ସୌନ୍ଦର୍ଯ୍ୟକରଣରେ ବାଧକ ଜବରଦଖଲ

Get real time updates directly on you device, subscribe now.

ଜୟପୁର: ସହରର ସୌନ୍ଦର୍ଯ୍ୟକରଣ ବଢାଇବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି । କିନ୍ତୁ ପ୍ରଶାସନିକ ଅବହେଳାରୁ ସେତେଟା ସଫଳତା ମିଳୁନି । ଗାଁ ପରିମଳ ଧୋବା ତୁଠରୁ ପରି ସହରର ସୁନ୍ଦରତା ଜାତୀୟ ରାଜପଥରୁ ବାରି ହୋଇପଡୁଛି । ସୌନ୍ଦର୍ଯ୍ୟକରଣରେ ବାଧକ ସାଜିଛି ଜବରଦଖଲ । ସହର ଦେଇ ଯାଇଥିବା ଏନଏଚ-୨୬ ଏବଂ ୩୨୬ରେ ଦିନକୁ ଦିନ ଜବରଦଖଲ ବଢିବାରେ ଲାଗିଛି । ରାଜପଥର ଉଭୟ କଡ଼ ଜବରଦଖଲକାରୀଙ୍କ କବଳରେ ରହିଛି । ପୌର ପ୍ରଶାସନ ଜାଣି ଅଜଣା ଥିବା ବେଳେ ଏନଏଚ୍ କର୍ତ୍ତୃପକ୍ଷ ଅଚିନ୍ତାରେ ଅଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସହ ଜନସାଧାରଣ ଏଥିଲାଗି ଦାୟୀ ବୋଲି ବୁଦ୍ଧିଜୀବୀ କହିଛନ୍ତି ।
ପୌର ପ୍ରଶାସନ ପକ୍ଷରୁ ସହର ଉନ୍ନତି ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏନଏଚ୍-୨୬ର ଗାନ୍ଧିଛକରୁ ମୁଖ୍ୟ ଟ୍ରାଫିକ ଛକ ପର୍ଯ୍ୟନ୍ତ ୨ ଥାକିଆ ରାସ୍ତା କରାଯାଇଛି । ରୋଡ୍ ଡିଭାଇଡର୍ କରାଯାଇ ସେଥିରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଛି । ଗୋରୁ ଚାରା ନଷ୍ଟ ନକରିବା ଲାଗି ବାଡ଼ ଦିଆ କାର୍ଯ୍ୟ ଜାରି ରହିଛି । ଡିଭାଇଡରରେ ଲଗାଯାଇଛି ଡବଲ୍ ଆର୍ମ ଷ୍ଟ୍ରିଟ୍ ଲାଇଟ୍ । ପ୍ରତି ଖୁଣ୍ଟକୁ ରଙ୍ଗବେରଙ୍ଗ ଏଲଇଡି ଲାଇଟ୍ରେ ସଜାଯାଉଛି । ରାତି ହେଲେ ଏହାର ସୁନ୍ଦରତା ବଢିଯାଉଛି । କିଛିଦିନ ତଳେ ଟ୍ରାଫିକ ସମସ୍ୟାକୁ ଆଖିରେ ରଖି ମୁଖ୍ୟ ଟ୍ରାଫିକ ଛକରେ ୫ଟି ସୋଲାର ଟାଇମର୍ ସିଗନାଲ ଲାଇଟ୍ ସ୍ଥାପନ କରାଯାଇଛି । ରାସ୍ତାରୁ ଧୂଳି, ଆବର୍ଜନା ଏବଂ ଛୋଟ ଛୋଟ ପଥର, ଗୋଡି ଉଠାଇବା ଲାଗି ଭ୍ୟାକୁ୍ୟମ ରୋଡ୍ ସୁଇପର ମେସିନ୍ ଅଣାଯାଇଛି । ମୁଖ୍ୟ ଟ୍ରାଫିକ ଛକ, ପାରାବେଡ଼ା ଛକ ଏବଂ ଗାନ୍ଧିଛକର ଉନ୍ନତିକରଣ ଲାଗି