ବିଶ୍ୱବ୍ୟାପୀ କରୋନା ଭୂତାଣୁ ଭୟଙ୍କର ବ୍ୟାଧି ପାଲଟିଛି । ଚୀନ୍ର ୱୁହାନ୍ ସହରରୁ ମୃତୁ୍ୟର ଖେଳ ଆରମ୍ଭ କରିଥିବା ଏହି ଭାଇରସ୍ ଏବେ ବିଶ୍ୱର ୧୮୮ ଦେଶରେ କାୟା ବିସ୍ତାର କରିଛି । ଇଟାଲିରେ ମୃତୁ୍ୟ ସଂଖ୍ୟା ଚୀନ୍କୁ ବଳି ଯାଇଥିବାବେଳେ ସ୍ପେନ୍ରେ ଏହା ୧୭୦୦ ଟପି ୧,୭୨୦ ରେ ପହଞ୍ଚିଯାଇଛି । ଦିନକ ପୂର୍ବରୁ ଏହି ସଂଖ୍ୟା ୧,୩୨୬ ଥିଲା । ଗୋଟିଏ ଦିନରେ ସ୍ପେନ୍ରେ ନୂଆ ମୃତୁ୍ୟ ସଂଖ୍ୟା ୩୯୪ ରହିଛି । ପୂର୍ବ ଦିନ ଏହା ୩୨୪ ଥିଲା ।
ୟୁରୋପର ଦ୍ୱିତୀୟ ଅତି ପ୍ରଭାବିତ ରାଷ୍ଟ୍ର ପାଲଟିଛି ସ୍ପେନ । ଏହି ରାଷ୍ଟ୍ରରେ ରବିବାର କରୋନା ପ୍ରଭାବିତଙ୍କ ସଂଖ୍ୟା ୨୮,୫୭୨ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ଜଣାଯାଇଛି ।
ଏଥିମଧ୍ୟରୁ ୨,୫୭୫ ଲୋକ ଆରୋଗ୍ୟ ହୋଇଥିବାବେଳେ ୧,୭୮୫ ଲୋକ ଇଣ୍ଟେସିଭ୍ କେୟାର ୟୁନିଟ୍ରେ ଅଛନ୍ତି ।
ଏହି ଭୂତାଣୁକୁ ପ୍ରତିହିତ କରିବା ପାଇଁ ସବୁ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ପ୍ରକାଶ କରିଛନ୍ତି ।
ଲକ୍ଡାଉନ୍କୁ ଆଉ ୧୫ ଦିନ ବଢ଼ାଇବା ପାଇଁ ସ୍ପେନ ସରକାର ବିଚାର କରୁଥିବା ଜଣାଯାଇଛି ।
ଅନ୍ୟପକ୍ଷରେ, ରବିବାର ଇରାନରେ ୧୨୯ ନୂଆ ମୃତୁ୍ୟ ଘଟିଛି । ଇଟାଲି ଏବଂ ଚୀନ୍ ସହ ଏହା ମଧ୍ୟ ଅତ୍ୟନ୍ତ କଦର୍ଯ୍ୟ ସ୍ଥିତିକୁ ଆସିଯାଇଛି । ଏଠାରେ କରୋନା ମୃତୁ୍ୟ ସଂଖ୍ୟା ୧,୬୮୫କୁ ବୃଦ୍ଧି ପାଇଥିବା ଜଣାଯାଇଛି । ଏତେ ମାତ୍ରାରେ ଲୋକଙ୍କ ମୃତୁ୍ୟ ଘଟିଥିବା ସତ୍ତେ୍ୱ ଆମେରିକାର ସାହାର୍ଯ୍ୟ ନେବାକୁ ଏହା ମନା କରିଦେଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମ୍ନେଇ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଆମେରିକାର ସାହାର୍ଯ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଗତ କିଛି ସମୟ ଧରି ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଲାଗି ରହିଛି । ଏହା ସତ୍ତେ୍ୱ ଆମେରିକା ତରଫରୁ ଇରାନକୁ କରୋନା ମହାମାରୀ ବିରୋଧରେ ଲଢେ଼ଇ କରିବା ପାଇଁ ସାହାର୍ଯ୍ୟ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଇରାନ ଏହାକୁ ଗ୍ରହଣ କରିବା ପାଇଁ ମନା କରିଦେଇଛି । ଏହା ଆହୁରି କହିଛି ଯେ, କରୋନା ଭୂତାଣୁକୁ ହୁଏତ ଆମେରିକା ପ୍ରସ୍ତୁତ କରିଥାଇପାରେ ।


Comments are closed, but trackbacks and pingbacks are open.