ପୁରୀ: ବିନାଭକ୍ତରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳନ ହେବ । ତେବେ ଏହି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ଏବଂ ଲୋକଙ୍କୁ କିଛି ଅସୁବିଧା ନ ହେବା ଭଳି ପୁଲିସ ସୁରକ୍ଷା ବ୍ୟବସ୍ଥା କରିବାକୁ ଶନିବାର ଦିନ ଜିଲ୍ଲା ପୁଲିସ ମୁଖ୍ୟ ଦପ୍ତରରେ ଏସ୍ପି କେ ବିଶାଳ ସିଂହ ପ୍ରସ୍ତୁତି ବୈଠକ ଡାକିଥିଲେ । ବୈଠକରେ ପୁଲିସ ପ୍ରସ୍ତୁତିର ରୂପରେଖ ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।
ବୈଠକରେ ନିଷ୍ପତ୍ତି ହୋଇଥିଲା ସ୍ନାନଯାତ୍ରା ଦିନ ପୁରୀ ସହରକୁ ସଂଯୋଗ କରୁଥିବା ପ୍ରବେଶ ପଥରେ ପୁଲିସ ପିକେଟିଂ ବ୍ୟାରିକେଡ ହେବ । ମଙ୍ଗଳାଘାଟ, ବାଟଗାଁ, ମାଳତିପାଟପୁର, ଗ୍ରୀଡ ଷ୍ଟେସନ, ତେଷାଳି ସ୍ୟାଣ୍ଡ ଛକରେ ପୁଲିସ ଅଫିସରମାନେ ମୁତୟନ ରହିବେ । ସ୍ନାନଯାତ୍ରା ସୁରକ୍ଷା ଦାୟିତ୍ୱରେ ଏସଆଇ, ଏଏସଆଇ, ଇନ୍ସପେକ୍ଟର, ଆରଆଇ ଡେପୁଟି ଏସପି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଅତିରିକ୍ତ ଏସପି ର୍ୟାଙ୍କର ଅଫିସରମାନେ ନିୟୋଜିତ ହେବେ । ଏହି ଅଫିସରଙ୍କ ସଂଖ୍ୟା ଅନୂ୍ୟନ ୧୬୦ ଥିବା ବେଳେ ୩୫ ପ୍ଲାଟୁନ୍ ଫୋର୍ସ ସ୍ନାନଯାତ୍ରାକାଳୀନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ମୁତୟନ ହେବେ । ତା ବ୍ୟତିତ ୫୩୦ ହୋମଗାର୍ଡ ପୁଲିସ ସୁରକ୍ଷା ବ୍ୟବସ୍ଥାରେ ରହିବେ ।
ଶ୍ରୀମନ୍ଦିର ଚାରିପାଖକୁ ତିନିଥାକିଆ ବ୍ୟାରିକେଡ ସୁରକ୍ଷାରେ ରଖାଯିବ । ତିନି ପ୍ରକାର ବ୍ୟାରିକେଡ୍ ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାରେ ଲାଗିବ । ଆଉଟର, ମିଡଲ, ଇନର କର୍ଡନରେ ବ୍ୟାରିକେଡଗୁଡିକୁ ବିଭକ୍ତୀକରଣ କରାଯାଇଛି । ଏହି ରୁଟ୍ଗୁଡିକରେ ସର୍ବମୋଟ ୭୫ଟି କର୍ଡନ ନିର୍ମାଣ କରାଯିବ । ଅନଧିସ୍ୱୀକୃତ ଲୋକଙ୍କୁ ବଡଦାଣ୍ଡ ତଥା ଶ୍ରୀମନ୍ଦିର ଆଖପାଖ ଇଲାକାକୁ ସଂଯୋଗ କରୁଥିବା ରାସ୍ତାର ପ୍ରବେଶ ନିଷେଧ କଟକଣା ଜାରି ହେବ । ସହର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନଜର ରଖିବାକୁ ଲାଗିବ ୧୨ଟି ସିସିଟିଭି । ଚାରିଚକିଆ ଗାଡିକୁ ମାର୍କେଟ ଛକରୁ ଆଗକୁ ଛଡାଯିବ ନାହିଁ । ମାର୍କେଟ ଛକ, ମୋଚିସାହି ଛକ, ସେଲାଖିଆ ବରଗଛ ଛକ ଏବଂ ବୃଷବ ଛକରୁ ଆଗକୁ ଚାରି ଚକିଆ ଛଡ଼ାଯିବନି ।
କୋଭିଡ୍ କଟକଣା ଉଲ୍ଲଂଘନକୁ କୌଣସି ପରିସ୍ଥିତିରେ ପ୍ରଶୟ ଦିଆଯିବ ନାହିଁ । ମେଡିକାଲ ଭଳି ଜରୁରି କାମରେ ଯାତାୟାତ କରୁଥିବା ଲୋକଙ୍କୁ ଗତିରୋଧ କରାଯିବ ନାହିଁ । ସ୍ନାନଯାତ୍ରାକୁ ଶୃଙ୍ଖଳିତ ଏବଂ କୋଭିଡ୍ କଟକଣା ମଧ୍ୟରେ ପାଳନ କରିବାକୁ ଶ୍ରୀମନ୍ଦିର ସେବାୟତଙ୍କ ସହ ଏକାଧିକ ବୈଠକ ହୋଇ ସାରିଛି । ପୁଲିସର ସୁରକ୍ଷା ରୁପରେଖକୁ ଲୋକମାନେ ସମର୍ଥନ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । କିଛି ଅସୁବିଧାର ସମ୍ମୁଖୀନ ହେଲେ ସିଟି ଡେପୁଟି ଏସପି ଜେ ପାଢ଼ୀଙ୍କୁ ୯୪୩୮୯୧୬୫୫୯ ଫୋନରେ ଯୋଗାଯୋଗ କରିବାକୁ ଏସପି ପରାମର୍ଶ ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.