ପ୍ରସ୍ତାବ ରହିଛି । ମୁଖ୍ୟ ଟ୍ରାଫିକ ଛକ ୧୪ ମିଟର ଏବଂ ପାରାବେଡ଼ା ଛକ ୧୦ ମିଟର ବ୍ୟାସ ବିଶିଷ୍ଟ ଗୋଲେଇ ଛକରେ ପରିଣତ ହେବ । ଏଥିଲାଗି ପ୍ରସ୍ତାବ ଅନୁମୋଦନ ଲାଗି ପଠାଯାଇଛି । ଏସବୁ କାର୍ଯ୍ୟକ୍ରମକୁ ତାଳ ଦେଇ ଜବରଦଖଲ ବଢିବାରେ ଲାଗିଛି । ଏନଏଚ୍ର ଉଭୟ କଡ଼ରେ ଟ୍ରକ ଡ୍ରାଇଭରମାନେ ଦିନତମାମ ଗାଡି ପାର୍କିଂ କରୁଛନ୍ତି । ଗ୍ୟାରେଜ ମାଲିକମାନେ ରାସ୍ତା ଉପରେ ବିଭିନ୍ନ ଯାନବାହାନ ମରାମତି କରୁଛନ୍ତି । ସହରର ମୁଖ୍ୟ ଟ୍ରାଫିକ ଛକରୁ ହାଟପଦା ପର୍ଯ୍ୟନ୍ତ ଅଞ୍ଚଳରେ ହୋଇଛି ସର୍ବାଧିକ ଅସ୍ଥାୟୀ ପାର୍କିଂ ପଏଣ୍ଟ ଏବଂ ଗ୍ୟାରେଜ୍ । ଗାନ୍ଧିଛକରୁ ପୁରୁଣାଗଡ କେନାଲ ଛକ ପର୍ଯ୍ୟନ୍ତ ରାସ୍ତା ଗ୍ୟାରେଜ କାରଣରୁ ସବୁବେଳେ ଜାମ୍ ରହୁଛି ।
କରୋନା କଟକଣା କୋହଳ ହେବା ପରେ ଜୀବନଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି । କିଛି ଦିନ ହେବ ଏନଏଚ୍-୨୬ ଏବଂ ଏନଏଚ୍-୩୨୬ ନିୟମିତ ଜାମ୍ ରହୁଥିବା ଦେଖିବାକୁ ମିଳୁଛି । ଏହାର ମୂଳ କାରଣ ହେଉଛି ରାଜପଥ କଡ଼ରେ ଖୋଲିଥିବା ଗ୍ୟାରେଜ ଏବଂ ମନଇଚ୍ଛା ପାର୍କିଂ । ଗ୍ୟାରେଜ ମାଲିକମାନେ ଗାଡି ରାସ୍ତା ଉପରେ ରଖି ମରାମତି କରୁଛନ୍ତି । ମରାମତି ନାଁରେ ଦିନ ଦିନ ଧରି ରାସ୍ତା ଅବରୋଧ କରି ରଖାଯାଉଛି । କେତେକ ଅଟୋ ମୋବାଇଲ ବ୍ୟବସାୟୀ ରାସ୍ତା ଉପରେ ଗାଡି ଠିଆକରି ମାଲ ଲୋଡିଂ ଅନ୍ଲୋଡିଂ କରୁଛନ୍ତି । ସର୍ଭିସିଂ ନାଁରେ ବି ରାସ୍ତା ଉପରେ ପାର୍କିଂ କରାଯାଉଛି । ଛୋଟମୋଟ ବ୍ୟବସାୟୀ ବି ଉଠା ଦୋକାନ ପକାଉଛନ୍ତି । ରାସ୍ତା ଉପରେ ମାଟି, ପଥର, ଗୋଡି ଏବଂ ଇଟା ଗଦା ଦିନ ଦିନ ଧରି ପଡି ରହିଥିଲେ ବି ସଫା କରାଯାଉନି । ଏ ସମ୍ପର୍କରେ ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି, ଉପଜିଲ୍ଲାପାଙ୍କ ସହ ଆଲୋଚନା କରାଯିବ । ତାଙ୍କ ନିଦେ୍ର୍ଧଶ ଅନୁଯାୟୀ ପଦକ୍ଷେପ ନିଆଯିବ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons