ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଧାନସଭାର ଶୀତ ଅଧିବେଶନ ପ୍ରଥମ ଦିନରୁ ଧରିଛି ତତଲା । ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟ ସରକାରଙ୍କୁ ଘେରିଛନ୍ତି । ଆରମ୍ଭରୁ ଜୋରଦାର ଆକ୍ରମଣ କରିଛନ୍ତି ବିରୋଧୀ । ଦୁର୍ନୀତି ଓ ନାରୀ ନିର୍ଯାତନା ଅସ୍ତ୍ରରେ ସରକାରଙ୍କୁ ଘେରିଛନ୍ତି । ଯାଜପୁର ଜିଲ୍ଲାରେ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି । ରଙ୍ଗମହଲରେ ଧର୍ଷଣ ସହ ମର୍ଡର କରାଯାଇଛି । ପରେ ମାମଲା ଚାପିଦେବାକୁ ସରକାର ଫନ୍ଦିଫିକର କରୁଛନ୍ତି । ସମସ୍ତ କାର୍ଯ୍ୟସୂଚୀ ବାତିଲ କରାଯାଇ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯାଉ । ଏଭଳି ଜିଦ୍ରେ ବିରୋଧୀ ଅଡ଼ି ବସିଲେ । ପ୍ରଥମାର୍ଦ୍ଧରେ ଏହାକୁ ନେଇ ଗୃହରେ ହୋହଲ୍ଲା ସହ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଥିଲା । ପାଟିତୁଣ୍ଡ ସହ ନାରାବାଜିରେ ଗୃହ କମ୍ପିଲା । ଶୋକ ପ୍ରସ୍ତାବ ପରେ ମାତ୍ର ୪ ମିନିଟ୍ ଗୃହ ଚାଲିଲା । ବାଚସ୍ପତିଙ୍କ ନିୟନ୍ତ୍ରଣରେ ଗୃହ ରହିଲାନି । ସିଧା ଅପରାହ୍ନ ୩ ଟା ଯାଏ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆଜି ଆରମ୍ଭ ହୋଇଛି । ଆରମ୍ଭରୁ ବିରୋଧୀ ଦଳ ଆକ୍ରମଣାତ୍ମକ ରୂପ ଦେଖାଇଛି । ବିଧାନସଭାରେ ଦିବଂଗତ ପୂର୍ବତନ ସଦସ୍ୟ ଓ ସହିଦ ଯବାନଙ୍କ ଉଦେ୍ଧଶ୍ୟରେ ଶୋକ ପ୍ରସ୍ତାବ ସରିବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କ ଅନୁମତି ମାଗିଲେ କହିବାକୁ । ନରସିଂହ ପ୍ରଶ୍ନକାଳ ବାତିଲ କରି ମୁଲତବି ଆଲୋଚନା କରିବାକୁ ଅଡ଼ି ବସିଲେ । ମାତ୍ର ବାଚସ୍ପତି ଅନୁମତି ଦେଲେନି । ବିରୋଧୀ ନେତା ଶ୍ରୀ ନାଏକ ମଧ୍ୟ ପ୍ରଶ୍ନକାଳ ବାତିଲ କରି ସ୍ମିତାରାଣୀ ପ୍ରସଙ୍ଗରେ ମୁଲତବି ଆଲୋଚନା କରିବାକୁ କହିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଅଗ୍ରାହ୍ୟ କଲେ । ପ୍ରଶ୍ନକାଳକୁ ଆଗକୁ ନେବାକୁ କୃଷି ବିଭାଗ ସଂପର୍କିତ ପ୍ରଶ୍ନର ଉତ୍ତର ରଖିବାକୁ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କୁ ଡାକିଲେ ।
ବାଚସ୍ପତି ମନ୍ତ୍ରୀଙ୍କୁ ଡାକିବା ମାତ୍ରେ କଂଗ୍ରେସ ବିଧାୟକମାନେ ପାଟିତୁଣ୍ଡ ଆରମ୍ଭ କଲେ । ଗୃହର ମଧ୍ୟଭାଗକୁ ମାଡ଼ି ଆସିଲେ । ସ୍ଲୋଗାନ ଛାଡ଼ିଲେ ମନମୁଖୀ ଶାସନ ଚଳିବ ନାହିଁ । ଏପଟେ କୃଷିମନ୍ତ୍ରୀ ଉତ୍ତର ପଢ଼ୁଥାନ୍ତି, ସେ ପଟେ ଚାଲିଥାଏ ସ୍ଲୋଗାନବାଜି । ଏମିତି ମିନିଟ୍ଏ ପର୍ଯ୍ୟନ୍ତ ଚାଲିବା ପରେ ବିଧାୟକ ମୌଷୋଧି ବାଗ୍ ଅତିରିକ୍ତ ପ୍ରଶ୍ନ ବି ପଚାରିଲେ । ବିରୋଧୀ ଦଳ ନେତା ଓ କଂଗ୍ରେସ ଦଳ ନେତା ନିଜ ଆସନରେ ଛିଡ଼ା ହୋଇ ଏହାର ପ୍ରତିବାଦ କରୁଥିଲେ । ଏହାପରେ ବିଜେପି ବିଧାୟକମାନେ ମଧ୍ୟ କଂଗ୍ରେସ ସହ ଏକାଠି ହେଲେ । ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ଜୋରଦାର ନାରା ଛାଡ଼ିଲେ । କଂଗ୍ରେସ ଓ ବିଜେପି ବିଧାୟକଙ୍କ ହୋହଲ୍ଲାରେ ଗୃହର ପଡ଼ିଲା ଆଉ ଉଠିଲା । ବାଚସ୍ପତି ଯେତେ ଅନୁରୋଧ କଲେ ମଧ୍ୟ ବିରୋଧୀ ସଦସ୍ୟମାନେ ପାଟିତୁଣ୍ଡ ବନ୍ଦ କଲେନି କି ନିଜ ଆସନକୁ ଗଲେନି । ହଟ୍ଟଗୋଳ ଉଗ୍ର ରୂପ ଧାରଣ କରିବାରୁ ବାଚସ୍ପତି ବାଧ୍ୟରେ ୧୧.୧୮ରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବି ରଖିଲେ ।
ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ନାଏକ ସରକାରଙ୍କୁ ଘେରିଲେ । ସେ କହିଲେ, ଯାଜପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ କାର୍ଯ୍ୟରତ ମହିଳା ପିଇଓ ସ୍ମିତାରାଣୀଙ୍କୁ ଧର୍ଷଣ ସହ ହତ୍ୟା କରାଗଲା । ଏ ଘଟଣାକୁ ଭିନ୍ନ ରୂପ ଦେବାକୁ ଉଦ୍ୟମ ଚାଲିଛି । ଗୃହର ସମସ୍ତ କାର୍ଯ୍ୟ ବାତିଲ କରାଯାଇ ଏହା ଉପରେ ଆଲୋଚନା କରାଯାଉ । ସରକାର ନିରପେକ୍ଷତା ଅବଲମ୍ବନ କରନ୍ତୁ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶ୍ରୀ ନାଏକଙ୍କ ସହ ସ୍ୱର ମିଶାଇ କହିଲେ, ଏ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବା ଦରକାର । ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ । ସେ ଅଭିଯୋଗ କଲେ ଯେ, ଗୃହ ମଧ୍ୟ ଏକପାଖିଆ ଭାବେ ଚାଲିଛି । ବାଚସ୍ପତି ଗୃହର ମଧ୍ୟଭାଗକୁ ବିଧାୟକମାନେ ନ ଆସିବାକୁ ଚିଠି ଲେଖୁଛନ୍ତି । ମାତ୍ର ଗୃହ ଯଦି ଠିକଣା ଭାବେ ଚାଲିବ କେହି ଗୃହର ମଧ୍ୟଭାଗକୁ ଆସିବେନି । ସେ କହିଲେ, ୪୦ ହଜାର କୋଟି ଟଙ୍କାର ଜମି ସ୍କାମକୁ ସେ ଉଠାଇଲେ । ମାତ୍ର ଏ ସଂପର୍କରେ ବିଭାଗ କେବଳ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗି ବସିଛି । ବୁକ୍ ସର୍କୁଲାର ୪୭ କୁ ଅଫିସରମାନେ ମାନୁନାହାନ୍ତି । ଆମ ଚିଠିର ପ୍ରାପ୍ତି ସ୍ୱୀକାର ମଧ୍ୟ ମିଳୁନି । ଆମ ଚିଠି ଅନୁସାରେ ଯଦି ପଦକ୍ଷେପ ନେଇ ହେଉନି ବିଧାୟକମାନଙ୍କୁ ଅବଗତ କରାଯାଉ । ଏ ନିୟମର ଖୋଲା ଉଲ୍ଲଂଘନ କରାଯାଉଛି । ଏ ନେଇ ବାଚସ୍ପତି ନିର୍ଦ୍ଧିଷ୍ଟ ଭାବେ ସରକାରଙ୍କୁ ନିଦେ୍ର୍ଧଶ ଦିଅନ୍ତୁ । ଆମ ଅଧିକାରକୁ ସୁରକ୍ଷା ଦିଆଯାଉ ।
ବିଜେପି ସଭ୍ୟ ମୋହନ ମାଝୀ କହିଲେ, ଓଡ଼ିଶାରେ ନାରୀ ନିର୍ଯାତନା ସୀମା ଲଂଘନ କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଛି । ଏଠି ନାରୀ ସୁରକ୍ଷିତ ନୁହନ୍ତି । ସ୍ମିତାରାଣୀଙ୍କୁ ମର୍ଡର କରାଯାଇଛି । ଏ ପ୍ରସଙ୍ଗରେ ଗୃହରେ ଚର୍ଚ୍ଚା ହେଉ । କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ଅଭିଯୋଗ କଲେ, ଗୃହ ନୀତି ନିୟମରେ ଚାଲୁନାହିଁ । ସରକାର ମା’କୁ ସମ୍ମାନର ସ୍ଲୋଗାନ ଦେଉଛନ୍ତି । ମାତ୍ର ଜଣେ ପଞ୍ଚାୟତ ପିଇଓ ରଙ୍ଗମହଲରେ କେମିତି ମୃତୁ୍ୟବରଣ କଲେ ତାର ଜବାବ ରଖୁନାହାନ୍ତି । ଯାଜପୁର ଏସପି ଏ ପ୍ରସଙ୍ଗରେ ଯାହା କହିଲେ ତାହା ଦୁର୍ଭାଗ୍ୟଜନକ । ସେହିଭଳି କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଓ ସୁରେଶ କୁମାର ରାଉତରାୟ ମଧ୍ୟ ଅଭିଯୋଗ କଲେ ଯେ, ଏ ଗୃହରେ ପରମ୍ପରା ଅଛି, ସ୍ପର୍ଶକାତର ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ହୋଇପାରିବ । ସ୍ମିତାରାଣୀଙ୍କୁ ରଙ୍ଗମହଲରେ ହତ୍ୟା କରାଯାଇଛି । ଏ ପ୍ରସଙ୍ଗରେ ଗୃହରେ ଆଲୋଚନା ହେଉ ।
ବିଜେପି ସଭ୍ୟ ବିଷ୍ଣୁ ସେଠୀ ଅଭିଯୋଗ କଲେ, ଛବିରାଣୀ ପାଇଁ ସରକାର ଗଡ଼ି ଯାଇଥିଲା । ଏବେର ଶାସକ ଦଳ ସେ ସମୟରେ ବିରୋଧୀ ଆସନରେ ବସି ଚିକ୍ରାର କରୁଥିଲେ । ଏ ସଂପର୍କରେ ଆଲୋଚନା ହେଉ । ଗୃହମନ୍ତ୍ରୀ ବିବୃତି ରଖନ୍ତୁ । ସରକାରୀ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ କହିଲେ, ଗୃହ ପରିଚାଳନା ପାଇଁ ସର୍ବସମ୍ମତକ୍ରମେ ବାଚସ୍ପତି ନିର୍ବାଚିତ କରାଯାଇଛି । ଗୃହକୁ କେମିତି ପରିଚାଳନା କରାଯିବ ତାହାର ନିଷ୍ପତ୍ତି ତାଙ୍କ ହାତରେ । ପ୍ରଶ୍ନକାଳ ମଧ୍ୟ ରାଜ୍ୟବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାର୍ଯ୍ୟ ପରାମର୍ଶଦାତା କମିଟି କିମ୍ବା ସର୍ବଦଳୀୟ ବୈଠକ ଡାକି ଏ ପ୍ରସଙ୍ଗରେ ଆଲୋଚନା କରାଯାଉ ।
ଏହାପରେ ବାଚସ୍ପତି କହିଲେ, ଗୃହରେ ଶୃଙ୍ଖଳା ରକ୍ଷା କରିବା ସହ ସୂଚାରୁ ପରିଚାଳନା ପାଇଁ ବିଧାୟକମାନେ ଗୃହର ମଧ୍ୟଭାଗକୁ ନ ଆସିବାକୁ ଚିଠି ଲେଖିଥିଲି । ଏହା ନିଦେ୍ର୍ଧଶ ନୁହେଁ, ବରଂ ଏହା ଥିଲା ଅନୁରୋଧ । ଗୃହର ମଧ୍ୟଭାଗକୁ ସଭ୍ୟମାନେ ଆସି ହୋହଲ୍ଲା କରିବା ଦ୍ୱାରା ନୂଆ ପିଢ଼ି ନିକଟକୁ ଭୁଲ ବାର୍ତ୍ତା ଯାଉଛି । ସମସ୍ତଙ୍କ ସହଯୋଗରେ ଗୃହ ଠିକଣା ଭାବେ ଚାଲିପାରିବ । ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକ ପରେ ଅର୍ଥମନ୍ତ୍ରୀ ୨୦୧୯-୨୦ର ଅତିରିକ୍ତ ବଜେଟ ଆଗତ କରିଥିଲା ବେଳେ ବିରୋଧୀ ଦଳ ହୋହଲ୍ଲା ସହ ନାରା ଜାରି ରଖିଥିଲେ । କିଛି ବିଧାୟକ ଧାରଣାରେ ମଧ୍ୟ ବସିଥିଲେ । ହଟ୍ଟଗୋଳ ମଧ୍ୟରେ ଅତିରିକ୍ତ ବଜେଟ ଆଗତ ପରେ ବାଚସ୍ପତି ଆସନ୍ତାକାଲି ଯାଏ ଗୃହକୁ ମୁଲତବି ରଖିଥିଲେ ।
Comments are closed, but trackbacks and pingbacks are open.