ଲକ୍ଷେ୍ନø: ଶେଷର କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ କଥା ରହିଲା । ସୋନଭଦ୍ର ଗୁଳିକାଣ୍ଡର ଶିକାର ହୋଇଥିବା ପୀଡିତ ପରିବାର ଲୋକଙ୍କୁ ନ ଭେଟିବା ପର୍ଯ୍ୟନ୍ତ ସେ ମିର୍ଜାପୁର ଜିଲ୍ଲାର ଚୁନାର ଗେଷ୍ଟ ହାଉସରୁ ଧାରଣା ପ୍ରତ୍ୟାହାର କରିବେ ନାହିଁ କିମ୍ବା ସେଠାରୁ ହଟିବେ ନାହିଁ ବୋଲି ସେ ଅଡି ବସିଥିଲେ । ଶେଷରେ ମିର୍ଜାପୁର ଜିଲ୍ଲା ପ୍ରଶାସନ ତାଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲା । ଦୀର୍ଘ ୨୬ ଘଣ୍ଟା ପରେ ପ୍ରିୟଙ୍କା ତାଙ୍କ ଧାରଣା ପ୍ରତ୍ୟାହାର କରିଥିଲେ ।
ଜିଲ୍ଲା ମାଜିଷ୍ଟ୍ରେଟ ଅନୁରାଗ ପଟେଲ ଜିଲ୍ଲାର ଉଭା ଗ୍ରାମରୁ ପୀଡିତ ପରିବାରର ୧୨ ଜଣ ସଦସ୍ୟଙ୍କୁ ଗାଡିକରି ସେଠାକୁ ଆଣିଥିଲେ । ସେଠାରେ ଧାରଣାରତ ପ୍ରିୟଙ୍କା ସେମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ସେ ଭାବବିହ୍ୱଳ ମଧ୍ୟ ହୋଇପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଗଣମାଧ୍ୟମକୁ ପ୍ରିୟଙ୍କା କହିଥିଲେ ପୀଡିତ ପରିବାରଙ୍କୁ ଭେଟିବା ପରେ ତାଙ୍କ ଉଦ୍ଦେଶ୍ୟ ପୂରଣ ହୋଇଛି । ସେ ଧାରଣା ପ୍ରତ୍ୟାହାର କରୁଛନ୍ତି ଏବଂ ଏବେ ଦିଲ୍ଲୀ ଫେରିଯାଉଛନ୍ତି । ଭାଇ ରାହୁଲ ଗାନ୍ଧୀଙ୍କ ପରାମର୍ଶକ୍ରମେ ସେ ଏଠାକୁ ଆସିଥିଲେ । କିନ୍ତୁ ଖୁବଶୀଘ୍ର ସେ ପୁଣି ଫେରିବେ । ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ କଂଗ୍ରେସ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବ ବୋଲି ସେ ଘୋଷଣା କରିଛନ୍ତି । ଏଥିସହିତ ଉତ୍ତରପ୍ରଦେଶ ସରକାର ଗୁଳିକାଣ୍ଡର ନିରପେକ୍ଷ ତଦନ୍ତ କରିବା ଏବଂ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ପ୍ରିୟଙ୍କା ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ପୂର୍ବାହ୍ନରେ ପ୍ରିୟଙ୍କା ତାଙ୍କର କିଛି ଦଳୀୟ ନେତା ଓ କର୍ମୀଙ୍କ ସହ ସୋନଭଦ୍ର ଗସ୍ତରେ ଯାଉଥିଲା ବେଳେ ମିର୍ଜାପୁର ରୋଡ୍ରେ ତାଙ୍କୁ ପୁଲିସ ଅଟକ ରଖିଥିଲା । ସେ ଏହାର ପ୍ରତିବାଦରେ ରାସ୍ତା ଉପରେ ଧାରଣାରେ ବସିଥିଲେ । ପରେ ତାଙ୍କୁ ସେଠାରୁ ଚୁନାର ଗେଷ୍ଟ ହାଉସକୁ ନିଆଯାଇ ଅଟକ ରଖାଯାଇଥିଲା । ବିନା ଆଲୋକ ଓ ପାଣିରେ ସେହି ଗେଷ୍ଟ ହାଉସରେ ପ୍ରିୟଙ୍କା ଧାରଣାରେ ବସି ରହିଥିଲେ । ରାତିରେ ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଜମା କରି ଜାମିନରେ ଯିବାକୁ କହିଥିଲେ । ମାତ୍ର ପ୍ରିୟଙ୍କା ଟଙ୍କାଟିଏ ମଧ୍ୟ ଦେବେ ନାହିଁ ବୋଲି ଅଡି ବସିଥିଲେ । କହିଥିଲେ ପୁଲିସ ତାଙ୍କୁ ଗିରଫ କରି ଜେଲ୍କୁ ପଠାଉ । ସେ ଜେଲ୍ ଯିବାକୁ ପ୍ରସ୍ତୁତ ଅଛନ୍ତି । ଶେଷରେ ଆଜି ସକାଳେ ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କ ନିକଟରେ ମୁଣ୍ଡ ନୁଆଁଇବା ସହ ପୀଡିତ ପରିବାରକୁ ଭେଟିବାର ବ୍ୟବସ୍ଥା କରାଇଥିଲେ । ସେମାନଙ୍କୁ ଭେଟି ପ୍ରିୟଙ୍କା ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ । ଗତ ବୁଧବାର ସୋନଭଦ୍ର ଜିଲ୍ଲାର ଉଭା ଗ୍ରାମରେ ଜମିଜମା ବିବାଦକୁ ନେଇ ୧୦ ଜଣ ଗୋଣ୍ଡ ଆଦିବାସୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।
Comments are closed, but trackbacks and pingbacks are open.