କୋଣାର୍କ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପରେ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଖୁବଶୀଘ୍ର କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏ ନେଇ ସୋମବାର ଅପରାହ୍ଣରେ ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ଆଇଓଏଫ ମୁଖ୍ୟ ପରାମର୍ଶଦାତା ସୁବ୍ରତ ବର୍ମା, ଏଏସ୍ଆଇ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ ପ୍ରମୁଖ କୋଣାର୍କର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ ।
ଜିଲ୍ଲାପାଳ ଓ ସଚିବ ଏଠାରେ ପହଞ୍ଚôବା ପରେ ବ୍ୟାଖ୍ୟାନ କେନ୍ଦ୍ର ସମ୍ମୁଖରେ ଆଇଓଏଫ୍ ପରାମର୍ଶଦାତା ଶ୍ରୀ ବର୍ମା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବ୍ୟାଖ୍ୟାନ କେନ୍ଦ୍ର ବୁଲିବା ପରେ ଚାଲିଚାଲି ସୂର୍ଯ୍ୟମନ୍ଦିର, ନବଗ୍ରହ ମନ୍ଦିର, ଆଇବି ଛକ, ରିଂ-ରୋଡ୍, ବସ ପାର୍କିଂ ସ୍ଥଳ, ମେଡିକାଲ ଛକ, ଥାନା ଛକର ବିଭିନ୍ନ ସ୍ଥାନ ବୁଲିଥିଲେ । ସୂର୍ଯ୍ୟମନ୍ଦିର ସମ୍ମୁଖରୁ ସମସ୍ତ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇ ଥଇଥାନ କରାଯିବ । ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯିବ ।
ସୂର୍ଯ୍ୟମନ୍ଦିରରୁ ପ୍ରସ୍ଥାନ ପଥ ନିର୍ମାଣ, ଭେଣ୍ଡିଂ ଜୋନ୍ ନିର୍ମାଣ, ଆଇଓଏଫ୍ ବସ ପାର୍କିଂସ୍ଥଳ କାର୍ଯ୍ୟକ୍ଷମ ପାଇଁ ଆଲୋଚନା ହୋଇଥିଲା । କୋଣାର୍କ ଓ ମାଧିପୁର ମୌଜାର ନକ୍ସାକୁ ଜିଲ୍ଲାପାଳ ଓ ସଚିବ ଅନୁଧ୍ୟାନ କରିଥିଲେ । ଭେଣ୍ଡିଂ ଜୋନ୍, ବସ ପାର୍କିଂସ୍ଥଳ, ସୂର୍ଯ୍ୟମନ୍ଦିର ପ୍ରସ୍ଥାନ ପଥ ନିର୍ମାଣକୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ସଚିବ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନାହାନ୍ତି । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ଆଇଓଏଫ୍ ଅଧିକାରୀ ସନ୍ତୋଷ ଦାଶ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.