ସ୍ତନ କର୍କଟ ସମ୍ପର୍କିତ ରିଜିଓନାଲ ରାଉଣ୍ଡ ଟେବୁଲ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା:ଝାରସୁଗୁଡ଼ାରେ ପିପିପି ମୋଡ୍ରେ କର୍କଟ ନିଦାନ କେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଦିନକୁ ଦିନ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ଚିକିତ୍ସା ବିଜ୍ଞାନ ଏବେ ଏତେ ଆଗକୁ ଗଲାଣି ଯେ ପ୍ରାଥମିକ ଅବସ୍ଥାରେ ଏହାର ଚିହ୍ନଟ ହୋଇପାରିଲେ, ଚିକିତ୍ସା ଜରିଆରେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇପାରୁଛନ୍ତି । ଏ କ୍ଷେତ୍ରରେ ଅଧିକରୁ ଅଧିକ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ।
କନ୍ଫେଡରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ର ଓଡ଼ିଶା ଷ୍ଟେଟ୍ କାଉନସିଲ୍(ସିଆାଇଆଇ), ଆମ୍ରି ହସ୍ପିଟାଲ, ନୋଭୋର୍ଟିସ ଫାର୍ମା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ଆୟୋଜିତ ‘ସ୍ତନ କର୍କଟ ସମ୍ପର୍କିତ ଓଡ଼ିଶା ରିଜିଓନାଲ ରାଉଣ୍ଡ ଟେବୁଲ୍’ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ‘ମୋ ସରକାର’ କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରୁ ଜିଲ୍ଲା ଯାଏ ସବୁଠି କେମିତି ରୋଗୀ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବେ, ସେଥିପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି । ସରକାର ଆଗାମୀ ଦିନରେ ଜିଲ୍ଲାସ୍ତରରେ କର୍କଟ ରୋଗ ନିରୁପଣ କେନ୍ଦ୍ର ଓ ଚିକିତ୍ସା ପାଇଁ ଯୋଜନା କରୁଛନ୍ତି । ଝାରସୁଗୁଡ଼ାରେ ସରକାର ପିପିପି (ସରକାରୀ ଓ ଘରୋଇ ସହଭାଗିତାରେ)ରେ କର୍କଟ ନିଦାନ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି । ସିଆଇଆଇ ଓଡ଼ିଶା ଷ୍ଟେଟ୍ କାଉନସିଲର ଉପାଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି କହିଛନ୍ତି, ଆଜିର ରାଉଣ୍ଡ ଟେବୁଲ ବୈଠକ ଯୋଜନା ପ୍ରଣୟନ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷାର କାମ କରିବ । ଯାହା ସ୍ତନ କର୍କଟ ରୋକିବାରେ ନିଶ୍ଚିତ ଭାବେ ସହଯୋଗ କରିବ ।
ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିଦେ୍ର୍ଧଶକ ଡାକ୍ତର ଆର୍ ଆର୍ ଶତପଥୀ କହିଛନ୍ତି, ସାରାଦେଶରେ ଏବେ କର୍କଟ ରୋଗୀ ସଂଖ୍ୟା ବଢିଛି । ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିବା ୫୪ ପ୍ରତିଶତ ମହିଳାଙ୍କର ରୋଗ ଆଡଭାନ୍ସ ଷ୍ଟେଜ୍ରେ ପହଞ୍ଚିଛି । ଏଥିମଧ୍ୟରୁ ୩୦ ପ୍ରତିଶତଙ୍କ ରୋଗ ଅତି ମାରାତ୍ମକ ସ୍ତରରେ ରହିଛି । ୪୦ ବର୍ଷ ବୟସରୁ ଅଧିକ ମହିଳାଙ୍କ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ । ମୋଟାପଣ, ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ଓ ସଚେତନତାର ଅଭାବ ଯୋଗୁ ଏହାର ପ୍ରାଦୃର୍ଭାବ ବଢି ଚାଲିଛି । ସର୍ବଭାରତୀୟ ସ୍ତରଠୁ ଓଡ଼ିଶାରେ ଅଧିକ ସ୍ତନ କର୍କଟ ରୋଗୀ ରହିଛନ୍ତି । ହାରାହାରି ୨୮ ଜଣରେ ଜଣଙ୍କୁ ସ୍ତନ କର୍କଟ ହେବାର ସମ୍ଭାବନା ରହିଥାଏ । ଗ୍ରାମାଞ୍ଚଳରେ ୬୦ ଜଣରେ ଜଣଙ୍କୁ ଏବଂ ସହରାଞ୍ଚଳରେ ୨୨ ଜଣରେ ଜଣଙ୍କୁ ସ୍ତନ କର୍କଟ ହେବାର ସମ୍ଭାବନା ରହିଛି ।
ଆମ୍ରି ହସ୍ପିଟାଲ ଭୁବନେଶ୍ୱରର ୟୁନିଟ୍ ହେଡ୍ ଡାକ୍ତର ଅନୁଜ ତିୱାରୀ କହିଛନ୍ତି, କ୍ୟାନ୍ସର ଏବେ ସାରାଦେଶରେ ଭୟଙ୍କର ଭାବେ ବଢୁଛି । ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଏଥିରେ କିଛି କମ୍ ନୁହେଁ । ପ୍ରାଥମିକ ପର୍ଯ୍ୟାୟରେ ଜଣେ ରୋଗୀ ଯଦି ହସ୍ପିଟାଲ ଆସି ଚିକିତ୍ସିତ ହୁଏ, ତେବେ ରୋଗୀ ସଂପୂର୍ଣ୍ଣ ଭାବେ ସୁସ୍ଥ ରହି ପାରିବ । ଏବେ ସରକାରୀ ସହ ଆମ୍ରି ଭଳି କର୍ପୋରେଟ ହସ୍ପିଟାଲରେ ବିଶ୍ୱସ୍ତରୀୟ କ୍ୟାନ୍ସର ଚିକିତ୍ସା ସେବା ମିଳୁଛି । ଅନ୍ୟମାନଙ୍କ ମଧ୍ୟରେ ନୋଭାର୍ଟିସ ଫାର୍ମାର ଯୋଜନା ଓ ମାଧ୍ୟମ ମୁଖ୍ୟ ପ୍ରଭାତ କୁମାର ସିହ୍ନା, ଡାକ୍ତର ସତ୍ୟ ଅଗ୍ରୱାଲ, ଡାକ୍ତର ଦିନେଶ ପେଣ୍ଡାରକର ପ୍ରମୁଖ ଉପସ୍ଥିତ ରହି ସ୍ତନ କର୍କଟର ଚିକିତ୍ସା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons