ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆକସ୍ମିକ ପାଣ୍ଠିରୁ ଅର୍ଥ ନେଇ ଭୋଟ୍ ପୂର୍ବରୁ ‘କାଳିଆ’ ଯୋଜନାରେ ଟଙ୍କା ବାଣ୍ଟିବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ । ସରକାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରିଛନ୍ତି । ତେଣୁ ସ୍ୱତନ୍ତ୍ର ଅତିରିକ୍ତ ବ୍ୟୟମଂଜୁରୀ ବିଲ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି । ଏମିତି ତଗଡ଼ା ଯୁକ୍ତି ଉପସ୍ଥାନ କରି ମୁଖ୍ୟ ବିରୋଧୀଦଳ ବିଜେପି । ବିରୋଧୀଦଳ ମୁଖ୍ୟ ସଚେତକ ସମ୍ବିଧାନର ବିଭିନ୍ନ ଧାରା ଉପସ୍ଥାପନ କରି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ତାଙ୍କୁ ସମର୍ଥନ କରି ବିଜେପି ବିଧାୟକମାନେ ଆଲୋଚନା ବର୍ଜ୍ଜନ କରି କକ୍ଷତ୍ୟାଗ କରିଥିଲେ ।
କଂଗ୍ରେସ ବି ଜୋର ଗର୍ଜ୍ଜନ କରିଥିଲା ସରକାରଙ୍କ ଉପରେ । କହିଥିଲା, ‘ଅନ୍ଫୋରସିନ୍’ ଶବ୍ଦର ଭୁଲ୍ ବାଖ୍ୟା କରି ସରକାର ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଅର୍ଥ ଉଠାଇଛନ୍ତି । ଏହା ଅବୈଧ । ତେଣୁ ବ୍ୟୟ ମଂଜୁରୀ ବିଲ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି । କଂଗ୍ରେସ ସଦସ୍ୟମାନେ ଗୃହ ତ୍ୟାଗ କରିନଥିଲେ ସତ କିନ୍ତୁ ସରକାରଙ୍କ ଉପରେ ମନଭରି ବର୍ଷିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଓ ସୁରେଶ ଚନ୍ଦ୍ର ରାଉତରାୟ ପ୍ରମୁଖ ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲେ ।
ବିରୋଧୀଦଳର ସମାଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଥିଲେ, ଓଡ଼ିଶା ବଜେଟ୍ ମାନୁଆଲ୍ର ନିୟମ ୨୯ ଓ ପରିଷିଷ୍ଠ -୮ ଅନୁସାରେ ବଜେଟ୍ ଅର୍ଥ ବରାଦ ଓ ଅନୁମୋଦନ ପୂର୍ବରୁ ‘ନୂତନ ଯୋଜନା ତଥା ସେବା’ ବାବଦକୁ ଆବଶ୍ୟକୀୟ ଖର୍ଚ୍ଚ ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଆକାରରେ ମେଣ୍ଟାଯିବାର ବ୍ୟବସ୍ଥା ରହିଛି । ଏହି ନିୟମ ଅନୁଯାୟୀ ଯଦି କୌଣସି ନୂତନ ଯୋଜନା ‘ଅନ୍ଫୋରସିନ୍’ ହୋଇଥିବ ଏବଂ ଏହାର ପ୍ରଣୟନ ଆବଶ୍ୟକତା ହୋଇଥିବ, ଯାହାକି ବିଧାନସଭାର ଅନୁମୋଦନ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ପାରିବ ନାହିଁ, ସେ କ୍ଷେତ୍ରରେ ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ନେଇ ସେହି ଯୋଜନା ପ୍ରଣୟନ କରାଯାଇ ପାରିବ । ‘ଅନ୍ଫୋରସିନ୍’ ଶବ୍ଦର ଭୁଲ୍ ବାଖ୍ୟା କରି ସରକାର ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଅର୍ଥ ଉଠାଇଛନ୍ତି ବୋଲି କଂଗ୍ରେସ କରିଥିବା ଅଭିଯୋଗକୁ ମଧ୍ୟ ଅର୍ଥମନ୍ତ୍ରୀ ଅଗ୍ରାହ୍ୟ କରିଥିଲେ । ସେ କହିଥିଲେ, ଆମେ ଯେଉଁ କାରଣଗୁଡ଼ିକ ପାଇଁ ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଟଙ୍କା ଉଠାଇଛୁ ।
ଅର୍ଥ ମନ୍ତ୍ରୀ କହିଥିଲେ, ଓଡ଼ିଶା ଆକସ୍ମିକ ପାଣ୍ଠିରେ ୪୦୦କୋଟି ଟଙ୍କା ଥିଲା । ରାଜ୍ୟ ସରକାର ଚାଷୀମାନଙ୍କୁ କାଳିଆ ସହାୟତା ଦେବା ପାଇଁ ଗତ ଜାନୁଆରି ୧୧ ତାରିଖରେ ଅଧ୍ୟାଦେଶ ବଳରେ ଏହି ପାଣ୍ଠିକୁ ୧୨୦୦କୋଟି ଟଙ୍କା ବୃଦ୍ଧିକରି ୧୬୦୦କୋଟି ଟଙ୍କା କରିଥିଲେ ।
ଉକ୍ତ ପାଣ୍ଠିରୁ କୃଷି ବିଭାଗ ଜରିଆରେ କାଳିଆ ଯୋଜନାରେ ୧୨୪୪କୋଟି ୬୬ ଲକ୍ଷ ଟଙ୍କା ବଣ୍ଟାଯାଇଛି । ସେହିଭଳି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶମତେ କନ୍ଧମାଳ ଦଙ୍ଗା ପ୍ରପିଡ଼ିତଙ୍କ ଘର ଭଙ୍ଗା ସହାୟତା ପାଇଁ ଏହି ପାଣ୍ଠିରୁ ୬କୋଟି ୩୨ ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ମତ୍ସ୍ୟ ଓ କୁକୁଡ଼ା ପାଳନ ପାଇଁ କୃଷକମାନଙ୍କୁ ଇନ୍ପୁଟ୍ ସହାୟତା ରୁପେ ୨୨କୋଟି ୭୩ଲକ୍ଷ ଟଙ୍କା ଓ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଅଧିନରେ ପେନ୍ସନ୍ ଦେବା ପାଇଁ ୧୬୯ କୋଟି ୪୦ ଲକ୍ଷ ୬୪ ହଜାର ଟଙ୍କା ପ୍ରଦାନ କରାଯାଇଛି ।
ଶ୍ରୀ ପୂଜାରୀ କହିଥିଲେ, ଆକସ୍ମିକ ପାଣ୍ଠି ବୃଦ୍ଧି ପାଇଁ ଯେଉଁ ଅଧ୍ୟାଦେଶ ଜାରି କରାଯାଇଥିଲା ତାହା ୬ମାସ ମଧ୍ୟରେ ବିଧାନସଭାରେ ପାରିତ ହେବା କଥା । ମାତ୍ର ଗତ ମାର୍ଚ୍ଚ ୧୮ ତାରିଖରୁ ଏହି ଅବଧି ଶେଷ ହୋଇଯାଇଛି । ତେଣୁ ଏହି ସ୍ୱତନ୍ତ୍ର ବ୍ୟୟ ମଂଜରୀ ବିଲ୍ ଆଗତ କରାଯାଇଛି । ଗତ କାଲି ଏହାର ଖର୍ଚ୍ଚଦାବି ପାରିତ ହୋଇଛି । ତେଣୁ ବ୍ୟୟ ମଂଜୁରୀ ବିଲ୍କୁ ପାରିତ କରିବା ପାଇଁ ଶ୍ରୀ ପୂଜାରୀ ସମସ୍ତଙ୍କ ସମର୍ଥନ ଲୋଡ଼ିଥିଲେ । ପରେ ତାହା ବାଚନିକ ଭୋଟରେ ଗୃହୀତ ହୋଇଥିଲା ।
Comments are closed, but trackbacks and pingbacks are open.