ନୂଆଦିଲ୍ଲୀ: କଂଗ୍ରେସ-ଜେଡିଏସ୍ ମେଣ୍ଟର ବିଦ୍ରୋହୀ ବିଧାୟକ ଏବଂ କଣ୍ଣ ର୍ାଟକ ବିଧାନସଭା ବାଚସ୍ପତି କେ ଆର ରମେଶ କୁମାରଙ୍କ ଆବେଦନ ଉପରେ ଶୁକ୍ରବାର ସୁପ୍ରିମ୍କୋର୍ଟ ୧୬ ତାରିଖ (ମଙ୍ଗଳବାର) ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି କରିଛନ୍ତି । ୯ ବିଧାୟକଙ୍କ ଇସ୍ତଫା ବାବଦରେ ନିଷ୍ପତ୍ତି ନେବା ପାଇଁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଫଳରେ ବିଧାୟକମାନଙ୍କ ଇସ୍ତଫା ଯଥା ପୂର୍ବଂ ତଥା ପର ସ୍ଥିତିରେ ରହିଛି ।
ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ମାମଲାର ପରବର୍ତ୍ତୀ ଶୁଣାଣି ୧୬ ତାରିଖରେ ହେବ । ସେ ପର୍ଯ୍ୟନ୍ତ ତମାମ ଘଟଣା ଉପରେ ସ୍ଥିତାବସ୍ଥା ଜାରି ରହିବ । ଫଳରେ ୧୬ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ରମେଶ କୁମାର ସମ୍ପୃକ୍ତ ବିଧାୟକଙ୍କ ଇସ୍ତଫାକୁ ଭିତ୍ତିକରି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ । ଏଭଳି ନିର୍ଦ୍ଦେଶ ଦେଇ ସର୍ବୋଚ୍ଚ ଅଦାଲତ ବାଚସ୍ପତିଙ୍କୁ ସମୟ ଦେଇଛନ୍ତି ସତ, କିନ୍ତୁ କୌଣସି ବଡ଼ ନିଷ୍ପତ୍ତି ନେବାକୁ ବାରଣ କରିଛନ୍ତି ।
ଖଣ୍ଡପୀଠ ମାମଲାରେ ଜଡ଼ିତ ସମସ୍ତ ପକ୍ଷଙ୍କର ଦଲିଲ ଯାଞ୍ଚ କରିଥିଲେ । ବିଦ୍ରୋହୀ ବିଧାୟକଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ, ବାଚସ୍ପତି ରମେଶ କୁମାର ଜାଣିଶୁଣି ଇସ୍ତଫା ଉପରେ ନିଷ୍ପତ୍ତି ନେଉନାହାନ୍ତି । ଏହାର ଜବାବ ଦେଇ ବାଚସ୍ପତିଙ୍କ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ବିଧାୟକଙ୍କ ଇସ୍ତଫା ଉପରେ ବାଚସ୍ପତିଙ୍କୁ ଭଲ ଭାବେ ଯାଞ୍ଚ କରିବାକୁ ହେବ । ସେମାନଙ୍କର ଏଭଳି ନିଷ୍ପତ୍ତିରେ ବାଚସ୍ପତି ସନ୍ତୁଷ୍ଟ ହେବା ପରେ ହିଁ ଏହାକୁ ମଞ୍ଜୁରି ମିଳିପାରିବ । ତେଣୁ ଏ ନେଇ ବିଚାର ପାଇଁ ଆଉ କିଛି ଦିନ ଦରକାର ବୋଲି ସିଂଘଭି କହିଥିଲେ ।
ଉଭୟ ପକ୍ଷର ଦଲିଲ ଓ ଯୁକ୍ତିକୁ ଅନୁ୍ମାନ ପରେ ସୁପ୍ରିମ୍କୋର୍ଟ ତମାମ ଘଟଣା ଉପରେ ସ୍ଥିତାବସ୍ଥା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବାର କ୍ଷମତା ବାଚସ୍ପତିଙ୍କର ରହିଛି ଏବଂ ସୁପ୍ରିମ୍କୋର୍ଟ ଏଥିରେ ହସ୍ତକ୍ଷେପ କରି ଶୁଣାଣି କରିପାରିବେ ନାହିଁ ବୋଲି ବାଚସ୍ପତିଙ୍କ ପକ୍ଷରୁ ଦାଖଲ ଦଲିଲରେ ଯାହା ଦର୍ଶାଯାଇଥିଲା, ତାହାକୁ ନେଇ ସୁପ୍ରିମ୍କୋର୍ଟ କ୍ଷୁବ୍ଧ ହୋଇଥିଲେ । ସର୍ବୋଚ୍ଚ ଅଦାଲତଙ୍କ କ୍ଷମତାକୁ ବାଚସ୍ପତି ଚାଲେଞ୍ଜ୍ କରୁଛନ୍ତି କି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗୋଇ ପଚାରିଥିଲେ । କିନ୍ତୁ ଉତ୍ତରରେ ସିଂଘଭି ନରମ ମନୋଭାବ ପୋଷଣ କରି ‘ନା, ସେମିତି କିଛି ନୁହେଁ’ ବୋଲି କହିଥିଲେ ।
ବିଧାୟକଙ୍କ ଇସ୍ତଫା ବାବଦରେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରି ନଥିବା ବେଳେ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଆଜି ମେଣ୍ଟ ସରକାରର ବହୁମତ ପ୍ରମାଣ ଲାଗି ଆସ୍ଥା ଭୋଟ୍ ନିମନ୍ତେ ତାରିଖ ଧାର୍ଯ୍ୟ କରିବାକୁ ବାଚସ୍ପତିଙ୍କୁ କହିଥିଲେ । ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗ ଉଠିଥିଲା । ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଭୋଟ୍ ଟିପ୍ପଣୀ ଉପରେ ବାଚସ୍ପତି କହିଥିଲେ, ଯେବେ ସରକାରଙ୍କ ପକ୍ଷରୁ ଏ ନେଇ ଔପଚାରିକ ଭାବେ ପ୍ରସ୍ତାବ ଦିଆଯିବ, ସେଥିପାଇଁ ଉପଯୁକ୍ତ ସମୟ ନିର୍ଦ୍ଧାରଣ କରାଯିବ । ମୌସୁମୀ ଅଧିବେଶନ ୧୧ ଦିନ ଧରି ଚାଲିବ ।
ଉଲ୍ଲେଖଯୋଗ୍ୟ, କଂଗ୍ରେସର ୧୩ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୯ ଜଣ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ବାଚସ୍ପତିଙ୍କୁ ପୁନର୍ବାର ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହାପରେ ପୁଣି ସେମାନେ ବସ୍ ଯୋଗେ ମୁମ୍ବାଇ ଫେରିଯାଇଥିଲେ । ଯଦି ସେମାନଙ୍କ ଇସ୍ତଫା ପତ୍ର ଗୃହୀତ ହୋଇଯାଏ, ତେବେ କଣ୍ଣ ର୍ାଟକର ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଗୃହରେ ବହୁମତ ହରାଇବ । ଫଳରେ ରାଜ୍ୟରେ ସରକାର ଗଢ଼ିବା ଲାଗି ବିଜେପିକୁ ସୁଯୋଗ ମିଳିବ । ଏବେ କେବଳ ବିଧାୟକଙ୍କ ଇସ୍ତଫା ଉପରେ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ରହିଛି ।
ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆସ୍ଥା ଭୋଟ୍ ଲୋଡ଼ିବାକୁ ଯାଉଥିବାରୁ ଏହା ଉଭୟ ମେଣ୍ଟ ସରକାର ଏବଂ ବିରୋଧୀ ଦଳ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂଣ୍ଣ ର୍ ସାବ୍ୟସ୍ତ ହୋଇଛି । ବାଚସ୍ପତି ରମେଶ କୁମାର ତାରିଖ ଧାର୍ଯ୍ୟ କରିବା ପରେ ଆସ୍ଥା ଭୋଟ୍ ଲୋଡ଼ାଯିବ । ଏଥିପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ସତର୍କ ହୋଇଯାଇଛନ୍ତି । ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିଧାୟକମାନେ ବିଧାନସଭାରୁ ନିଜ ବାସଭବନକୁ ଯାଇନାହାନ୍ତି । ସେମାନଙ୍କୁ ହୋଟେଲ ଓ ରିସର୍ଟକୁ ନିଆଯାଇଛି ।ଁ କଂଗ୍ରେସ, ବିଜେପି ଏବଂ ଜେଡିଏସ୍ ଏହାର ବିଧାୟକମାନଙ୍କୁ ବେଙ୍ଗାଲୁରୁର ପୃଥକ୍ ହୋଟେଲରେ ରଖିଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.