ପୁରୀ,(ବି.ବି.ନ୍ୟୁଜ୍):ଶ୍ରୀମନ୍ଦିର ଚାରି ପାଖରେ ନିର୍ମାଣ ହେବ ପରିକ୍ରମା ପଥ । ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ଅନୁକରଣରେ ଏହି ପରିକ୍ରମା ମାର୍ଗ ନିର୍ମାଣ କରାଯିବ । ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା ବେଳେ ଭକ୍ତଙ୍କ ସୁବିଧା ପାଇଁ ଏହି ପରିକ୍ରମା ପଥ(ମାର୍ଗ) ପ୍ରସ୍ତାବ ଆସିଥିଲା । ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଥିଲା । ଶ୍ରୀମନ୍ଦିର ମେଘଦାନ ପାଚେରି କଡରେ ଅବରୋଧ ଏହି ପରିକଳ୍ପନାକୁ ଅଟକାଇ ରଖିଥିଲା । ଜିଲ୍ଲା ପ୍ରଶାସନ ମେଘନାଦ ପାଚେରି ୪କଡ଼ରେ ରହିଥିବା ୯ଟି ନିର୍ମାଣକୁ ହଟାଇବାକୁ ଆପାତତଃ ନିଷ୍ପତ୍ତି ନେଇଛି । ଶ୍ରୀମନ୍ଦିର ଚାରି ପାଖରୁ ଅବରୋଧ ହଟାଇବାକୁ ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ଆଇନ ସମୂହର ସମୀକ୍ଷା କରିଛି ।
ମେଘଦାନ ପାଚେରିକୁ ଅବରୋଧ ମୁକ୍ତ କରିବାକୁ ହାଇକୋର୍ଟ ୨୦୧୨ରେ ଆଦେଶ ଦେଇଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପୁରାତନ ଐତିହ୍ୟ ସୁରକ୍ଷା ଆଇନ ଆଧାରରେ ମଧ୍ୟ ପଚାଶରୁ ଅଧିକ ଐତିହ୍ୟ ଅବରୋଧ ନୋଟିସ ଦେଇଛି । ଏହି ନୋଟିସକୁ ବେଖାତିରି କରାଯାଇଛି । ମେଘନାଦ ପାଚେରିଠାରୁ ୧୦ଫୁଟ ମଧ୍ୟରେ ରହିଥିବା ଅବରୋଧକୁ ହଟାଇବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ପୂରାତନ ଜାତୀୟ ଐତିହ୍ୟ ଶ୍ରୀମନ୍ଦିର ଠାରୁ ଶହେ ମିଟର ମଧ୍ୟରେ କୌଣସି ନିର୍ମାଣ ହୋଇ ପାରିବ ନାହିଁ ବୋଲି ଏଏସ୍ଆଇ ନୋଟିସ କରିଛି । ହାଇକୋର୍ଟଙ୍କ ଆଦେଶ ମୁତାବକ କେବଳ ସିଂହଦ୍ୱାର ନିକଟ ମେଘନାଦ ପାଚେରି ଉଭୟ ପାଶ୍ୱର୍ରୁ ଦଶ ଫୁଟ ମଧ୍ୟରେ ଥିବା ଅବରୋଧକୁ ହଟାଯାଇଛି ।
ପରିଚାଳନା କମିଟି ନିଷ୍ପତ୍ତି ମୁତାବକ ଶ୍ରୀମନ୍ଦିର ୪ ପାଖରେ ୮୦ ଫୁଟର ପରିକ୍ରମା ପଥ ନିର୍ମାଣ ହେବ । ଏହି ପ୍ରସ୍ତାବକୁ ଗତବର୍ଷ ସେପ୍ଟେମ୍ବର ୨୭ ତାରିଖ ପରିଚାଳନା କମିଟି ଅନୁମୋଦନ ଦେଇଛି । କମିଟି ନିଷ୍ପତ୍ତି ମୁତାବକ ଶ୍ରୀମନ୍ଦିରର ବୈଷୟିକ କର୍ମଚାରୀଙ୍କ ଟିମ୍ ଅମୃତସର ସ୍ୱର୍ଣ୍ଣ ମନ୍ଦିରର ପରିକ୍ରମା ପଥ ଅନୁଧ୍ୟାନ କରି ଫେରିଛନ୍ତି । ଏହି ଶୈଳୀରେ ଶ୍ରୀମନ୍ଦିର ଚାରି ପାଖରେ ପରିକ୍ରମା ମାର୍ଗ ଏବଂ ଭକ୍ତଙ୍କ ଆମୋଦ ପ୍ରମୋଦ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ନିଷ୍ପତ୍ତି ମୁତାବକ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ବାର ଫୁଟ ଚଉଡାର ସବୁଜ ବଳୟ ନିର୍ମାଣ କରାଯିବ । ଏହାକୁ ଲାଗି ୧୮ଫୁଟ ଚଉଡାର ପରିକ୍ରମା ପଥ ନିର୍ମାଣ ହେବ । ଭକ୍ତମାନେ ସବୁଜ ବଳୟ ଏବଂ ପରିକ୍ରମା ପଥକୁ ଉପଭୋଗ କରି ପାରିବେ । ଏହି ସବୁ ଇଲାକାରେ ଭକ୍ତଙ୍କ ସର୍ବନିମ୍ନ ସେବାର ସମସ୍ତ ଭିତ୍ତିଭୂମି ରହିବ ।
