ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଏଜେନ୍ସିଙ୍କୁ ଏବେ ମିଳିଛି ଏକ ବଡ ସଫଳତା । କୁଖ୍ୟାତ ଆତଙ୍କୀ ଜାକିର ମୂଷାର ଉତ୍ତରାଧିକାରୀ ତଥା ଆତଙ୍କୀ ସଂଗଠନ ଅଲ-କାଏଦାର ଜମ୍ମୁ-କାଶ୍ମୀର ଶାଖାର ମୁଖ୍ୟ ହମିଦ ଲଲହାରୀକୁ ନିପାତ କରିବାରେ ସେମାନେ ସକ୍ଷମ ହୋଇଛନ୍ତି । ଏହାଯୋଗୁ ଜମ୍ମୁ-କାଶ୍ମୀରରୁ ଅଲକାଏଦା (ଅନସାର ଗାଜୱତଉଲ ହିନ୍ଦ ଅଥବା ଏଜିଏଚ)ମୂଳପୋଛ ହୋଇଯାଇଛି । କାଶ୍ମୀରରେ ଏବେ ଏହି ସଂଗଠନର ଆଉ କେହି ସଦସ୍ୟ ଥିବାର ପୁଲିସ ମନେ କରୁଛି । ଜମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂହ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ତାଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ପୁଲୱାମାର ତ୍ରାଲ ଅନ୍ତର୍ଗତ ଅୱନ୍ତିପୁରାରେ ହୋଇଥିବା ଏକ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ପ୍ରାଣ ହରାଇଥିବା ଆତଙ୍କବାଦୀମାନେ ପାକିସ୍ତାନର ନାଗରିକ ହୋଇଥିବା ଏବଂ ସମସ୍ତେ ଜୈସର ସଦସ୍ୟ ହୋଇଥିବାର ପ୍ରଥମେ ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ପୁଲିସ ଆଜି ସ୍ପଷ୍ଟ କରିଛି କି ସେମାନଙ୍କ ଭିତରେ ହମିଦ ଲଲହାରୀ ବି ଅଛି ଯିଏକି ଚଳିତବର୍ଷ ମେ ମାସରେ ଜାକିର ମୂଷାର ମୃତୁ୍ୟ ପରେ ଅଲ୍-କାଏଦା ସହ ଜଡ଼ିତ ଆତଙ୍କୀ ସଂଗଠନ ଅନସାର ଗାଜୱତ୍ଉଲ ହିନ୍ଦ(ଏଜିଏଚ୍)ର ନେତୃତ୍ୱ ନେଉଥିଲା । କାଶ୍ମୀର ଘାଟି ଅଞ୍ଚଳର ଯୁବକମାନଙ୍କୁ ଆତଙ୍କୀ କାର୍ଯ୍ୟକଳପାରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିବାରେ ଲଲହାରୀ ମୁଖ୍ୟ ଭୂମିକା ତୁଲାଉଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଅନ୍ୟ ୨ ଜଣ ଆତଙ୍କୀଙ୍କ ନାମ ନଭୀଦ୍ ତାକ ଏବଂ ଜୁନୈଦ ଭ; ବୋଲି ଜଣାପଡିଛି । ନିପାତ ହୋଇଥିବା ୩ ଜଣ ଯାକ ଆତଙ୍କୀ ପୁଲୱାମା ଜିଲାର ବାସିନ୍ଦା ଥିଲେ । ସେମାନେ ପୂର୍ବରୁ ସେନା, ପୁଲିସ ଏବଂ ସାଧାରଣ ଲୋକଙ୍କ ଉପରେ ହୋଇଥିବା ଅନେକ ଆକ୍ରମଣ ଘଟଣାରେ ସାମିଲ ଥିଲେ । ଲଲହାରୀର ମୃତୁ୍ୟ ପରେ ଏଜିଏଚ ଆତଙ୍କୀ ସଂଗଠନ ସମ୍ପୂର୍ଣ୍ଣ ରୂପେ ନିର୍ମୂଳ ହୋଇଯାଇଥିବା ଡିଜିପି ପ୍ରକାଶ କରିଛନ୍ତି । ଏହାଯୋଗୁ କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀ କାର୍ଯ୍ୟକଳାପ ଆହୁରି ହ୍ରାସ ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଡିଜିପି ମଧ୍ୟ କହିଛନ୍ତି ଯେ ଆତଙ୍କୀ ସଂଗଠନ ଜୈସ ଏବେ କାଶ୍ମୀରରେ ସକ୍ରିୟ ଅନ୍ୟ ଆତଙ୍କବାଦୀ ସଂଗଠନ ସହ ସମନ୍ୱୟ ରକ୍ଷାକରି ନିଜର ଗତିବିଧି ଚଳାଉଛି । ସେହିପରି ଭାରତରେ ଆତଙ୍କୀ ଅନୁପ୍ରବେଶ କରାଇବାକୁ ପାକିସ୍ତାନ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ ସୁରକ୍ଷାକର୍ମୀ ଏହାକୁ ବିଫଳ କରୁଛନ୍ତି । କେତେକ ଆତଙ୍କୀ ଅନୁପ୍ରବେଶ କରିବାକୁ ସଫଳ ହେଉଥିଲେ ମଧ୍ୟ ତାଙ୍କୁ ସୀମାରେ ହିଁ ନିପାତ କରାଯାଉଛି । ପୂର୍ବରୁ ଅନେକ ସଂଖ୍ୟାରେ ସ୍ଥାନୀୟ ଯୁବକ ଆତଙ୍କୀ ସଂଗଠନରେ ସାମିଲ ହେଉଥିଲେ । କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ଯୁବକମାନେ ସମାଜର ମୂଳଧାରାରେ ସାମିଲ ହେଉଛନ୍ତି । ଏହାଯୋଗୁ ଯୁବକମାନେ ଆତଙ୍କୀ ସଂଗଠନରେ ଭର୍ତ୍ତି ହେବା ମାତ୍ରା ପ୍ରାୟତଃ ବନ୍ଦ ହୋଇଯାଇଛି ।
Comments are closed, but trackbacks and pingbacks are open.