ସ୍ୱାଭିମାନୀ ଓଡ଼ିଶା ନିର୍ମାଣ ଦିଗରେ ଆମେ ଅଗ୍ରସର: ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜାରି କରି ସାଢେ଼ ୪ କୋଟି ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ଓଡ଼ିଶା ନିର୍ମାଣ ଦିଗରେ ଆମେ ଦୃଢ଼ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ । କଠିନ ପରିଶ୍ରମ, ଗଭୀର ନିÂା ଓ ସମସ୍ତଙ୍କ ସହଯୋଗ ହିଁ ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିବ । ଏକ ନୂଆ ଓଡ଼ିଶା ଗଠନ ଦିଗରେ ଆମର ଏହି ଉଦ୍ୟମ କ୍ଷେତ୍ରରେ ମୁଁ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡ଼ିଶା ଆଜି ଦୃଶ୍ୟମାନ ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ବଢ଼ିଛି । କୃଷି ଉତ୍ପାଦନ ବଢ଼ିଛି । ଚାଷୀର ରୋଜଗାର ମଧ୍ୟ ବଢ଼ିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସୁଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି । ବିଭିନ୍ନ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶାର ସ୍ଥାନ ସାରା ଦେଶରେ ସ୍ୱତନ୍ତ୍ର । ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି । ଜନଜାତିବର୍ଗର ବିକାଶ ଓ କଲ୍ୟାଣ ପାଇଁ ଆମର କାର୍ଯ୍ୟକ୍ରମ ସେମାନଙ୍କୁ ସଫଳ ଭାବରେ ବିକାଶର ମୁଖ୍ୟଧାରାରେ ଯୋଡ଼ି ପାରିଛି । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ବିକାଶର ସୂର୍ଯ୍ୟ ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୦ ମାସ ହେଲା ସାରା ବିଶ୍ୱ କରୋନା ସହ ଲଢୁଛି । ଓଡ଼ିଶା କରୋନା ମହାମାରୀକୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି । ଏହି ଅବସରରେ ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ସେବାକୁ ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଟିକା ଆସିଥିଲେ ମଧ୍ୟ କୋଭିଡ ଗାଇଡଲାଇନ୍କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।
ନବୀନ କହିଛନ୍ତି, ଭାରତ ବହୁ ଭାଷା, ବହୁ ଧର୍ମ ଓ ବହୁ ଜାତିକୁ ବହୁ ମତ, ବହୁ ବର୍ଣ୍ଣ, ବହୁ ବିଶ୍ୱାସକୁ ନେଇ ଗଠିତ ହୋଇଛି । ବିଭିନ୍ନ ଅଞ୍ଚଳର ଭୂଗୋଳ ମଧ୍ୟ ଭିନ୍ନ । ଏହି ବିବିଧତା ହିଁ ଆମର ସବୁଠାରୁ ବଡ଼ ଶକ୍ତି । ଏହା ହିଁ ଆମ ସଂସ୍କୃତିକୁ, ଆମ ସମାଜକୁ ସମୃଦ୍ଧ କରିଛି । ଆମ ସମ୍ବିଧାନରେ ଏହା ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି ଏବଂ ସମସ୍ତଙ୍କ ପାଇଁ ବିକାଶର ସମାନ ସୁଯାଗ ସୃଷ୍ଟି କରିଛି । ଆମ ବିବିଧତାର ସୁରକ୍ଷା ସହ ବିଭିନ୍ନ ଗୁରତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ସମସ୍ତେ କାମ କରିବା ଦରକାର । ଏହା ଆମର ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରିବା ସହ ଦେଶକୁ ଆହୁରି ଶକ୍ତିଶାଳୀ କରିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ଜନକ ମହାତ୍ମା ଗାନ୍ଧି, ପଣ୍ଡିତ ନେହରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡ. ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବrି ଜଗବନ୍ଧୁ, ଉକ୍ରଳମଣି ଗୋପବନ୍ଧୁ ଦାସ, ଉକ୍ରଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ରମା ଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡ. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍ ଓ କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons