ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଚେନ୍ନାଇରୁ ସମୁଦ୍ରପଥରେ ଡଙ୍ଗାରେ ତିନିଟି ପର୍ଯ୍ୟାୟରେ କିଛି ମତ୍ସ୍ୟଜୀବୀ ଆସିବା ପରେ ଏବେ ସଡ଼କ ପଥରେ ସୁଦୂର ଗୁଜରାତର ସୁରଟରୁ ୫ଟି ବସ୍ରେ ପ୍ରାୟ ୨୫୦ ଜଣ ଶ୍ରମିକ ଓଡ଼ିଶା ଫେରୁଛନ୍ତି । ଗୋଟିଏ ବସ୍ରେ ୫୦ ଜଣ ଯାତ୍ରୀ ବସିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ପରିବାର ମଧ୍ୟ ରହିଛନ୍ତି । ଆସିକାକୁ ଦୁଇଟି, ବ୍ରହ୍ମପୁର, ଦିଗପହଣ୍ଡି ସମେତ ଖୋର୍ଦ୍ଧା ଅଭିମୁଖେ ଗୋଟିଏ ଲେଖାଏଁ ବସ୍ ସୋମବାର ରାତିରେ ଯାତ୍ରାରମ୍ଭ କରିଛି । ଯାତ୍ରା ପ୍ରାୟ ୪୦ ଘଣ୍ଟା ଲାଗିଯିବ ବୋଲି ଅନୁମାନ କରାଯାଉଛି ।
ସୁରତ ଆମ୍ରପଲ୍ଲୀର ସମାଜସେବୀ ତଥା ଓଡ଼ିଆ ସଙ୍ଗଠକ ରଘୁନାଥ ପଣ୍ଡା ସୂଚନା ଦେଇଛନ୍ତି ଯେ- ପାଣ୍ଡେସାରା ବିସ୍ତାରା ଅଞ୍ଚଳରୁ ୪ଟି ବସ୍ ଓ ସାଏଣ୍ଟ୍ରୁ ଗୋଟିଏ ବସ୍ ବାହାରିଛି । ପାଣ୍ଡେସାରାର ୪ଟି ଯାକ ବସ୍ ପଟେଲ୍ ଟ୍ରାଭେଲ୍ସ (ଜଣେ ମାଲିକ)ଙ୍କ ଅଟେ । ସେଠାରେ ରହୁଥିବା ଗଞ୍ଜାମର ଶ୍ରମିକମାନେ ପରସ୍ପର ଆଲୋଚନା କରି ନିଜସ୍ୱ ଖର୍ଚ୍ଚରେ ବସ୍ ଯାତ୍ରା ପାଇଁ ଯୋଜନା କରିଥିଲେ । ଏ ନେଇ ସେମାନେ ସ୍ଥାନୀୟ ସାଂସଦ ସି.ଆର୍.ପାଟିଲ୍ଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କ ସହାୟତାରେ ସୁରତ ଜିଲ୍ଲାପାଳଙ୍କ ଠାରୁ ଓଡ଼ିଶା ଯାତ୍ରା ପାଇଁ ଅନୁମତି ମିଳିଥିଲା । ପ୍ରତ୍ୟେକ ଯାତ୍ରୀ ପିଚ୍ଛା କେବଳ ବସ୍ ବାବଦରେ ୩୫୦୦ ଟଙ୍କା ଖର୍ଚ୍ଚ ହେବ । ବାଟରେ ଖାଦ୍ୟ ବ୍ୟବସ୍ଥା କରିବାକୁ ବସ୍ ମାଲିକଙ୍କୁ ଅନୁରୋଧ କରାଯାଇଛି । ସେ ନିଜ ପରିଚୟ ଓ ଯୋଗାଯୋଗରେ କିଛି କରିବାକୁ ଆଶ୍ୱସନା ଦେଇଛନ୍ତି । ଯାତ୍ରୀମାନେ ମଧ୍ୟ ଖାକରା, ମୁଡ଼ି, ଚୁଡ଼ା, ବିସ୍କୁଟ୍ ଆଦି ଧରିଛନ୍ତି । କିଛି ଛୁଆ ମଧ୍ୟ ଏମାନଙ୍କ ମଧ୍ୟରେ ରହିଛନ୍ତି । ବସ୍ରେ ଚଢିÿବା ବେଳେ ଯାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରିଥିଲେ । ଗାଁରେ ପହଞ୍ଚିବା ପରେ ସଙ୍ଗରୋଧରେ ରହିବାକୁ ସମସ୍ତେ ସହମତ ହୋଇଛନ୍ତି । ସେମାନେ ସୁବିଧାରେ ପହଞ୍ଚିବା ପରେ ଏଭଳି ଆଉ କିଛି ପ୍ରୟାସ କରାଯିବ ବୋଲି କହିଛନ୍ତି ରଘୁନାଥ ପଣ୍ଡା ।
ଶ୍ରମିକମାନଙ୍କୁ ପାଣ୍ଡେସାରା ବିସ୍ତାରା ଅଞ୍ଚଳକୁ ଆସିବାକୁ କୁହାଯାଇଥିଲା । ଅପରାହ୍ଣରୁ ହିଁ ଶ୍ରମିକମାନେ ଆସି ଅପେକ୍ଷା କରିଥିଲେ । ତେବେ ସତର୍କତା ଅବଲମ୍ବନ କରି ଯାତ୍ରୀ ଚଢିÿବାରୁ ରାତି ୯ଟା ପରେ ଯାତ୍ରାରମ୍ଭ ହୋଇଛି । ୧୫ ମିନିଟ୍ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ବସ୍ ପାଣ୍ଡେସାରାରୁ ଛାଡ଼ିଥିଲା । ସୁରତରେ କାର୍ଯ୍ୟରତ କିଛି ଓଡ଼ିଆ ସଙ୍ଗଠନର ସ୍ୱେଚ୍ଛାସେବୀ ସେମାନଙ୍କୁ ସହଯୋଗ କରିଥିଲେ । ଯାତ୍ରାକାଳରେ ଖାଦ୍ୟ, ସ୍ୱାସ୍ଥ୍ୟ ପ୍ରତି ମାଲିକଙ୍କ ସମେତ ଯାତ୍ରୀ ଯତ୍ନ ଦେବେ । ଅପରପକ୍ଷରେ ଏହା ଜାଣି ଅମ୍ରୋଲି ବିସ୍ତାରାରେ ରହୁଥିବା ଆଉ କିଛି ଓଡ଼ିଆ ୨ଟି ବସ୍ ବ୍ୟବସ୍ଥା କରିବାକୁ ସ୍ୱେଚ୍ଛାସେବୀଙ୍କୁ ଅନୁରୋଧ କରିଛନ୍ତି । ଭଞ୍ଜନଗର ନିକଟ ଡେଙ୍ଗାପଦର ମୂଳବାସିନ୍ଦା ସତ୍ୟବାଦୀ ଜେନା, ଅଜୟ ଜେନା ପ୍ରମୁଖ ଏହିଭଳି ପ୍ରବାସୀ ଓଡିଆଙ୍କ ପାଇଁ ବ୍ୟବସ୍ଥା କରିବାରେ ନିଃସ୍ୱାର୍ଥପର ଭାବେ ଚେଷ୍ଟା କରୁଛନ୍ତି ।
Comments are closed, but trackbacks and pingbacks are open.