ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭୁବନେଶ୍ୱରଭିତ୍ତିକ ଇଲେକ୍ଟ୍ରିକ୍ ଦୁଇ ଚକିଆ ନିର୍ମାତା ‘ଇଭି ଇଣ୍ଡିଆ’ ସେପ୍ଟେମ୍ବର ପ୍ରାରମ୍ଭରେ ନିଜର ମାନୁଫାକ୍ଚରିଂ ପ୍ଲାଣ୍ଟରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବ । ଏହି ସମନ୍ୱିତ ଇ-ଯାନ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୨.୫ ଲକ୍ଷ ୟୁନିଟ୍ । ଏଥିପାଇଁ କମ୍ପାନି ମୋଟ୍ ୨୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ପ୍ରସ୍ତାବିତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାପର ଇଭି ଇଣ୍ଡିଆ ଓଡ଼ିଶା ତଥା ପୂର୍ବାଞ୍ଚଳର ପ୍ରଥମ ଇଲେକ୍ଟ୍ରିକ୍ ଦୁଇ ଚକିଆ ନିର୍ମାତାରେ ପରିଣତ ହେବ ।
ଇଭି ଇଣ୍ଡିଆର ୪ଟି ନୂଆ ଇଲେକ୍ଟ୍ରିକ୍ ଦୁଇ ଚକିଆକୁ ଉନ୍ମୋଚନ କରି ନିର୍ଦ୍ଦେଶକ ହର୍ଷ ବର୍ଦ୍ଧନ ଡିଡ୍ୱାନିଆ ଶନିବାର କହିଛନ୍ତି, ୨୦୧୯ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ପ୍ଲାଣ୍ଟର ଭୂମିପୂଜା କରିଥିଲେ । କଟକ ବଡ଼ଚଣାଠାରେ ମୋଟ୍ ୧୦ ଏକର ଜାଗା ଉପରେ ଏହି ପ୍ଲାଣ୍ଟ ନିର୍ମାଣ ଚାଲିଛି । ଆଗାମୀ ଗଣେଶ ପୂଜାରୁ ରାଜ୍ୟର ଏହି ପ୍ରଥମ ଦୁଇ ଚକିଆ ପ୍ଲାଣ୍ଟରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ ।
ଇଭି ଇଣ୍ଡିଆର ଇଲେକ୍ଟ୍ରିକ ଦୁଇ ଚକିଆ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୨.୫ ଲକ୍ଷ ୟୁନିଟ୍ ରହିଛି । ପ୍ରଥମ ଦିନରୁ ଏଠାରୁ ଦୈନିକ ୭୦ ୟୁନିଟ୍ ମାନୁଫାକ୍ଚରିଂ ପାଇଁ ଯୋଜନା ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ଲାଣ୍ଟରେ ୮୦ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଛି । ଏହି ସମନ୍ୱିତ ପ୍ଲାଣ୍ଟରେ ଆଗାମୀ ୨ ବର୍ଷ ମଧ୍ୟରେ ବ୍ୟାଟେରି ଓ ଚେଚିସ୍ ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ ପାଇଁ ଆଉ ୧୨୦ କୋଟି ଟଙ୍କା ନିବେଶ କରାଯିବ ବୋଲି ଇଭି ଇଣ୍ଡିଆ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ଇଭି ଇଣ୍ଡିଆ ଦୁଇ ଚକିଆଗୁଡ଼ିକ ପାଇଁ ବୋସ୍ ମୋଟର ଯୋଗାଇବ ।
ଶ୍ରୀ ଡିଡ୍ୱାନିଆ କହିଛନ୍ତି, ପ୍ରସ୍ତାବିତ ଇଭି ପ୍ଲାଣ୍ଟରେ ୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ କର୍ମନିଯୁକ୍ତି ମିଳିବାକୁ ଥିବା ବେଳେ ୩,୦୦୦ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିବ । ଏବେ କମ୍ପାନି ପକ୍ଷରୁ ଓଡ଼ିଶା, ବିହାର, ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ୩୦ ଜଣ ଡିଲରଙ୍କୁ ନିଯୁକ୍ତ କରାଯାଇଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ୨୫୦ ଡିଲର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ଏହି ସମୟ ମଧ୍ୟରେ କମ୍ପାନି ମୋଟ୍ ୨୦,୦୦୦ ୟୁନିଟ୍ ଇ-ସ୍କୁଟର ବିକିବାକୁ ଯୋଜନା କରିଥିବା ସେ ସୂଚନା ଦେଇଛନ୍ତି ।
ଆଜି ଉନ୍ମୋଚନ ହୋଇଥିବା ଜେନିଆ, ଇୟୋର, ୪ୟୁ ଓ ୱିଣ୍ଡ ନାମକ ୪ଟି ଇଲେକ୍ଟ୍ରିକ୍ ଯାନ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ଗତି କରିବ । ଉଭୟ ଲିଥିୟମ୍ ଓ ଲିଡ୍ ବ୍ୟାଟେରି ବିକଳ୍ପରେ ଉପଲବ୍ଧ ଏହି ଗାଡ଼ିଗୁଡ଼ିକ ଗୋଟିଏ ଥର ଚାର୍ଜରେ ୫୦ରୁ ୮୦ କିଲୋମିଟର ଗତି କରିପାରିବ । ଯଦିଓ ଗାଡ଼ିଗୁଡ଼ିକର ମୂଲ୍ୟ ନେଇ ଇଭି ଇଣ୍ଡିଆ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ, ତେବେ ସେଗୁଡ଼ିକର ଆନୁମାନିକ ମୂଲ୍ୟ ୪୫,୦୦୦ ଟଙ୍କାରୁ ୬୫,୦୦୦ ଟଙ୍କା ମଧ୍ୟରେ ରହିବ ବୋଲି ଆକଳନ କରାଯାଉଛି ।


Comments are closed, but trackbacks and pingbacks are open.