ସୁରଟରେ ପହଞ୍ଚିଲେ ଗଞ୍ଜାମର ୧୨ଶହ ଶ୍ରମିକ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ): ବୁଧବାର ରାତିରେ ବ୍ରହ୍ମପୁର ଷ୍ଟେସନ୍ରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବାହାରିଥିବା ଗଞ୍ଜାମ ଜିଲ୍ଲାର ପ୍ରାୟ ୧୨ଶହରୁ ଅଧିକ ଶ୍ରମିକ ଶୁକ୍ରବାର ଭୋର୍ରେ ସୁରଟ ଷ୍ଟେସନ୍ରେ ଓହ୍ଲାଇଛନ୍ତି । ସେମାନଙ୍କୁ ସେଠିକାର ଆଜୀବିକା ବୁ୍ୟରୋ ସଙ୍ଗଠନର ପ୍ରବାସୀ ଶ୍ରମିକ ସୁରକ୍ଷା ମଞ୍ଚ କର୍ମକର୍ତ୍ତା ସ୍ୱାଗତ ଜଣାଇଥିଲେ । ଟ୍ରେନ୍ରୁ ଓହ୍ଲାଇବା ପରେ ସମସ୍ତଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇ ଥିଲା । ଏହା ପରେ ସେମାନେ ନିଜ ବ୍ୟବସ୍ଥାରେ ସୁରଟ ମହାନଗର ଓ ଉପକଣ୍ଠର ବିଭିନ୍ନ ଅଞ୍ଚଳକୁ ଯାଇଥିଲେ । ସପରିବାର ଫେରିଥିବା ପରିବାରକୁ ପ୍ରାଥମିକତା ଭିତ୍ତିରେ ରହଣୀ ଯୋଗାଡ କରାଯାଇ ଥିଲା । ଶୀଘ୍ର ସେମାନେ ପୂର୍ବରୁ କାମ କରୁଥିବା ସୁରଟର ବିଭିନ୍ନ ଶିଳ୍ପାଞ୍ଚଳରେ ଥିବା କଳକାରଖାନା ତଥା ସୁତା କଳ ସହ ଯୋଗାଯୋଗ କରି କାର୍ଯ୍ୟରେ ଯୋଗଦେବେ ବୋଲି ଜଣାଯାଇଛି । ସୁରଟ ଷ୍ଟେସନ୍ରେ ଶ୍ରମିକମାନେ ଓହ୍ଲାଇବା ବେଳେ ପ୍ରବାସୀ ସୁରକ୍ଷା ମଞ୍ଚ ଜିନ୍ଦାବାଦ ସ୍ଲୋଗାନ୍ ଦେଇଥିଲେ । ଏହି ମଞ୍ଚ ଓ ହୋମ୍ ଫାଷ୍ଟ୍ କମ୍ପାନୀ ସହଯୋଗରେ ଗଞ୍ଜାମର ପ୍ରାୟ ୧୨ଶହରୁ ଅଧିକ ଶ୍ରମିକ ଏକାକୀ କିମ୍ବା ପରିବାର ଲୋକଙ୍କ ସହ ସୁରଟକୁ ଟ୍ରେନ୍ ଯୋଗେ ମାଗଣାରେ ଯାତ୍ରା କରିଥିଲେ । ଆଇଆର୍ସିଟିସି ଜରିଆରେ ସିଧାସଳଖ ଟ୍ରେନ୍ ବୁକିଂ କରିଥିଲା ମଞ୍ଚ । ଏହି ପାୱାର୍ଲୁମ୍ ୱର୍କର୍ସ ଏକ୍ସପ୍ରେସ୍ ଜରିଆରେ ସୁରଟରେ ପହଞ୍ଚିଥିବା ଗଞ୍ଜାମର ଏତେସଂଖ୍ୟକ ଶ୍ରମିକ ଏବେ ପୁଣି ସୁରଟର ବିଭିନ୍ନ ସୁତାକଳରେ ନିୟୋଜିତ ହୋଇ ରୋଜଗାର କରିପାରିବେ ବୋଲି କହିଛନ୍ତି ମଞ୍ଚ କର୍ମକର୍ତ୍ତା ସଞ୍ଜୟ ପଟେଲ୍ । ଆମ ଟିମ୍ ଅଢେଇ ମାସ ହେଲା ବିଶେଷ କରି ଗତ ୧୫ ଦିନ ହେବ ବେଶ୍ ପରିଶ୍ରମ କରିଛି । ଲୋକଙ୍କୁ ସେମାନଙ୍କ ରୋଜଗାର ସହ ଯୋଡିବା ପ୍ରୟାସ କରାଯାଇଛି । ସମସ୍ତଙ୍କୁ ଶୀଘ୍ର କାମ ମିଳିଯିବ ବୋଲି ଆଶା କରାଯାଉଥିବା କହିଛନ୍ତି ସେ । ଅପରପକ୍ଷରେ ଗୁଜରାଟର ଅହମ୍ମଦାବାଦ ସମେତ ସୁରଟ, ବରୋଦା ଠାରେ ରାତ୍ର ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫୁ୍ୟ ଜାରି ରହିଛି । ଏଭଳି ସ୍ଥିତିରେ ଅନେକ ଶ୍ରମିକ ନିଜ କାରଖାନାରୁ କିଭଳି କାମ ସାରି ଘରକୁ ଫେରିବେ ସେହି ଚିନ୍ତା ମଧ୍ୟ କରୁଛନ୍ତି । ତେବେ ଦୀର୍ଘ ଦିନ ରୋଜଗାର ଠାରୁ ଦୂରରେ ରହିବା ପରେ ଏବେ ଅନ୍ତତଃ ଆୟ ଉପାର୍ଜନ ପୁଣି ଆରମ୍ଭ ହୋଇଯିବ ବୋଲି ସେମାନେ ଆଶାବାଦୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons