଏକାସହ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାକହି ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଏହା କେଉଁ ପ୍ରକାରର ଆବେଦନ ସେ ବୁଝିପାରୁନାହାନ୍ତି । ମାମଲାକୁ ଆଉ ଥରେ ଦାୟର କରାଯାଉ ବୋଲି ଜଷ୍ଟିସ ଗୋଗୋଇ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦକୁ ନେଇ ଦୁଇଟି ମାମଲାର ଶୁଣାଣି କରାଯାଇଛି । ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ଏମ୍.ଏଲ୍. ଶର୍ମା ଓ କଶ୍ମୀର ଟାଇମ୍ସର କାର୍ୟ ନିର୍ବାହୀ ସଂପାଦକ ଅନୁରାଧା ଭାଷିନ ଏ ପ୍ରସଙ୍ଗରେ ୨ଟି ମାମଲା ଦାଏର କରିଥିଲେ । ଆଡଭୋକେଟ୍ ଏମ.ଏଲ. ଶର୍ମା କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ବେଳେ, ସାମ୍ବାଦିକା ଅନୁରାଧା ଭାଷିନ ରାଜ୍ୟରେ ବିଭିନ୍ନ ଯୋଗାଯୋଗ ମାଧ୍ୟମ ଉପରେ ଲଗାଯାଇଥିବା କଟକଣାକୁ ଚ୍ୟାଲେଞ୍ଜ କରିଛନ୍ତି । ଇଣ୍ଟରନେଟ୍, ଫୋନ୍ ଆଦି ସେବା ତୁରନ୍ତ ଆରମ୍ଭ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ନିଜ ଆବେଦନରେ ଦର୍ଶାଇଥିଲେ ।
କେନ୍ଦ୍ର ସରକାର ଗତ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।
Comments are closed, but trackbacks and pingbacks are open.