ପରିକ୍ରମା ପଥ ଏବଂ ଶ୍ରୀମନ୍ଦିର ସୁରକ୍ଷା ପାଇଁ ମେଘନାଦ ପାଚେରିକୁ ଲାଗି ରହିଥିବା ୯ଟି ଅବରୋଧ ହଟାଯିବ । ମେଘନାଦ ପାଚେରିକୁ ଲାଗି ରହିଥିବା ଶ୍ରୀମନ୍ଦିର ସୂଚନା କେନ୍ଦ୍ର, ପଢ଼ିଆରୀ ନିଯୋଗର ସ୍ୱାଧ୍ୟାୟ କେନ୍ଦ୍ର, ଶ୍ରୀମନ୍ଦିର ଫାଣ୍ଡି, ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସୂଚନା କେନ୍ଦ୍ର, ସିଂହଦ୍ୱାର ଦୁଇ ପାଖରେ ରହିଥିବା ଜୋତା ଷ୍ଟାଣ୍ଡ, ରାମଦୟା ପରିଷଦ, ଶ୍ରୀମନ୍ଦିର ଦକ୍ଷିଣ ପାଶ୍ୱର୍ ମେଘଦାନ ପାଚେରିକୁ ଲାଗି ରହିଥିବା ଖଜା ଦୋକାନ, କ୍ଳୋକ୍ ରୁମ, ଶୌଚାଳୟ, ପଶ୍ଚିମ ପାଖ ମେଘନାଦ ପାଚେରିକୁ ଲାଗି ରହିଥିବା ସେସୁ ଫ୍ୟୁଜ୍ କଲ ଏବଂ ବିଲ ଆଦାୟ କେନ୍ଦ୍ର, ନାମ ଘର ଭଙ୍ଗାଯିବ । ମେଘଦାନ ପାଚେରିକୁ ଲାଗି ରହିଥିବା ସରକାରୀ ଏବଂ ବେସରକାରୀ ବେଆଇନ ନିର୍ମାଣକୁ ହଟାଇ ଦିଆଯିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବାର ଖବର ମିଳିଛି । ସିଂହଦ୍ୱାର ଏବଂ ମେଘନାଦ ପାଚେରି ଚାରି ପାଖର ସୌନ୍ଦର୍ଯ୍ୟକରଣ ତଥା ଶ୍ରୀମନ୍ଦିର ସୁରକ୍ଷା ପରିପ୍ରେକ୍ଷୀରେ ଏହି ଅବରୋଧ ହଟାଇବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ।
ଏସମ୍ପର୍କରେ ଜିଲ୍ଲାପାଳ ବଲୱନ୍ତ ସିଂ ଗଣାମଧ୍ୟମକୁ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଏବେ ମୁଖ୍ୟ ପ୍ରସଙ୍ଗ ରହିଛି । ଶ୍ରୀମନ୍ଦିର ସୁରକ୍ଷାକୁ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଏନ୍ଏସଜି ଗୁରୁତ୍ୱ ଦେଉଛି । ମେଘନାଦ ପାଚେରିକୁ ଲାଗି ରହିଥିବା କୋଠା, ମଠ, ବେଆଇନ ନିର୍ମାଣଗୁଡିକ ମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ମେଘନାଦ ପାଚେରିକୁ ଲାଗି ରହିଥିବା ସମସ୍ତ ନିର୍ମାଣକୁ ହଟାଯିବ । ଶ୍ରୀମନ୍ଦିର ନୀତି, ସେବାପୂଜା ସହ ଜଡିତ ମେଘନାଦ ପାଚେରି କଡରେ ଥିବା ଦୁଇଟି ମଠକୁ ରକ୍ଷଣାବେକ୍ଷଣ କରାଯିବ । ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବ । ସରକାରୀ କୋଠାଗୁଡିକ ଭାଙ୍ଗାଯିବ । ମେଘନାଦ ପାଚେରିକୁ ଲାଗି ରହିଥିବା ସମସ୍ତ ଅନ୍ୟ କୋଠା, ନିର୍ମାଣକୁ ହଟାଯିବ । ଅଗଷ୍ଟ ୧୯ରୁ ମେଘନାଦ ପାଚେରି ଅବରୋଧମୁକ୍ତ କାମ ଆରମ୍ଭ କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ କୋଠା ପାଖରେ ରହିଥିବା ଗୋପବନ୍ଧୁ ମୂର୍ତ୍ତିଙ୍କୁ ସସମ୍ମାନେ ସ୍ଥାନାନ୍ତର କରାଯିବ । ଯଥା ସମୟରେ ଉଚିତ ସ୍ଥାନରେ ପୁନଃ ସ୍ଥାପନ କରାଯିବ । ଅଦାଲତି ମାମଲା ରହିଥିବା ମଠ ତଥା କୋଠା ମାଲିକ ସହ ବିଚାର ବିମର୍ଶ କରାଯିବ । ଯାହା ଜଣାପଡୁଛି ସିଂହଦ୍ୱାର ଉଭୟ ପାଶ୍ୱର୍ରେ ମେଘନାଦ ପାଚେରିକୁ ଲାଗି ରହିଥିବା ଛାଉଣୀ ମଠ ଏବଂ ବଡଛତା ମଠ ଏହି ମେଘନାଦ ପାଚେରି ଅବରୋଧ ହଟାଯିବା ଅଭିଯାନରୁ ବାଦ ପଡିବେ ।
Comments are closed, but trackbacks and pingbacks are open.