ସ୍ୱର୍ଣ୍ଣ ଜିତିଲେ ଭକ୍ତରାମ, ଝିଲ୍ଲୀ, ସ୍ନେହାଙ୍କୁ ରୌପ୍ୟ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ଅଷ୍ଟ୍ରେଲିଆରେ ଆଜିଠୁ ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନସିପ୍ରେ ବାଜିମାତ କରିଛନ୍ତି ଓଡ଼ିଆ କ୍ରୀଡ଼ାବିତ । ଭକ୍ତରାମ ଦେସ୍ତି, ଝିଲ୍ଲୀ ଦଳବେହେରା ଓ ସ୍ନେହା ସୋରେନ ପ୍ରଥମ ଦିବସରେ ପଦକ ଜିତିବାରେ ସଫଳ ହୋଇଛନ୍ତି । ଭକ୍ତରାମ ଓ ଝିଲ୍ଲୀ ସ୍ୱର୍ଣ୍ଣ ଏବଂ ସ୍ନେହା ରୌପ୍ୟ ପଦକ ଜିତିଛନ୍ତି ।
ଝିଲ୍ଲୀ ସିନିୟର ମହିଳା ୪୫ କିଲୋ ବର୍ଗରେ ଅଂଶ ଗ୍ରହଣ କରିଥିଲେ । ସେ ସ୍ନାଚରେ ୬୦ କିଲୋ ଏବଂ କ୍ଲିନ ଏଣ୍ଡ ଜର୍କରେ ୯୪ କିଲୋ ସହ ମୋଟ୍ ୧୫୪ କିଲୋ ଭାରୋତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଭକ୍ତରାମ (ଜୁନିୟର ଓ ଯୁବ) ୪୯ କିଲୋ ବର୍ଗରେ ସ୍ନାଚରେ ୭୭ କିଲୋ ଏବଂ କ୍ଲିନ୍ ଏଣ୍ଡ ଜର୍କରେ ୧୦୮ କିଲୋ ଭାରୋତ୍ତୋଳନ କରି (ମୋଟ୍ ୧୮୫ କିଲୋ) ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ।
ସ୍ନେହା ସୋରେନ ଜୁନିୟର ମହିଳା ବିଭାଗର ୫୫ କିଲୋ ବର୍ଗରେ ଅଂଶ ଗ୍ରହଣ କରିଥିଲେ । ସେ ସ୍ନାଚ୍ରେ ୭୩ କିଲୋ ଏବଂ କ୍ଲିନ ଏଣ୍ଡ ଜର୍କରେ ୯୬ କିଲୋ ସହ ମୋଟ୍ ୧୬୯ କିଲୋ ଉଠାଇ ଦ୍ୱିତୀୟ ସ୍ଥାନ ସହ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ ।
ଓଡ଼ିଶା ଖେଳାଳିଙ୍କ ଏହି ସଫଳତାରେ ଖୁସି ହୋଇ ରାଜ୍ୟ ଭାରୋତ୍ତୋଳନ ସଂଘର ଉପ ସଭାପତି ଲକ୍ଷ୍ମୀନାରାୟଣ ରାଉତ, ଡ. ହରିପ୍ରସାଦ ପଟ୍ଟନାୟକ, ମନୋରଞ୍ଜନ ଦାସ, ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ରବି ପ୍ରତିହାରୀ, ଜାନକୀବଲ୍ଲଭ ମିଶ୍ର, କୋଷାଧ୍ୟକ୍ଷ ଯଜ୍ଞନାରାୟଣ ନନ୍ଦ, ସମ୍ପାଦକ ନାରାୟଣ ସାହୁ ଓ ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ଆଦିବାସୀ ଚାଷୀ ପରିବାରର ପୁଅ ଭକ୍ତରାମ ୨୦୧୪ରୁ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ କୋଚ୍ ସୀତା ଜେନାଙ୍କ ଠାରୁ ପ୍ରଶିକ୍ଷଣ ଗ୍ରହଣ କରି ଆସୁଥିଲେ । ଗତ ଜାନୁଆରୀ ମାସରେ ସେ ଅନ୍ତର୍ଜାତୀୟ ପ୍ରତିଯୋଗିତା ସକାଶେ ଆୟୋଜିତ ଜାତୀୟ ଚୟନ ଓ ପ୍ରଶିକ୍ଷଣ ଶିବିର (ଇଣ୍ଡିଆ କ୍ୟାମ୍ପ୍) ସକାଶେ ମନୋନୀତ ହୋଇଥିଲେ । ସେବେଠାରୁ ପଞ୍ଜାବର ପାଟିଆଲା ଠାରେ ତାଲିମ ଗ୍ରହଣ କରୁଥିବା ବେଳେ ଗତ ୩ ତାରିଖରେ ଘୋଷିତ ଚୂଡ଼ାନ୍ତ ଜାତୀୟ ଦଳରେ ମଧ୍ୟ ସେ ସାମିଲ୍ ହୋଇଥିଲେ । ତାଙ୍କୁ ଭାରତୀୟ ଯୁବ ଭାରୋତ୍ତୋଳନ ଦଳରେ ଦଳରେ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons