ସୋଲାର ପମ୍ପ ଅଚଳ: ଜଳକଷ୍ଟ ଭୋଗୁଛନ୍ତି ଛୋଟାଗୁଡାବାସୀ

Get real time updates directly on you device, subscribe now.

ମୈଦଲପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଦୀର୍ଘ ୫ ବର୍ଷ ହେଲା ଅଚଳ ହୋଇପଡିଛି ସୋଲାର ପମ୍ପ । ମରାମତି କରି କାର୍ଯ୍ୟକ୍ଷମ କରିବାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଏଣେ ପିଇବା ପାଣି ମୁନେ୍ଦ ପାଇଁ ଲୋକେ ହଇରାଣ ହେଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଛୋଟାଗୁଡା ଗାଁରେ । ଏବେ ଗ୍ରୀଷ୍ମ ବଢିଯାଇଥିବାରୁ ଲୋକଙ୍କ ଅସୁବିଧା ଦ୍ୱିଗୁଣିତ ହୋଇଯାଇଛି ।
ସୂଚନା ଅନୁସାରେ, ଏହି ଗାଁରେ ୫୦ ରୁ ଅଧିକ ପରିବାର ବସବାସ କରୁଛନ୍ତି । ଲୋକମାନଙ୍କୁ ସୁବିଧାରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ସୋଲାର ପମ୍ପ ବସାଇଥିଲେ । ପମ୍ପ ବସିବାର ୪ ମାସ ପର୍ଯ୍ୟନ୍ତ ଲୋକେ ବେଶ୍ ସେବା ପାଉଥିଲେ । ଘର ପାଖରେ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳୁଥିଲା । କିନ୍ତୁ ଏହି ସୁଖ ୪ ମାସ ଗଲାନି । ପମ୍ପ ଚାଲିବାର ୪ ମାସ ପରେ ଅଚଳ ହୋଇଗଲା । ଏହାକୁ ମରାମତି କରିବାକୁ ଆଉ କେହି ଆଗ୍ରହ ଦେଖାଇଲେ ନାହିଁ । ଫଳରେ ଦୀର୍ଘ ୫ ବର୍ଷ ହେଲା ପମ୍ପଟି ଅଚଳ ଅବସ୍ଥାରେ ରହିଛି । ଘର ପାଖରେ ବର୍ଷ ତମାମ୍ ସ୍ୱଚ୍ଛ ପାନୀୟ ଜଳ ପାଇବାକୁ ଲୋକେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସେମିତି ରହିଗଲା । ଗାଁରେ ଦୁଇଟି ନଳକୂଅ ରହିଛି । ଏତେ ଲୋକଙ୍କ ପାଇଁ ଦୁଇଟି ନଳକୂଅ ଯଥେଷ୍ଟ ହେଉନି । ସକାଳୁ ରାତିଯାଏ ନଳକୂଅ ମୂଳରେ ମହିଳା, ପୁରୁଷଙ୍କ ଭିଡ ଲାଗି ରହୁଛି । ପାଣି ପାଇଁ ଅନେକ ସମୟରେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଛି । ଏଣେ ସରକାରକା ମାଲ୍ ଦରିଆ ମେଁ ଡାଲ ନ୍ୟାୟରେ ସୌର ପମ୍ପଟି ଖତ ଖାଉଛି । ଏବେ ଖରା ବଢିଥିବା ବେଳେ ଦୁଇଟି ଯାକ ନଳକୂଅରୁ ମଧ୍ୟ ଯଥେଷ୍ଟ ପାଣି ବାହାରୁନି । ଘଣ୍ଟାଏ ଧାଡିରେ ଠିଆହେଲେ ବାଲଟିଏ ପାଣି ମିଳୁଛି । ସମସ୍ୟାକୁ ନେଇ ଲୋକେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ବି ସୁଫଳ ମିଳିନି । ପଞ୍ଚାୟତ ଅଧିକାରୀ, ସ୍ଥାନୀୟ ନେତା, ମନ୍ତ୍ରୀ, ବିଧାୟକଙ୍କୁ ମଧ୍ୟ ଲୋକେ ଅବଗତ କରି ଫେଲ୍ ହୋଇଛନ୍ତି । ଏବେ ଭାଗ୍ୟକୁ ଆଦରି ନଳକୂଅ ପାଣି ବ୍ୟବହାର କରୁଛନ୍ତି । ପିଇବାଠାରୁ ଆରମ୍ଭ କରି ଘରର ଯାବତୀୟ କାମରେ ଏହାର ପାଣି ଲାଗୁଛି ବୋଲି ଗାଁର ବଳରାମ ଦଳପତି, ହେମ ପୂଜାରୀ, ବଂଶୀ ପୂଜାରୀ, ଅଭି ପୂଜାରୀ, ପୁଷ୍ପା ପୂଜାରୀ, ଚୁନିଲାଲ୍ ଦଳପତି, ଚାନ୍ଦ ଦଳପତି, ଧ୍ରୁବ ଦଳପତି, ନବୀନା ଦଳପତି, ଶୋଭା ଦଳପତି, ରେବତୀ ଦଳପତି ପ୍ରମୁଖ କହିଛନ୍ତି । ଏପରିସ୍ଥଳେ, ସୋଲାର ପମ୍ପକୁ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଲୋକେ ଦାବି କରିଛନ୍ତି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons