ପିପିଲି,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲାର ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁରରେ ଆଜି ସକାଳୁ ସକାଳୁ ଦୁର୍ଘଟଣା ଘଟିଛି । ଏକ ସ୍କୁଟି ସହ ଟେମ୍ପା ଧକ୍କା ହେବାରୁ ସ୍କୁଟିରେ ଯାଉଥିବା ୨ ଶିକ୍ଷୟିତ୍ରୀଙ୍କ ମୃତୁ୍ୟ ଘଟିଛି । ମୃତ ଶିକ୍ଷୟିତ୍ରୀ ଦୁହେଁ ହେଲେ ସ୍ନେହଲତା ସାହୁ (୪୨) ଓ ଶୁଭଲକ୍ଷ୍ମୀ ପରିଡ଼ା (୨୩) । ଦୁହେଁ ସ୍ଥାନୀୟ ପୀତବାସ ୟୁଜିଏମଇ ସ୍ମୁଲରେ ଶିକ୍ଷକତା କରୁଥିଲେ । ଆଜି ଶନିବାର ପାଇଁ ସ୍କୁଲ ସକାଳୁଆ ଥିଲା । ଏଥିପାଇଁ ସ୍ନେହଲତା ଓ ଶୁଭଲକ୍ଷ୍ମୀ ସକାଳ ୭ରେ ସ୍କୁଲ ଯାଉଥିଲେ । ସେମାନେ ଚଳାଉଥିବା ସ୍କୁଟି ଓଡି-୦ଇ-ଏସି-୯୯୮୬କୁ ବାଟରେ ସାମ୍ନାରୁ ଆସୁଥିବା ଏକ ଟେମ୍ପୋ ହଠାତ୍ ଧକ୍କା ଦେଇଥିଲା । ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର କେନ୍ଦ୍ରୀୟ ପ୍ରାଥମିକ ସ୍କୁଲ ସାମ୍ନାରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ପିପିଲି ଡାକ୍ତରଖାନା ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲକୁ ପଠା ଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ମୁତାବକ ଉଭୟ ସ୍ନେହଲତା ଓ ଶୁଭଲକ୍ଷ୍ମୀଙ୍କ ବାପଘର ଦାଣ୍ଡମୁକୁନ୍ଦପୁରରେ । ହେଲେ ଦୁହେଁ ପିପିଲିରେ ରହୁଥିଲେ ଓ ସାଥୀ ହୋଇ ପ୍ରତିଦିନ ସ୍କୁଟିରେ ସ୍କୁଲକୁ ଯିବା ଆସିବା କରୁଥିଲେ । ଦୁର୍ଘଟଣା ପରେ ଦାଣ୍ଡମୁକୁନ୍ଦପୁର ଓ ପିପିଲିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ଶିକ୍ଷୟିତ୍ରୀଙ୍କ ମୃତୁ୍ୟରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
Comments are closed, but trackbacks and pingbacks are open.