ସ୍ୱଚ୍ଛ ଇନ୍ଧନ ଯୋଗାଣ ମୋଦି ସରକାରର ପ୍ରାଥମିକତା: ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶବାସୀଙ୍କୁ ଶସ୍ତାରେ ସ୍ୱଚ୍ଛ ଇନ୍ଧନ ଯୋଗାଇବା ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରର ପ୍ରାଥମିକତା ରହିଆସିଛି । ଏଥିପାଇଁ ଦେଶର ଉର୍ଜ୍ଜା ଭିତ୍ତିଭୂମି କ୍ଷେତ୍ରରେ ୧୦,୦୦୦ କୋଟି ଡଲାର ପୁଞ୍ଜିନିବେଶ ଯୋଜନା ରହିଛି । ଶିଳ୍ପସଂଘ ଫିକିର ୯୨ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଭାରତରେ ୬ କୋଟି ମେଟ୍ରିକ ଟନ୍ ବାୟୋମାସ ମହଜୁଦ ରହିଛି । ଏହି ବାୟୋମାସରୁ ଜୈବିକ ଇନ୍ଧନ ପ୍ରସ୍ତୁତି ପାଇଁ ସାରା ଦେଶରେ ୫ହଜାରରୁ ଅଧିକ ବାୟୋମାସ ପ୍ଲାଣ୍ଟ ସ୍ଥାପନ କରାଯିବାର ଯୋଜନା ଅଛି । ଫଳରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇ ଦିଆଯାଇପାରିବ ।
ସେ କହିଛନ୍ତି, ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶର ପ୍ରାୟ ୧୩ କୋଟି ଘରେ ସ୍ୱଚ୍ଛ ରୋଷେଇ ଇନ୍ଧନ ବ୍ୟବହାର ହେଉଥିଲା । ମୋଦି ସରକାର କ୍ଷମତାକୁ ଆସିବା ପରେ ୯୯ଧ ଘରକୁ ସ୍ୱଚ୍ଛ ରୋଷେଇ ଇନ୍ଧନ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ଦେଶର ୨ କୋଟି ଘରେ ବିଜୁଳି ସଂଯୋଗ ନ ଥିଲା । ବର୍ତ୍ତମାନ ସେସବୁ ଘରେ ବିଜୁଳି ସଂଯୋଗ କରିବାରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି ।
ଭାରତ ଆଗାମୀ କିଛି ବର୍ଷ ଭିତରେ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହାସଲ କରି ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ଏହାସହ ଭାରତର ଉର୍ଜ୍ଜା ଚାହିଦା ମଧ୍ୟ ବୃଦ୍ଧି ପାଇବ । ବିଶ୍ୱର ଅଧିକାଂଶ ବିକଶିତ ରାଷ୍ଟ୍ରରେ ବିଏସ୍୬ ଇନ୍ଧନ ବ୍ୟବହାର ଆରମ୍ଭ ହୋଇ ନ ଥିବା ବେଳେ ୨୦୨୦ ଏପ୍ରିଲ ୧ରୁ ଭାରତ ସାରା ଦେଶରେ ବିଏସ୍୬ ଇନ୍ଧନ ଆପଣେଇବାକୁ ଯାଉଛି । ଏହା ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଦିଗରେ ଭାରତର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons